ଦୁଇ ବାଇକ ମୁହାଁମୁହିଁ: ୨ ମୃତ, ଜଣେ ଗୁରୁତର 

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାସ ବୋଷ କଲେଜରୁ କ୍ଲାସ ସାରି ନିଜ ଘରକୁ ବାଇକ ନଂ.ଓଡି-୧୨ ଏଫ- ୮୭୭୯ ଯୋଗେ ଫେରୁଥିଲେ। ସେହି ସମୟରେ ବଣ୍ଡପିପିଲିରୁ ବାଇକ ନଂ. ଓଡି-୧୨-ଡି-୮୮୬୩ ଯୋଗେ କୌଣସି ଏକ କାମ ନେଇ କୋଟଗଡ଼ ଆସୁଥିଲେ। ଏହି ସମୟରେ ଲାସେରୀ ନିକଟରେ ଦୁଇ ବାଇକ ଭାରସାମ୍ୟ ହରାଇବାରୁ ମୁହାଁମୁହିଁ ଧକ୍କା ହୋଇ ଯାଇଥିଲା, ଘଟଣା ସ୍ଥଳରେ ହିଁ ଦୁଇଜଣ ବ୍ୟକ୍ତି ବଣ୍ଡପିପିଲିର ସନ୍ତୋଷ ସାହୁ (୪୨), ନେତାଜୀ ସୁବାସ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ର +୩ କଳା ଦ୍ୱିତୀୟ ବର୍ଷ ଛାତ୍ର ଗେଟାବାଲି ନିବାସୀ ଅନଙ୍ଗ ପ୍ରଧାନୀ (୧୯) ଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ କଲେଜ ଛାତ୍ର ଗୁରୁତର ଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରତରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଟଗଡ ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରି ଗୁରୁତର ଥିବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ କୋଟଗଡ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଟିମ ପହଂଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.