ପରକୀୟା ପ୍ରିତୀ ବିଷମ ରିତି: ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ହାତ ଧରିଲେ ବିବାହିତା ମହିଳା

ସ୍ୱାମୀ ଆଗରେ ସ୍ତ୍ରୀକୁ ସିନ୍ଦୁର ପିନ୍ଧାଇଦେଲା ପରପୁରୁଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରଥମେ ପ୍ରେମ, ପ୍ରେମ ପରେ ଘରୁ ଲୁଚି ପଳାଇ ବିବାହ। ବିବାହ ପରେ ଦୀର୍ଘ ୧୮ ବର୍ଷର ଘରସଂସାର। ସେଇ ସମୟରେ ଜନ୍ମ ନିଅନ୍ତି ଗୋଟିଏ ପୁଅ, ଦୁଇଟି ଝିଅ। ପୁଅଝିଅ ଧିରେଧିରେ ବଡ଼ ହୁଅନ୍ତି। ପରିବାରର ଆବଶ୍ୟକତା ବଢ଼େ ଆଉ ବିଚରା ସ୍ୱାମୀ ସେଇ ଆବଶ୍ୟକତାର ପରିପୂରଣ ପାଇଁ ଘର ଛାଡ଼ି ଦାଦନ ଖଟିବାକୁ  କେରଳ ଯାଏ। ସେଠାରେ ରକ୍ତକୁ ପାଣି କରି ହାଡ଼ଭଙ୍ଗା କାମ କରେ। ପ୍ରତି ମାସରେ ଘରକୁ ଟଙ୍କା ପଠାଏ। ସେଇ ଟଙ୍କାରେ ଘର ଚଳେ, ପିଲାଛୁଆ ପାଠ ପଢ଼ନ୍ତି। ସେଇ ସମୟ ମଧ୍ୟରେ ହିଁ ଘରର ଭଲମନ୍ଦ ଜାଣିବାକୁ ସ୍ତ୍ରୀ ପାଇଁ ମୋବାଇଲଟିଏ କିଣିଦିଏ ସ୍ୱାମୀ। ନିୟମିତ ଫୋନ କରେ ନିଜର ପ୍ରାଣପ୍ରିୟା ପତ୍ନୀକୁ ଭଲମନ୍ଦ ବୁଝେ। କିନ୍ତୁ କାହିଁକି କେଜାଣି ଏତେପରେ ବି ସ୍ତ୍ରୀ ଜଣକ ସ୍ୱାମୀର ବିଶ୍ୱାସରେ ବିଷଦିଏ। ଲୁଚି ଲୁଚି ପରପୁରୁଷ ସହିତ ଫୋନରେ କଥାହୁଏ, ସମ୍ପର୍କ ଯୋଡ଼େ। ପରପୁରୁଷ ସହିତ ଗଢିଉଠେ ଅବୈଧ ସମ୍ପର୍କ। ଦିନ ଯାଏ, କଥା ଯାଏନାହିଁ। ପରିବାର ପ୍ରତିପୋଷଣ ପାଇଁ ଘର ଛାଡ଼ି ଦାଦନ ଖଟୁଥିବା ସ୍ୱାମୀ ଜଣକ ଘରକୁ ଫେରିଆସେ। ଆଉ ଯାହା ଦେଖେ ବିଶ୍ୱାସ କରିପାରେନି। ଯେଉଁମାନଙ୍କ ପାଇଁ ଘରଦ୍ୱାର, ଗାଁ-ଭୂଇଁ ଛାଡ଼ି ବାହାରେ ଦାଦନ ସାଜିଛି। ସେଇ ସ୍ତ୍ରୀ ଏବେ ତାକୁ ଧୋକା ଦେଇ ଫୋନରେ ଆଉ ଜଣକ ସହିତ ଭାବ ବଢ଼େଇଛି। ଆଉ ଏସବୁର ଅଡିଓ ରେକର୍ଡ଼ିଂ ସବୁ ତା’ ହାତରେ ଲାଗିବା ପରେ ସ୍ତ୍ରୀ ଓ ତାର ନୂଆ ପ୍ରେମିକଙ୍କ ନାଁରେ ହୋଇଛି ଥାନାର ଦ୍ୱାରସ୍ତ। ତେବେ ପୁଲିସ ସାମ୍ନାରେ ସ୍ତ୍ରୀ ଜଣକ ନିଜର ସ୍ୱାମୀ ଓ ତିନି ସନ୍ତାନଙ୍କ ସହିତ ସବୁ ସମ୍ପର୍କକୁ ତ୍ୟାଗ କରି ନିଜର ନୂଆ ପ୍ରେମିକର ହାତ ଧରି ଚାଲିଯାଇଛି। ନୂଆ ପ୍ରେମିକ ବିବାହିତ ଓ ପାଞ୍ଚ ପାଞ୍ଚଟି ସନ୍ତାନର ବାପା ବୋଲି ଜାଣିବା ପରେ ବି ବନ୍ଧୁବାନ୍ଧବ ଆଗରେ ନୂଆ ପ୍ରେମିକ ହାତରୁ ସିନ୍ଦୁର ପିନ୍ଧିଛି। ସିନେମାର ଦୃଶ୍ୟ ଭଳି ଲାଗୁଥିବା ଏହି ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ବେଡାଗାଁରେ। ଗାଁର ବିଶ୍ୱମ୍ବର ହରିଜନ ଗତ ୧୮ ବର୍ଷ ତଳେ ଖଜୁରଗୁଡ଼ା ଗାଁର ଅମ୍ବିକା ହରିଜନଙ୍କୁ ଭଲ ପାଇ ବିବାହ କରିଥିଲେ। ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି। କିନ୍ତୁ ବିଶ୍ୱମ୍ବର କେରଳ ଯିବା ସମୟରେ ଡଙ୍ଗରୀ ଗାଁର ବିବାହିତ ବ୍ୟକ୍ତି ମୂରଲୀ ବାଗ ସହିତ ଅମ୍ବିକା ପରକୀୟା ପ୍ରୀତିରେ ଲିପ୍ତ ରହନ୍ତି। ଏ ସମ୍ପର୍କରେ ବିଶ୍ୱମ୍ବର ଜାଣିବା ପରେ ପ୍ରଥମେ ଥାନାରେ ଅଭିଯୋଗ ପରେ ମାମଲା ଉଠାଇନେବା ସହିତ ସ୍ତ୍ରୀର ନୂଆ ପ୍ରେମିକ ମୂରଲୀ ହାତରେ ନିଜ ସ୍ତ୍ରୀକୁ ଟେକିଦେଇଛନ୍ତି। ନିଜର ସ୍ୱାମୀ ଓ ତିନି ସନ୍ତାନକୁ ଛାଡ଼ି ଅମ୍ବିକା ଏବେ ମୂରଲୀଙ୍କ ହାତ ଧରିଛନ୍ତି। ପ୍ରେମିକ ମୂରଲୀ ମଧ୍ୟ ଅମ୍ବିକାଙ୍କୁ ଦ୍ଵିତୀୟ ସ୍ତ୍ରୀର ମର୍ଯ୍ୟାଦା ଦେବାକୁ ରାଜି ହେବାପରେ ଉଭୟ ମାଳ ବଦଳ କରି ଥାନା ସାମ୍ନାରେ ବିବାହ କରିଛନ୍ତି। ତେବେ ଆପୋଷ ବୁଝାମଣା ଯୋଗୁଁ ପୁଲିସରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.