ଶାନ୍ତନୁ କୁମାର ପରିଡ଼ା
ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କ ମତ ଥିଲା – “ଜୀବନ ଓ ସମୟ ଦୁନିଆଁର ଦୁଇ ଶ୍ରେଷ୍ଠ ଶିକ୍ଷକ । ଜୀବନ ଆମକୁ ସମୟର ସଦୁପଯୋଗ କରିବା ପାଇଁ ଶିକ୍ଷା ଦିଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ଉପରେ ଜ୍ଞାନ ଆହରଣ କରାଏ।ଶିକ୍ଷକତା ଏକ ଆଦର୍ଶ ବୃତ୍ତି, ଯାହାକି ଜଣେ ଶିକ୍ଷାର୍ଥୀର ଚରିତ୍ର, ଦକ୍ଷତା ଓ ଭବିଷ୍ୟତ ଗଠନ କରିଥାଏ। ଯଦି ଲୋକମାନେ ମୋତେ ଜଣେ ଭଲ ଶିକ୍ଷକ ଭାବରେ ମନେ ରଖିବେ, ତାହା ହିଁ ହେବ ମୋ ପାଇଁ ସର୍ବଶ୍ରେଷ୍ଠ ସମ୍ମାନ।”
ଶିକ୍ଷା ଏକ ଜୀବନ ବ୍ୟାପି ଓ ଅସରନ୍ତି ପ୍ରକ୍ରିୟା। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ, ପ୍ରତ୍ୟେକ ସ୍ଥାନରେ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଆମେ କିଛି ନା କିଛି ଶିଖିଥାଉ। ପରିବାର, ଗୋଷ୍ଠି, ସମାଜ ଆଦି ଅନୁଷ୍ଠାନ ମାନଙ୍କରେ ଆମେ ଦୈନନ୍ଦିନ ଜୀବନର ଚାଲି ଚଳଣି, ଆଚାର ବ୍ୟବହାର, ସଂଯମତା, ନୈତିକ ମୂଲ୍ୟବୋଧ ଆଦି ବହୁ ସଦଗୁଣ ପିତା -ମାତା, ଭାଇ- ଭଉଣୀ, ଆତ୍ମୀୟ ସ୍ୱଜନ ତଥା ବନ୍ଧୁ ବାନ୍ଧବଙ୍କ ଠାରୁ ଅନୌପଚାରିକ ଭାବେ ଆହରଣ କରି ଥାଉ। ସେହିଭଳି ଶିକ୍ଷାନୁଷ୍ଠାନର ଶ୍ରେଣୀ ପ୍ରକୋଷ୍ଠ ମଧ୍ୟରେ ବିଭିନ୍ନ ବିଷୟର ଶିକ୍ଷକଙ୍କଠାରୁ ଔପଚାରିକ ଭାବେ ଆମେ ଜ୍ଞାନ ଗ୍ରହଣ କରିବା ସହ ନିଜ ଜୀବନକୁ ପରିପୁଷ୍ଟ କରୁ। ଦାର୍ଶନିକ ଡାଇଓଜିନିସଙ୍କ ମତରେ – ” ଶିକ୍ଷା ହେଉଛି ଯୁବକ ମାନଙ୍କ ପ୍ରତି ଏକ ନିୟନ୍ତ୍ରଣକାରୀ ଆଶୀର୍ବାଦ, ବୃଦ୍ଧ ମାନଙ୍କ ପ୍ରତି ସାନ୍ତ୍ଵନା, ଦରିଦ୍ର ମାନଙ୍କ ପାଇଁ ସମ୍ପତ୍ତି ଓ ଧନୀ ବ୍ୟକ୍ତିଙ୍କ ପାଇଁ ଅଳଙ୍କାର ସଦୃଶ।”
ପ୍ରତ୍ୟେକ ଶିଶୁର ବିକାଶ ମୁଖ୍ୟତଃ ଦୁଇଟି ଉପାଦାନ ଯଥା – ବଂଶାନୁଗୁଣ ଓ ପରିବେଷ୍ଟନୀ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ବଂଶାନୁଗୁଣ ମାଧ୍ୟମରେ ପିତା ମାତା ଓ ପୂର୍ବ ପୁରୁଷଙ୍କଠାରୁ ଶିଶୁଟି ଶାରିରୀକ ଗଠନ, ରଙ୍ଗ, ଗୁଣ, ଶକ୍ତି, ସାମର୍ଥ୍ୟ, ମାନସିକ ତଥା ଆବେଗିକ ଗୁଣାବଳୀ ବହନ କରିଥାଏ। ସେହିଭଳି ଉପଯୁକ୍ତ ପରିବେଷ୍ଟନୀ ପାଇଲେ ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ବିଭିନ୍ନ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚାଲିବାର କଳା ଶିଖି ଥାଏ। ଯଦିଓ ଜନ୍ମ ହୋଇ ସାରିବା ପରେ ଆମେ ଆମ ବଂଶାନୁଗୁଣକୁ ବଦଳେଇ ପାରିବା ନାହିଁ, ମାତ୍ର ପରିବେଷ୍ଟନୀ ପରିବର୍ତ୍ତନ କରି ଆମ ବ୍ୟବହାର ଓ ପାରିପାର୍ଶ୍ବିକ ସଂପର୍କକୁ ସୁମଧୁର କରି ପାରିବା। ଜଣେ ଶିକ୍ଷାର୍ଥୀ ବିଦ୍ୟାଳୟରେ ଅଧ୍ୟୟନ କରିବା ଦିନଠାରୁ ସର୍ବଦା ନିଜ ଶିକ୍ଷକଙ୍କୁ ଅପେକ୍ଷାକୃତ ଅଧିକ ବିଶ୍ୱାସ କରିଥାଏ। ତାର ଭରସା ଥାଏ ଯେ , ଯେଉଁ ବିଷୟରେ ତାକୁ ଶିକ୍ଷକ ଯାହା ଜ୍ଞାନ ଦେଇଛନ୍ତି, ତାହା ହିଁ ନିର୍ଭୂଲ୍ ଓ ସତ୍ୟ। ସେହି ଦୃଷ୍ଟିରୁ ଶିକ୍ଷାଦାନ ସମୟରେ ଶିକ୍ଷକ ନିଜ ପଢ଼ାଇବାର ଶୈଳୀକୁ ଅଧିକ ଆକର୍ଷଣୀୟ ତଥା ନିର୍ଭୁଲ ଭାବରେ ଉପସ୍ଥାପନା କରିବା ସହ ପୁସ୍ତକରେ ଲିଖିତ ବିଦ୍ୟା ଓ ନିଜସ୍ବ ଅନୁଭୂତିକୁ ଗୁରୁତ୍ଵ ଦେବା ଉଚିତ। କାରଣ ଯେକୌଣସି ବିଷୟକୁ ସବିଶେଷ ତଥ୍ୟ ଅନୁସାରେ ସଠିକ୍ ଭାବେ ଉପସ୍ଥାପନା କରି ପାରିଲେ ତାହା ଅପେକ୍ଷାକୃତ ସହଜ ଓ ସୁବୋଧ୍ୟ ହୋଇଥାଏ। ସାଧାରଣତଃ ଏକ ଶ୍ରେଣୀରେ ମାନସିକ ଚିନ୍ତାଧାରା ଓ ବୋଧଶକ୍ତି ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଶିକ୍ଷାର୍ଥୀ ଶିକ୍ଷାଲାଭ କରି ଥାନ୍ତି। ସେମାନଙ୍କୁ ମୁଖ୍ୟତଃ ତିନି ଭାଗରେ କରା ଯାଇପାରେ ; ଯଥା – ବିଦ୍ୱାନ୍ ବା ଅଧିକ ବୁଦ୍ଧିମାନ, ସାଧାରଣ ବର୍ଗ ଓ ଅଳ୍ପ ବୁଦ୍ଧି ସମ୍ପନ୍ନ। ଏ ସମସ୍ତ ପ୍ରକାର ଶିକ୍ଷାର୍ଥୀଙ୍କୁ ଜଣେ ଶିକ୍ଷକଙ୍କ ସମାନ ପ୍ରକାର ଶିକ୍ଷାଦାନ କୌଶଳ କଦାପି ସନ୍ତୋଷ ଦେଇ ପାରିବ ନାହିଁ । ଶ୍ରେଣୀ କୋଠରୀରେ ଶିକ୍ଷକଙ୍କ ଶିକ୍ଷାଦାନ ସମୟରେ ଏକ ନିର୍ଦ୍ଧିଷ୍ଟ ବିଷୟକୁ ବୁଦ୍ଧିମାନ ପିଲାମାନେ ଯେତେ ସହଜରେ ବୁଝି ପାରନ୍ତି, ଅଳ୍ପ ବୁଦ୍ଧି ସମ୍ପନ୍ନ ପିଲାମାନଙ୍କ ତାହା ବୁଝିବା ପାଇଁ ଅପେକ୍ଷାକୃତ କଠିନ ହୋଇଥାଏ।ଏଥିପାଇଁ ଶିକ୍ଷକଙ୍କୁ ସମସ୍ତ ଶିକ୍ଷାର୍ଥୀଙ୍କ ଗ୍ରହଣୀୟତା ଉପରେ ଦୃଷ୍ଟି ରଖିବାକୁ ହୁଏ।
ସାରା ବିଶ୍ବରେ ଯେତେ ବୃତ୍ତି ଅଛି, ସବୁଠାରୁ ଆଦର୍ଶ ଓ ଶ୍ରେଷ୍ଠ ବୃତ୍ତି ହେଉଛି ଶିକ୍ଷକତା। କାରଣ ପ୍ରତ୍ୟେକ ମଣିଷଙ୍କ ଜୀବନ ଗଢ଼ିବାରେ ଅଭିବୃଦ୍ଧି ଓ ବିକାଶର ବିଭିନ୍ନ ସ୍ତରରେ ଶିକ୍ଷକମାନଙ୍କ ଭୂମିକା ରହିଛି । ଶିକ୍ଷକ ପ୍ରତ୍ୟେକ ଦିନ ଛାତ୍ର ଛାତ୍ରୀଙ୍କୁ ନୂତନ ଜ୍ଞାନ ପ୍ରଦାନ କରିବା ସହ ପୁସ୍ତକରେ ଲିଖିତ ବିଦ୍ୟାକୁ ଦୈନନ୍ଦିନ ବାସ୍ତବ ଜୀବନରେ କିପରି ପ୍ରୟୋଗ କରିହେବ, ସେହି ଦିଗରେ ଯତ୍ନବାନ ହେବା ଉଚିତ। ଜଣେ ଶିକ୍ଷକଙ୍କ ସବୁଠାରୁ ବଡ଼ ପାପ ହେଉଛି, ତାଙ୍କ ଶିକ୍ଷାଦାନ ସମୟରେ ଶ୍ରେଣୀରେ ଛାତ୍ର ଛାତ୍ରୀମାନେ ବିରକ୍ତି ପ୍ରକାଶ କରିବା। କାରଣ କୌଣସି ବିଷୟ କଷ୍ଟକର ନୁହେଁ, ଶିକ୍ଷକଙ୍କ ବୁଝାଇ ପାରିବା କ୍ଷମତାର ଅଭାବ ଯୋଗୁଁ ହିଁ ନିର୍ଦ୍ଧିଷ୍ଟ ବିଷୟଟି ପିଲାଙ୍କୁ କଷ୍ଟ ଲାଗେ।
ଜଣେ ଆଦର୍ଶ ଶିକ୍ଷକ ଶ୍ରେଣୀରେ ପାଠ ପଢ଼ାଇବା ବେଳେ ସମସ୍ତ ଶିକ୍ଷାର୍ଥୀଙ୍କ ଉପରେ ନଜର ରଖିଥାନ୍ତି , ଯେପରିକି ପ୍ରତ୍ୟେକ ପିଲା ଅନୁଭବ କରିବେ ଯେ ତା’ର ଶିକ୍ଷକ କେବଳ ତାକୁ ହିଁ ପଢ଼ାଉଛନ୍ତି। ଯେହେତୁ ଶିକ୍ଷାର୍ଥୀ ମାନଙ୍କ ପାଇଁ ଜଣେ ଶିକ୍ଷକ ଏକାଧାରରେ ବନ୍ଧୁ, ଦାର୍ଶନିକ ଓ ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରନ୍ତି। ତାଙ୍କର ବ୍ୟକ୍ତିଗତ ଚରିତ୍ର, ବ୍ୟକ୍ତିତ୍ଵ, ସାଧୁତା , ବ୍ୟବହାର, କାର୍ଯ୍ୟ କରିବାର ଶୈଳୀ , ଶିକ୍ଷାଦାନ କୌଶଳ, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ସହନଶୀଳତା,ଉଦାରତା ଆଦି ଭଲ ଗୁଣ ସବୁ ପିଲା ମାନଙ୍କୁ ସୁ-ମଣିଷ ହେବା ପାଇଁ ପ୍ରେରିତ କରିଥାଏ।