ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଖଡଗପୁର ବିଭାଗର ରେଳ ସୁରକ୍ଷା ବଳ ଟ୍ରେନ ଓ ଷ୍ଟେସନ୍ଗୁଡ଼ିକରେ ଅନଧିକୃତ ବୁଲାବିକାଳୀ ଓ ବ୍ୟବସାୟୀଙ୍କ ବିରୁଦ୍ଧରେ କଡାକଡି ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟାନୁଷ୍ଠାନ ରେଳ ଆଇନ ୧୯୮୯ ର ଧାରା ୧୪୪(୧) ଅନୁସାରେ କରାଯାଉଛି, ଯଦ୍ୱାରା ରେଳ ଷ୍ଟେସନ୍ ପରିସର ଓ ରେଳ ବଗି ଭିତରେ ବିନା ଅନୁମତିରେ କୌଣସି ସାମଗ୍ରୀ ବିକ୍ରି କରିବା ନିଷେଧ ଅଟେ।
ଗତ ତିନିବର୍ଷରେ ଏହି ଅଭିଯାନ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦୨୩ ମସିହାରେ ୧୪୫୧ ଜଣ ଅନଧିକୃତ ବ୍ୟବସାୟୀଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୯,୪୦,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୨୪ରେ ୨୫୭୪ ଜଣଙ୍କୁ ଗିରଫ କରାଯିବା ସହ ୧୧,୮୮,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୨୫ର ଅଗଷ୍ଟ ମାସ ସୁଦ୍ଧା ୧୯୪୫ ଜଣ ଗିରଫ ହୋଇଛନ୍ତି ଓ ସେମାନଙ୍କ ଠାରୁ ୯,୭୦,୫୪୫ ଟଙ୍କା ଜରିମାନା ଆଦାୟ କରାହୋଇଛି।
ରେଳ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏହି ଅଭିଯାନର ପରିଣାମ ଯାତ୍ରୀଙ୍କ ଅନୁଭବରେ ସକାରାତ୍ମକ ପ୍ରଭାବ ପକାଇଛି। ଅନଧିକୃତ ବୁଲାବିକାଳୀଙ୍କୁ ହଟାଇବାରୁ ପ୍ଲାଟଫର୍ମ, ଫୁଟଓଭର ବ୍ରିଜ୍ ଓ ବଗି ଭିତରେ ଭିଡ଼ କମିବା ଫଳରେ ଯାତ୍ରୀଙ୍କ ଗମନାଗମନ ଅଧିକ ସୁରକ୍ଷିତ ଓ ସୁଗମ ହୋଇପାରିଛି। ସେହିପରି ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଅନଧିକୃତ ବ୍ୟବସାୟୀମାନେ ସାଧାରଣତଃ ସ୍ୱଚ୍ଛତା ମାନଦଣ୍ଡ ଅନୁପାଳନ କରୁନଥିଲେ ଓ ଅନାବଶ୍ୟକ ଆବର୍ଜନା ଏଣେତେଣେ ପକାଉଥିଲେ।
ଏହି ପଦକ୍ଷେପ ଯୋଗୁଁ ନିୟମିତ ନିୟମ ମାନି କାରବାର କରୁଥିବା ଲାଇସେନ୍ସଧାରୀ କ୍ୟାଟରିଂ ୟୁନିଟ୍ମାନଙ୍କୁ ସୁରକ୍ଷା ମିଳିଛି। ଏହି କାର୍ଯ୍ୟାନୁଷ୍ଠାନ ଛୋଟ-ମୋଟ ଅପରାଧିକ କାର୍ଯ୍ୟକଳାପ ଓ ଅସାମାଜିକ କ୍ରିୟାକଳାପରେ ମଧ୍ୟ ନିୟନ୍ତ୍ରଣ ଆଣିପାରିଛି।
କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏହା କେବଳ ଆଇନ-ଶୃଙ୍ଖଳାର କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ପରିବେଶ ସୃଷ୍ଟି କରିବାର ଏକ ସୁଚିନ୍ତିତ ପ୍ରୟାସ। ଭାରତୀୟ ରେଳ ଆଶ୍ୱାସନ ଦେଇଛି ଯେ, ଏପରି ଅଭିଯାନ ନିରନ୍ତର ଚାଲିବ ଏବଂ ଏହା ଫଳରେ ଯାତ୍ରୀମାନେ ସୁରକ୍ଷା ଓ ଉତ୍ତମ ସେବା ପାଇ ପାରିବେ।