ଫକୀରମୋହନ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗ ଦ୍ବାରା ଆୟୋଜିତ ହେଲା ‘କ୍ଲାସରୁମ୍-ଟୁ-କମ୍ୟୁନିଟି’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମାଜିକ କାର୍ଯ୍ୟ ବିଭାଗ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଫିଲ୍ଡ ୱାର୍କ ଓ ‘କ୍ଲାସରୁମ୍-ଟୁ-କମ୍ୟୁନିଟି’ ଏନଗେଜମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଠ୍ଯକ୍ରମରେ ପ୍ରାପ୍ତ ତାତ୍ତ୍ୱିକ ଜ୍ଞାନକୁ ସମାଜର ଗୋଷ୍ଠୀମାନଙ୍କ ସହିତ ପ୍ରାୟୋଗିକ ଭାବରେ ସଂଯୋଗ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କ୍ରମରେ ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନୀଳଗିରି ବ୍ଲକ ଅନ୍ତର୍ଗତ ମଖାପଦା ଗ୍ରାମର ବାସିନ୍ଦାମାନଙ୍କ ସହିତ ସମ୍ପୃକ୍ତ- ସ୍ୱାସ୍ଥ୍ୟ ସଚେତନତା, ପରିଷ୍କାରତା ଓ ସାମାଜିକ ଅନ୍ତର୍ଭୁକ୍ତି ସହିତ ସମ୍ବନ୍ଧିତ କାର୍ଯ୍ୟକଳାପ ସଂପର୍କରେ ପଥପ୍ରାନ୍ତ ନାଟକ ଓ ବାର୍ତ୍ତାଳାପ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ବର୍ଷା ଋତୁରେ ଦେଖା ଯାଉଥିବା ସ୍ବାସ୍ଥ୍ୟଗତ ସମସ୍ୟାର ଚିକିତ୍ସା, ଆଖପାଖ ଅଞ୍ଚଳର ପରିସ୍କାର ପରିଚ୍ଛନ୍ନତା, ମଶାରୀର ବ୍ୟବହାର, ସାପ ବା ସରୀସୃପ ଜୀବଜନ୍ତୁ କାମୁଡିଲେ ତାହାର ପ୍ରାଥମିକ ଚିକିତ୍ସା ଓ ଡାକ୍ତରଙ୍କ ପରାମର୍ଶ ଗ୍ରହଣ, ଗୁଣିଗାରେଡି ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା ସହ ବସବାସ ସ୍ଥାନକୁ ଫିନାଇଲ, ବ୍ଲିଚିଙ୍ଗ ଓ ଡିଡିଟି ର ବ୍ୟବହାର ଦ୍ବାରା ସଫା କରିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ସଂପର୍କରେ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ। ବିଭାଗୀୟ ଅଧ୍ୟାପିକାମାନଙ୍କ ନିର୍ଦ୍ଦେଶନା ଓ ପର୍ଯ୍ୟବେକ୍ଷଣରେ ଛାତ୍ରଛାତ୍ରୀମାନେ ‘ଲର୍ଣ୍ଣିଙ୍ଗ ବାଇ ଡୁଇଙ୍ଗ’ର ସୂତ୍ରକୁ ପ୍ରୟୋଗ କରିଥିଲେ। ଏହି ପଦକ୍ଷେପ, ଗ୍ରହଣଯୋଗ୍ୟ ଶିକ୍ଷା ଓ ସମାଜସେବାରେ ଏକ ସେତୁ ସଦୃଶ କାମକରିବା ସହ ସହାନୁଭୂତି, ନେତୃତ୍ୱ ଓ ସମସ୍ୟା ସମାଧାନ କୌଶଳ ଶିଖାଇ ସାମାଜିକ ଦାୟିତ୍ୱବାନ ନାଗରିକଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବା ନେଇ ଆଶାବ୍ୟକ୍ତ କରାଯାଇଛି।

ଏଥିସହ ଛାତ୍ରଛାତ୍ରୀମାନେ ସ୍ବଚ୍ଛତା ଅଭିଯାନକୁ ଯୋରଦାର କରିବାର ପ୍ରୟାସ ନେଇ ଗ୍ରାମରେ ଜମା ଅଳିଆ ଆବର୍ଜନା ସହ ଅଦରକାରୀ ବଣବୁଦାକୁ କାଟି ସଫା କରିଥିଲେ। ମୁଖ୍ଯତଃ ଡେଙ୍ଗୁରୋଗ ଓ ସାପ ଦଂଶନର ବିପଦକୁ ଗୁରୁତ୍ୱ ଦେଇ ଏଥିନେଇ ଗୋଷ୍ଠୀମାନଙ୍କ ମଧ୍ୟରେ ସଚେତନତା ଆଣିବାର ଲକ୍ଷ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଓ ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପିକା ରଶ୍ମିରେଖା ରାଉତ ଓ ସୁପ୍ରିୟା ରାଉତଙ୍କ ମିଳିତ ତତ୍ତ୍ବାବଧାନରେ ଏହି ଗୋଷ୍ଠୀ-ସଂପର୍କିତ କାର୍ଯ୍ୟକ୍ରମକୁ ସୂଚାରୁ ଭାବେ ସମ୍ପାଦିତ କରାଯାଇଥିଲା।

ଗ୍ରାମବାସୀମାନେ ଏହି ପ୍ରୟାସକୁ ସ୍ୱାଗତ କରି, ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରୁ ସମାଜ ଉପକୃତ ହେବା ସହିତ, ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସରେ ବୃଦ୍ଧିରେ ସହାୟକ ହେବାନେଇ କୁଳପତି ମତବ୍ୟକ୍ତ କରିଛନ୍ତି।

ବିଭାଗ ପକ୍ଷରୁ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମକୁ ନିୟମିତ ଭାବରେ ପାଳନ କରି ଶିକ୍ଷାର ସହିତ ସମାଜ ପରିବର୍ତ୍ତନକୁ ସୁଦୃଢ଼ ସମ୍ପର୍କରେ ଆଣିବା ପ୍ରୟାସ ହେବାନେଇ ଆଶାପୋଷଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.