ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି ଜଣାଇଲେ ବସ୍ତା ବିଧାୟିକା ସୁବାସିନୀ ଜେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ବର୍ଷାକାଳୀନ ଅଧିବେଶନର ପ୍ରଥମ ଦିବସରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ସୁବାସିନୀ ଜେନା ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।‌ ଗତ ଜୁନ୍ ୨୦ ତାରିଖରୁ ଅଗଷ୍ଟ ୨୪ ତାରିଖ ମଧ୍ୟରେ ବସ୍ତା ନିର୍ବାଚନମଣ୍ଡଳୀର ବସ୍ତା ଓ ବାଲିଆପାଳରେ ୬ ଥର ବନ୍ୟା ହୋଇଛି, ଯାହା ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ପ୍ରଥମ ଏବଂ ଏହାର ପ୍ରଭାବରେ ପ୍ରଥମ ଥର ପାଇଁ ପ୍ରାୟ ୫ ଶହ ଏକର ଜମି ଚାଷ ନହୋଇ ପାରି ପଡିଆ ପଡିଛି। ଚାଷୀକୁଳ ଶେଷ ଥର ପାଇଁ ଯେଉଁ ତଳି ପକାଇଥିଲେ ଓ ଧାନ ରୋଇଥିଲେ ସେସବୁକୁ ବନ୍ୟା ସଂପୂର୍ଣ୍ଣ ଧୋଇ ନେଇଛି। ଫଳରେ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି । ତେଣୁ ସରକାରୀ ନିୟମରେ କୋହଳ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷୟକ୍ଷତି ଭରଣା କରିବାର ବ୍ୟବସ୍ଥା ସରକାର କରିବେ କି ବୋଲି ଶ୍ରୀମତୀ ଜେନା ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲାରେ ଚଳିତ ବର୍ଷ ଜୁନ୍ ୨୦ରୁ ଅଗଷ୍ଟ ୨୪ ତାରିଖ ମଧ୍ୟରେ ବସ୍ତା ନିର୍ବାଚନମଣ୍ଡଳୀରେ ବସ୍ତା ଓ ବାଲିଆପାଳରେ ୬ ଥର ବନ୍ୟା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୮୯ ହେକ୍ଟର ଚାଷଜମିର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କ ତରଫରୁ ୪୩୩୮୫୯ ଟଙ୍କା ସହାୟତା ରାଶି ଜିଲ୍ଲାକୁ ପ୍ରଦାନ କରାଯାଇଛି । ହିତାଧିକାରୀମାନଙ୍କୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଅଧିକାରୀଙ୍କ ଦ୍ବାରା ପଦକ୍ଷେପ ଗ୍ରହଣ କରାଯାଉଛି। ଏଥି ସହିତ ସୁବର୍ଣ୍ଣରେଖା ନଦୀରେ ବାରମ୍ଵାର ବନ୍ୟା ଯୋଗୁଁ ଚାଷ ଜମିରେ ଧାନ ରୁଆ କାର୍ଯ୍ୟ ହୋଇ ପାରିନାହିଁ । ଯାହାବି ତଳି ପକାଯାଇଥିଲା ତାହା ବନ୍ୟା ଯୋଗୁଁ ଧୋଇ ହୋଇଯାଇଛି, ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରଭାବିତ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି । ତଦନୁଯାୟୀ ଦ୍ଵିତୀୟ ପର୍ଯ୍ୟାୟରେ ୭୫୧୧ ହେକ୍ଟର ଚାଷଜମିର କ୍ଷୟକ୍ଷତି ଆକଳନ କରାଯାଇଛି, ଯାହାର ସହାୟତା ରାଶି ସରକାରଙ୍କ ୬ କୋଟି ୩୮ ଲକ୍ଷ ଟଙ୍କା ବାଲେଶ୍ବର ଜିଲ୍ଲାକୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଉଛି ବୋଲି ସେ ଉତ୍ତର ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.