ବିଜେପିରେ ଯୋଗଦେଲେ ତରଭା ବ୍ଲକର ବହୁ ସମିତି ସଭ୍ୟ ଓ ସରପଞ୍ଚ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶାରେ ବଦଳିଛି ସରକାର, ଏହା ସହ ଆସ୍ତେ ଆସ୍ତେ ବଦଳୁଛି ରାଜନୈତିକ ସମୀକରଣ l ବିଜେଡିର ହେଭି ୱେଟ୍ ନେତାଙ୍କ ଗଡ କୁହାଯାଉଥିବା ବବି ଦାସଙ୍କ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଠୁ ଧରି ନିରଞ୍ଜନ ପୂଜାରୀଙ୍କ ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀ ତଥା ତରଭା ବ୍ଲକରେ ଭୁଶୁଡୁଛି ବିଜେଡିର ଗଡ l ଜିଲ୍ଲାରେ ବିଜେଡି ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗଡ଼ କୁହାଯାଉଥିବା ତରଭା ବ୍ଲକରେ ବିଜେଡିରୁ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି ୨୦ ରୁ ଉର୍ଦ୍ଧ୍ବ ସମିତି ସଭ୍ୟ, ସରପଞ୍ଚ ଓ ପ୍ୟାକସ୍ ସଭାପତି l ଏହି ଅଞ୍ଚଳରୁ ଶ୍ରୀ ପୂଜାରୀ ସର୍ବାଧିକ ଭୋଟ ପାଇ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକଙ୍କ ଅନୁଗତ ସରୋଜ କମ୍ପ ତରଭା ପଞ୍ଚାୟତ ସମିତି ଅଧକ୍ଷ ଥିବାବେଳେ ସାମୂହିକ ଦଳ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଲୋକ ପ୍ରତିନିଧି ମାନେ ସାମୂହିକ ଇସ୍ତଫା ଦେବା ସହ ସାନନ୍ଦ ମେହେର ଓ ବିମଳ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ୍ଙ୍କୁ ତାଙ୍କ ବଲାଙ୍ଗୀର ସ୍ଥିତ ବାସଭବନରେ ସାକ୍ଷାତ କରି ବିଜେପିରେ ସାମିଲ ହୋଇଛନ୍ତି ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ l ନୂତନ ଭାବେ ବିଜେପିରେ ଯୋଗ ଦେଇଥିବା ଲୋକ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ବିକଶିତ ଭାରତ ଆହ୍ୱାନକୁ ସମର୍ଥନ ସହ ଜନହିତକର ନୀତି ଏବଂ ନିର୍ଣ୍ଣାୟକ ନେତୃତ୍ୱ ପ୍ରତି ସେମାନଙ୍କର ବିଶ୍ୱାସ ସହ ଅଭିବୃଦ୍ଧି ପ୍ରତି ବିଜେପିର ପ୍ରତିବଦ୍ଧତା ଉପରେ ଲୋକଙ୍କ ବିଶ୍ୱାସ ପାଇଁ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି l