ବେଆଇନ୍ ସାର ଚୋରା ଚାଲାଣ, ପିକ୍ ଅପ୍ ଜବତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଯାହା ଫଳରେ ଜିଲ୍ଲାର ଚାଷୀମାନେ ସାର ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ଧାର୍ଯ୍ୟ ମୂଲ୍ୟରୁ ଦୁଇଗୁଣ ଅଧିକ ଦୂରରେ ଚାଷୀ ୟୁରିଆ ସାର କିଣି ଶୋଷଣର ଶିକାର ହେଉଥିବା ଘଟଣା ମଧ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଧର୍ମଗଡ଼ ଓ କୋକସରା ଅଞ୍ଚଳରୁ ନବରଙ୍ଗପୁର ଜିଲ୍ଲାକୁ ଦୈନିକ ଶହ ଶହ କୁଇଣ୍ଟାଲ ୟୁରିଆ ସାର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ ଆମପାଣି ବନ ବିଭାଗ ପକ୍ଷରୁ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ସିମାନ୍ତ ଆମପାଣି ଘାଟିରେ ପେଟ୍ରୋଲିଂ କରୁଥିବାବେଳେ ଏକ ବେଆଇନ ୟୁରିଆ ସାର ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଅଟକାଇ ତଲାସି କରାଯାଇଥିଲା। ଏହି ସମୟରେ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ପାରି ନଥିଲା। ଯାହା ଫଳରେ ଗାଡ଼ିକୁ ଜବତ କରି ଆମପାଣି ଥାନାରେ ଜିମା ଦିଆଯାଇଛି। ବୁଧବାର ସକାଳେ କୋକସରା ଗୋଷ୍ଠୀ କୃଷି ଅଧିକାରୀ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ତଦନ୍ତ ପରେ ଜଣାପଡିଛି ଯେ, ଧର୍ମଗଡ଼ ଛଞ୍ଚାଣବାହାଳୀ ଠାରୁ ନବରଙ୍ଗପୁର ଜିଲ୍ଲାକୁ ପିକ୍ଅପ୍ ଭ୍ୟାନ୍ (ଓଡି୦୮ ୱଇ ୫୫୩୩) ଯୋଗେ ୬୦ ବସ୍ତା ୟୁରିଆ ସାର ଚାଲାଣ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ବେଆଇନ ସାର ଚାଲାଣ ପଛରେ ଜଣେ ବଙ୍ଗୀୟ ମକା ଦଲାଲ ରହିଥିବା ଆଲୋଚନା ହେଉଛି। ପୂର୍ବରୁ ମଧ୍ୟ ବେହେରା ଅଞ୍ଚଳର ଜୈନିକ ସାର ବେପାରୀ ଓ କୋକସରା ଅଞ୍ଚଳରୁ ଏହି ବଙ୍ଗୀୟ ମକା ମାଫିଆ ମାନେ ଟନ ଟନ ୟୁରିଆ ସାର ନବରଙ୍ଗପୁର ଜିଲ୍ଲାକୁ ଚାଲାଣ କରି ଆସୁଥିବା ନଜିର ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ସାର ବୋଝେଇ ପିକଅପ୍ ରେ ଚାଲାଣ ରିସିଭ ଓ କ୍ରୟ ରିସିବ ନଥିବା ଓ ଗୋଟିଏ ଦିନ ପରେ ରିସିଭ ଦେଇ ଗାଡି ନେଇଯିବା ଭଲି ଗୋଷ୍ଠୀ କୃଷିଧିକାରୀଙ୍କ ପ୍ରତିକ୍ରିୟା ସାଧାରଣରେ ଚର୍ଚ୍ଚା ଓ ଚଞ୍ଚକତା ଭଲି ଅନୁମେୟ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.