ଶାରଳା ମହାଭାରତରୁ ଏହି ଉପାଖ୍ୟାନ। ଅଗସ୍ତି ମୁନି ମହାରାଜା ବୈବସ୍ୱତ ମନୁଙ୍କୁ ଏହି ଆଖ୍ୟାନ ମାଧ୍ୟମରେ ପାର୍ବତୀନନ୍ଦନ ଗଣେଶଙ୍କ ପବିତ୍ର ଜନ୍ମ ବୃତ୍ତାନ୍ତ କଥା ଶୁଣାଇଲେ। ଅନେକ ପୁରା କାଳର କଥା। କପିଳାସ କନ୍ଦରର ଉତ୍ତର ଦିଗ କୋଶଳ ଦେଶରେ ଅଳମ୍ୱଷା ନାମକ ଗୋଟିଏ ସୁନ୍ଦର ନଗର ଥିଲା। ସେଇଠି ରାଜପଣ କରୁ ଥିଲା ରୁଢ଼ାସୁର।
ପରେ ପ୍ରତାପୀ ରୁଢ଼ାସୁରର ପୁଅ ପ୍ରୌଢ଼ାସୁର ରାଜା ହେଲା। ସେ ମଧ୍ୟ ପିତାଙ୍କ ପରି ମହା ପ୍ରତାପୀ ହୋଇ ଦିନେ ଯୁଦ୍ଧରେ ଇନ୍ଦ୍ରଙ୍କ ହାତରେ ନିହତ ହେଲା। ପ୍ରୌଢ଼ାସୁର ଅନ୍ତେ ତାର ପୁଅ ମୁଢ଼ାସୁର ରାଜା ହେଲା। ସେ ବାହୁ ବଳରେ ସାରା ପୃଥିବୀକୁ ତାର ବଶ କଲା।ଦିନେ ମୁଢ଼ାସୁରର ଦରବାର ଚାଲିଥାଏ। ସଭାରେ ଉପସ୍ଥିତ ଥାନ୍ତି ମହମନ୍ତ୍ରୀ କୁରୁପାଳ।
ସେ ମନ୍ତ୍ରୀଙ୍କୁ କହିଲା, ମହାମନ୍ତ୍ରୀ! ଏବେ ସାରା ଅବନୀ ମଣ୍ତଳ ମୋ ଅଧୀନରେ। କୁହ, ଆଉ କିଏ ଅଛି ଯିଏ ମୋ ବଶରେ ନାହିଁ। ମନ୍ତ୍ରୀ ଥଙ୍ଗ ଥଙ୍ଗ ହୋଇ କହିଲେ, ହଁ ମହାରାଜ, ମୁଣ୍ଡ ରହିଲେ ତୁଣ୍ଡ ଖୋଲି ଗୋଟିଏ କଥା କହିବି। ଦୈତ୍ୟ ରାଜଙ୍କ ଠାରୁ ଅଭୟ ପାଇ ମନ୍ତ୍ରୀ କହିଲେ, ହଁ ମହାରାଜ! ଆପଣ ମହାବୀର।
ଏ ପୃଥିବୀରେ ଆପଣଙ୍କ ବଶ୍ୟତା ସ୍ବୀକାର ନକରି ଆଉ କେହି ନାହାଁନ୍ତି। କିନ୍ତୁ, ଯେ ପର୍ଯ୍ୟନ୍ତ ଆପଣ ଇନ୍ଦ୍ରଙ୍କୁ ପରାସ୍ତ ନ କରିଛନ୍ତି, ଆପଣଙ୍କୁ କିଏ ବୀର ବୋଲି ମାନିବ। ମୁଢ଼ାସୁର ମନ୍ତ୍ରୀଙ୍କ ମୁଖରୁ ଏକଥା ଶୁଣି ଖୁବ୍ ରାଗି ଯାଇ, ମନ୍ତ୍ରୀଙ୍କ ଚୁଟି ଧରି କହିଲା, ରେ ମୂର୍ଖ ତୁ ମୋରି ଅନ୍ନ ଖାଇ ମୋ ଆଗରେ ସେ ଇନ୍ଦ୍ରର ବଢ଼େଇ କରୁଛୁ। ମୋର ଶକ୍ତି କେତେ କଣ ତୁ ଜାଣିନାହୁଁ। ଚାଲ୍! ଏଇନେ ଚାଲ, ଆମ ଥାଟ ବାଟ ଧରି ଆମେ ଯାଇ ଇନ୍ଦ୍ରକୁ ଆକ୍ରମଣ କରିବା।
ମହାମନ୍ତ୍ରୀ କହିଲେ, ନାଁ ନାଁ ମହାରାଜ! ମୁଁ ଇନ୍ଦ୍ରଙ୍କ ଆଦୌ ବଡ଼େଇ କରୁନାହିଁ। ସେ ତୁମର ପିତୃହନ୍ତା। ଏହି କଥା କେବଳ ମୁଁ ଚେତେଇ ଦେଲି। ମନ୍ତ୍ରୀଙ୍କ କଥା ଶୁଣି ଅସୁରରାଜ ଟିକିଏ ଥଣ୍ଡା ପଡ଼ି କହିଲେ, ମୁଁ ସେହି ପିତୃହନ୍ତାକୁ ନିଶ୍ଚୟ ବଧ କରିବି। ଉପାୟ କୁହ। ଉପାୟ କୁହ ମନ୍ତ୍ରୀବର।
ମନ୍ତ୍ରୀ କୁରୁପାଳ କହିଲେ, ଉପାୟ ଅଛି ମହାରାଜ! ଉପାୟ ଅଛି!! କୈଳାସ କନ୍ଦରରେ ପ୍ରଭୁ ଶିବଙ୍କ ଭୂବନ। ଶିବ ପୁରୀର ଦକ୍ଷିଣ ଦ୍ୱାରରେ ଦ୍ଵାରପାଳ ରୂପେ ଦ୍ଵାରଜଗି ବସିଛନ୍ତି ଗିରିଜାନନ୍ଦନ ଗଣେଶ। ଆପଣ ତାଙ୍କର କୃପାପ୍ରାପ୍ତ ହେଲେ ଇନ୍ଦ୍ରଙ୍କୁ ଜିଣିବା ପାଇଁ ସମର୍ଥ ହେବେ। ପର ଦିନ ପ୍ରଭାତରୁ ଅସୁର ରାଜ ସ୍ନାନାଦି ସାରି ମନ୍ତ୍ରୀଙ୍କୁ ସାଙ୍ଗ କରି କୈଳାସ ଅଭିମୁଖେ ଯାତ୍ରା କଲେ।
କୈଳାସ କନ୍ଦରର ଦକ୍ଷିଣ ଦ୍ଵାରରେ ପହଞ୍ଚି ଅସୁର ରାଜ, ମନ୍ତ୍ରୀଙ୍କୁ ପଚାରିବାରୁ ସେ ତାଙ୍କୁ ଗଣେଶଙ୍କୁ ଦେଖେଇ ଦେଲେ। ଗଣନାଥଙ୍କ ମନୁଷ୍ୟ ଶରୀର ଆଉ ଗଜବଦନକୁ ଦେଖି ଦୈତ୍ୟରାଜ ଜୋରରେ ହସିହସି କହିଲେ, ଏହି ତାହେଲେ ପ୍ରଭୁ ଗଣେଶ। ତୁମେ ମୋତେ ପରିହାସ କରୁନାହଁତ ମହାମନ୍ତ୍ରୀ। ମନ୍ତ୍ରୀ ହାତ ଯୋଡ଼ି କହିଲେ, ନାଁ ପ୍ରଭୁ! ଶୁଣନ୍ତୁ ମୁଁ ଗଣେଶଙ୍କ କାହାଣୀ ବିସ୍ତାର କରି କହୁଛି।
ଥରେ କୈଳାସପତି ମହାଦେବ ବୃଷଭ ବାହନରେ ବିଶ୍ଵ ଭ୍ରମଣରେ ବାହାରିଲେ। ବୁଲି ବୁଲି ସେ ଯାଇ ସ୍ବର୍ଗରେ ପହଞ୍ଚିଲେ। ଉପସ୍ଥିତ ଦେବଗଣ ଆସନରୁ ଉଠି ତାଙ୍କୁ ପ୍ରଣାମ କଲେ। ସେଠାରୁ ଯଥା ସମ୍ମାନ ପାଇ ସେ ଯାଇ ସାବର୍ଣ୍ଣି ପୁରରେ ପହଁଚି ଦେଖିଲେ ସେଠାରେ ବ୍ରହ୍ମା ଧ୍ୟାନରେ ଅଛନ୍ତି। ଶଙ୍କରଙ୍କୁ ଦେଖି ବ୍ରହ୍ମାଙ୍କ ଧ୍ୟାନ ଭାଙ୍ଗିଯିବାରୁ ସେ ପଚାରିଲେ, ପ୍ରଭୁ! ଆପଣ କେଉଁଠୁ ଆସିଲେ।
ସଦାଶିବ କହିଲେ, ମୁଁ ଏବେ ସ୍ଵର୍ଗ ଭ୍ରମଣ କରି, ଆସିଲି। ତୁମ୍ଭଙ୍କୁ ସାକ୍ଷାତ କରି କୈଳାସକୁ ଫେରିଯିବି। କହିଲ, ତୁମେ ଏବେ କି କି ବେଦ ସବୁ ଅଭ୍ୟାସ କରୁଛ। ବ୍ରହ୍ମା କହିଲେ, ମୁଁ ତ ସର୍ବଦା ମୋର ଚାରି ମୁଖରେ ଚାରି ବେଦକୁ ଘୋଷି ହେଉଥାଏ, ତାହାହିଁ କରୁଥିଲି।
ମହାଦେବ କହିଲେ, ମୁଁ ପରା ମୋ ପଞ୍ଚ ମୁଖରେ ପଞ୍ଚ ବେଦକୁ ସର୍ବଦା ଗାଉଥାଏ। ବ୍ରହ୍ମା କହିଲେ, ମୁଁ କ’ଣ ତାହା ଜାଣି ନାହିଁ। ଏଇ ଦେଖନ୍ତୁ। ଏହାକହି ବ୍ରହ୍ମା ତାଙ୍କ ଚାରିମୁଣ୍ଡ ଉପରେ ଆଉଗୋଟିଏ ମୁଣ୍ଡ ଉତ୍ପନ୍ନ କରି ପଞ୍ଚମବେଦ ଗାନକରିବାକୁ ଲାଗିଲେ।
ଏହାଦେଖି ମହାଦେବ ଖୁବ୍ କ୍ରୋଧିତହୋଇ ଗୋଟିଏ ଚାପୁଡ଼ା ମାରି, ବ୍ରହ୍ମାଙ୍କ ପଞ୍ଚମ ଶିରଟିକୁ ଛିଡ଼େଇ ଦେଲେ। ବ୍ରହ୍ମାଙ୍କ ସେହି ମୁଣ୍ଡଟି ଛିଡ଼ି ଯାଇ ଶିବଙ୍କ ହାତରେ ଲାଗିରହିଲା। ସେ ଯେତେ ଚେଷ୍ଟାକଲେ ବି ତାହା ତାଙ୍କ ହାତରୁ ଆଉ ଛାଡ଼ିଲା ନାହିଁ। ସେ ଲଜ୍ଜାରେ ଆଉ କୈଳାସ ନଯାଇ ହଟକେଶ୍ୱର ତୀର୍ଥକୁ ଯାଇ ତପସ୍ୟା ଆରମ୍ଭ କଲେ। ତପସ୍ୟାରେ ତାଙ୍କର ବହୁ କାଳ ବ୍ୟତିତ ହୋଇଗଲା।
ଶିବଙ୍କ ଦୀର୍ଘ ଅନୁପସ୍ଥିତି ଯୋଗୁଁ କୈଳାସ ପୁରରେ ପାର୍ବତୀ ବହୁ ଚିନ୍ତିତ ହୋଇପଡ଼ିଲେ। ପ୍ରାଣପତିଙ୍କ ବାହୁଡା଼ କାମନାକରି ସେ ମଧ୍ୟ ଅଖଣ୍ଡ ତପସ୍ୟାରେ ନିମଗ୍ନ ରହିଲେ। ଧ୍ୟାନ ବଳରେ ପାର୍ବତୀ ଜାଣି ପାରିଲେ ମହାଦେବ ବ୍ରହ୍ମହତ୍ୟା ଦୋଷ ମୋଚନ ନିମନ୍ତେ ହଟକେଶ୍ୱର ତୀର୍ଥରେ ତପସ୍ୟା କରୁଛନ୍ତି। ଏହି ପରି କିଛି ଦିନ ବିତିଗଲା ଓ କ୍ରମେ ବସନ୍ତ କାଳ ଆସି ପହଞ୍ଚିଲା।
ଦିନେ ପାର୍ବତୀ ସଖୀ ମାନଙ୍କ ଗହଣରେ କୈଳାସ ପର୍ବତ ପୂର୍ବଭାଗରେ ଥିବା ସୁନ୍ଦର ଉପବନକୁ ପୁଷ୍ପ ଚୟନପାଇଁ ଗଲେ। ସେ ଦେଖିଲେ ବନରେ ପକ୍ଷୀ ଗଣ ସୁନ୍ଦର କଳରବ କରି ଉଡ଼ି ବୁଲୁଛନ୍ତି। ଭ୍ରମର ଗଣ ମଦମତ୍ତ ହୋଇ ଏ ଫୁଲରୁ ସେ ଫୁଲକୁ ଉଡ଼ି ମଧୁପାନ କରୁଛନ୍ତି। ବନର ଏପରି ଶୋଭା ଦେଖି ପାର୍ବତୀ ସ୍ଵାମୀଙ୍କ ବିରହ ଜ୍ୱାଳାରେ ଘାରି ହେଲେ।
କାମଭାବ ଜାତ ହୋଇ ତାଙ୍କ ଶରୀର ରୋମାଞ୍ଚିତ ହେଲା। ଫଳରେ, ତାଙ୍କର ରେତ ସ୍ଖଳିତ ହେଲା। ପାର୍ବତୀ ସେହି ରେତକୁ ହସ୍ତରେ ତୋଳି ଧରିଲେ। ସ୍ବାମୀଙ୍କୁ ସୁମରଣା ପୂର୍ବକ ଦେବୀ ସେହି ରେତରେ ଶିବଙ୍କ ବିଭୂତି ମିଶାଇ ସେଥିରେ ଗୋଟିଏ ସୁନ୍ଦର ପିତୁଳା ଗଢ଼ି ଦେଲେ। ସେହି ପିତୁଳାକୁ ମନ୍ତ୍ର ପଢ଼ି ପାର୍ବତୀ ଜୀବନ୍ନ୍ୟାସ ଦେବାରୁ ତହିଁରୁ ଗଣନାଥଙ୍କ ଆବିର୍ଭାବ ଘଟିଲା।
ପୁତ୍ରକୁ କୋଳରେ ଧରି, ସ୍ତନ୍ୟ ପାନ କରାଇଲେ ମାଆ ପାର୍ବତୀ। ସ୍ତନ୍ୟପାନ କରି ପୁତ୍ରଟି ତତ୍କ୍ଷଣାତ୍ ଖୁବ୍ ବଳବାନ ହୋଇଗଲା ଏବଂ ମାଆଙ୍କୁ ପଚାରିଲା, ମୁଁ କି କାର୍ଯ୍ୟ କରିବି ମୋତେ ଆଦେଶ ଦିଅନ୍ତୁ। ପାର୍ବତୀ କହିଲେ, ବାବୁ ଆଜିଠୁଁ ତୁ କୈଳାସ ପୁରର ଦକ୍ଷିଣ ଦ୍ଵାରର ରକ୍ଷକ ହୋଇ ଦ୍ଵାର ଜଗି ବସ। ମାତାଙ୍କ ଆଦେଶରେ ଗଣନାଥ ଦକ୍ଷିଣ ଦ୍ବାର ଜଗି ବସିଲେ।
ଇଆଡ଼େ ଶିବଙ୍କ ତପସ୍ୟା ଶେଷ ହୋଇ ଗଲା। ଜଟାଜୄଟହୋଇ ଶଙ୍କର ଆସି କୈଳାସରେ ପହଞ୍ଚି ଭିତରକୁ ଯିବାକୁ ଉଦ୍ୟତ ହୁଅନ୍ତେ ଗଣପତି ବାଧାଦେଲେ। ଶିବ ଖୁବ୍ କ୍ରୋଧିତ ହୋଇ ହସ୍ତରେ ଧରିଥିବା କୁଠାରରେ ତାଙ୍କ ମୁଣ୍ଡ କାଟି ଦେଲେ। ପୁତ୍ର ମୁଣ୍ଡ କାଟିଦେଇ ଶିବ ଭିତରକୁ ଚାଲିଗଲେ। ସ୍ବାମୀଙ୍କୁ ଦେଖି ପାର୍ବତୀ ବହୁ ଖୁସି ହେଲେ। କିନ୍ତୁ ତାଙ୍କ କୁଠାରରେ ରକ୍ତ ଲାଗିଥିବାର ଦେଖି ଚମକି ପଡ଼ିଲେ।
ସେ ତାଙ୍କୁ ପଚାରିବାରୁ ଶିବ ସବୁ କଥା କହିଲେ। ପାର୍ବତୀ କାନ୍ଦି କାନ୍ଦି ଶିବଙ୍କ ପାଦତଳେ ପଡ଼ି କହିଲେ, ହେ ନାଥ! ଆପଣ ଯାହାକୁ ହତ୍ୟା କରିଛନ୍ତି ସେ ଆପଣଙ୍କ ପୁତ୍ର। ଶିବ ଅତି ଆଶ୍ଚର୍ଯ୍ୟ ହୋଇ କହିଲେ, ମୋ ପୁତ୍ର! ତୁମେ କଅଣ କହୁଚ୍ଛ ଉମା! ସେ ମୋ ପୁତ୍ର କିପରି ହେଲା! ପାର୍ବତୀ ପୁତ୍ରର ଜନ୍ମକଥା ଶିବଙ୍କୁ ଶୁଣାଇଦେଲେ। ପୁତ୍ର କଥା ଶୁଣି ମହାଦେବ ପାର୍ବତୀଙ୍କୁ ଧରି ସଙ୍ଗେ ସଙ୍ଗେ ଯାଇ ଦକ୍ଷିଣ ଦ୍ୱାରରେ ପହଞ୍ଚି ଦେଖନ୍ତି ସେ ବାଳକର ଖାଲି ଗଣ୍ଡିଟି ପଡ଼ିଛି ତା ମୁଣ୍ଡକୁ ଗୋଟିଏ ରାକ୍ଷସୀ ଖାଇଦେଇଛି। ପାର୍ବତୀଙ୍କ ଆଉ ଶୋକର ସୀମା ରହିଲା ନାହିଁ।
ପାର୍ବତୀଙ୍କୁ ଆଶ୍ଵାସନା ଦେଇ ଶିଵ ଦେଖିଲେ ପାଖରେ ଉତ୍ତର ଆଡ଼କୁ ମୁଣ୍ଡ କରି ଗୋଟିଏ ହାତୀ ଶୋଇଛି। ସେ କୁଠାରରେ ସଙ୍ଗେ ସଙ୍ଗେ ହାତୀ ମୁଣ୍ଡଟି କାଟି ଆଣି ଶିଶୁର କବନ୍ଧରେ ଯୋଡ଼ି ଦେଇ ତାକୁ ଜୀବନ୍ୟାସ ଦେଲେ ଓ ତାଙ୍କର ନାମଦେଲେ ଗଣନାଥ। ସେହିଦିନରୁ ସେ ଗଣେଶ ଗଣପତି ଗଣେଶ୍ୱର ଗଜାନନ ଆଦି ବହୁ ନାମରେ ପରିଚିତ ହେଲେ। ତୁମେ ସେହି ବିଘ୍ନ ନାଶନ ପ୍ରଭୁ ଗଣନାଥଙ୍କ କୃପା ଭିକ୍ଷା କର। ତୁମେ ନିଶ୍ଚୟ ସିଦ୍ଧ କାମ ହେବ ଏଥିରେ ସନ୍ଦେହ ନାହିଁ। ଏହା ହିଁ ଶ୍ରୀଗଜାନନ ଗଣେଶ୍ୱରଙ୍କ ଜନ୍ମ ବୃତ୍ତାନ୍ତ।
ଶୂଦ୍ରମୁନି ଶାରଳାଦାସ ମହାଭାରତର ମଧ୍ୟପର୍ବରେ ଏହି କାହାଣୀ ଶେଷ କରି କହିଲେ :-
କୁରୁପାଳ ମନ୍ତ୍ରୀ ଏହା ବିସ୍ତାରି କହିଲା।
ମୂଢ଼ାସୁର ଶୁଣି ଅତି ହରଷ ହୋଇଲା।।
ଗଣନାଥ ଛାମୁରେ ସେ ମିଳିଲାକ ଯାଇ।
ଖଣ୍ଡେଦୂରୁ ଦେଖି ତାଙ୍କ ଚରଣେ ପଡ଼ଇ।।
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୪୦୯୨୯୭୧