ବିଧାନସଭାରେ ବିଜେଡ଼ି ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଲେ ବିଧାୟିକା ସୁବାସିନୀ ଜେନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚଳିତ ବିଧାନସଭାର ବୁଧବାର ଦିନ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ନାରୀ ନିର୍ଯାତନା ଏବଂ ସୁରକ୍ଷା ପ୍ରସଙ୍ଗ ଉପରେ ଆଗତ ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବସ୍ତାର ବିଧାୟିକା ସୁବାସିନୀ ଜେନା କହିଲେ ଯେ ପରସ୍ପର ଦୋଷାରୋପ ରାଜନୀତି ଭିତରେ ରାଜ୍ଯରେ ନାରୀ ସୁରକ୍ଷା ବଳି ପଡିନଯାଉ। ଏହି କାଦୁଅ ଫିଙ୍ଗା ଭିତରେ ଜଣେ ସାଧାରଣ ନାରୀଟିଏ ନିଷ୍ପେସିତ ହେଉଛି ବା ନିର୍ଯାତିତ ହେଉଛି। ତେଣୁ ଏ ବାବଦରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି। ସରକାରଙ୍କୁ ମୋର ପରାମର୍ଶ ରହିବ ଏ ବିଷୟକୁ ଗୁରୁତର ସହିତ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ଗୋଟିଏ ସର୍ବଦଳୀୟ ବୈଠକ ଡାକନ୍ତୁ ଓ ସେହି ବୈଠକର ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ଏବଂ ମହିଳା ସାମାଜିକ କର୍ମୀ ମାନଙ୍କୁ ସଂପୃକ୍ତ କରାଯାଉ। ସେହି ବୈଠକରେ ରାଜ୍ୟର ମହିଳା ମାନେ ଆଗାମୀ ଦିନରେ କିଭଳି ସୁରକ୍ଷିତ ରହିବେ ସେ ବାବଦରେ ବିଚାର ବିମର୍ଶ ବା ଆଲୋଚନା କରାଯାଉ। ଆଉ ଗୋଟେ କଥା ଉପରେ ମୁଁ ଦୃଷ୍ଟି ଆକର୍ଷଣ ନିଶ୍ଚିତ କରିବି ଯେ ଭାରତ ବର୍ଷରେ ଅନ୍ୟକିଛି ରାଜ୍ୟ ଯଥା ତେଲେଙ୍ଗାନା, କେରଳକୁ ଏ ଦିଗରେ ବେଶ୍ ସଫଳତା ହାସଲ କରିଛନ୍ତି । ତେଣୁ ଆମ ରାଜ୍ୟରୁ ଗୋଟିଏ ଟିମ୍ ତେଲେଙ୍ଗାନା ଏବଂ କେରଳକୁ ଯାଇ ଏ ଦିଗରେ ସେମାନଙ୍କ ପଦକ୍ଷେପ ସମ୍ବନ୍ଧରେ ଜାଣନ୍ତୁ ଏବଂ ତାହା ଆମ ମା’ ଭଉଣୀ ଓ ଝିଅ ମାନଙ୍କ ବାବଦରେ ସହାୟକ ହେବ।
ବିଧାୟିକା ଜେନା ଆହୁରି କହିଥିଲେ ଯେ, ସ୍ଵାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦେଶର ସର୍ବୋଚ୍ଚ ପଦବୀରେ ମହିଳା ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ସେଭଳି ଆମ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବରେ ନନ୍ଦିନୀ ଶତପଥୀ, ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା, ପୂର୍ବତନ ବାଚସ୍ପତି ଭାବରେ ପ୍ରମିଳା ମଲ୍ଲିକ ଏବଂ ବର୍ତ୍ତମାନର ବାଚସ୍ପତି ଭାବରେ ସୁରମା ପାଢ଼ୀ ପ୍ରମୁଖ ଅଧିଷ୍ଠିତ ହୋଇଛନ୍ତି। କିନ୍ତୁ ସମସ୍ତ ପ୍ରଚେଷ୍ଟା ପରେ ମଧ୍ୟ ଆମ ସମାଜର ମହିଳା ମାନେ ଶୋଷଣର ଶିକାର ହେଉଛନ୍ତି । ଭାରତ ସରକାର ଏବାବଦରେ ବିଭିନ୍ନ ପଦକ୍ଷେପ ନେବା ସହିତ ୧୦୦୦କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। କିନ୍ତୁ ଭାରତ ବର୍ଷରେ ଅନ୍ୟ ରାଜ୍ୟରେ ଶତକଡ଼ା ୭୬ପ୍ରତିଶତ ଖର୍ଚ୍ଚ ହୋଇପାରୁଥିବା ବେଳେ ଓଡ଼ିଶାରେ ତାହା ୨୫ପ୍ରତିଶତରୁ କମ ନିର୍ଭୟ ପାଣ୍ଠି ରହିଛି। ଖୋଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି ଯେ ଗତ ୧୪ ମାସ ମଧ୍ୟରେ ଓଡ଼ିଶାରେ ୩୭ହଜାର ରୁ ଉର୍ଦ୍ଧ୍ବ ଅପରାଧ ମହିଳାଙ୍କ ବିରୁଦ୍ଧରେ ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ ଓଡ଼ିଶାରେ ସର୍ବାଧିକ ସାଇବର କ୍ରାଇମ ମହିଳାଙ୍କ ବିରୁଦ୍ଧରେ ହୋଇଛି। ସମଗ୍ର ଦେଶରେ ଓଡ଼ିଶାରୁ ସର୍ବାଧିକ ମହିଳାଙ୍କୁ ବାହାରକୁ ଚାଲାଣ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ଉଦବେଗର ବିଷୟ, ବିଶେଷକରି ମୁଁ ଜଣେ ଏହି ଗୃହର ମହିଳା ସଦସ୍ୟା ଭାବରେ ଏହି ବାବଦରେ ଅତ୍ୟନ୍ତ ବିବ୍ରତ ଏବଂ ଚିନ୍ତିତ ମଧ୍ୟ ।
ଯଦି ଆମେ ଗତ ବର୍ଷେ ଭିତରେ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରିବା ଗତ ୧୪ ଜୁଲାଇ ୨୦୨୫ ଫକୀର ମୋହନ କଲେଜ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ସେମିତି ଅଗଷ୍ଟ ୨୦୨୫ରେ ବଳଙ୍ଗାର ନିରୀହ ଝିଅର ମୃତ୍ୟୁ , ଅଗଷ୍ଟ ୨୨ରେ ଜଣେ ଛୋଟ ଝିଅର ଗଳାକାଟି ହତ୍ୟା କରାଯାଇଛି, ଅଗଷ୍ଟ ୨୦୨୫ରେ ବାଲେଶ୍ବର ଭୋଗରାଇର ଜଣେ ୨୧ବର୍ଷ ଝିଅକୁ ଗଣଦୁଷ୍କର୍ମ କରାଗଲା, ଦୋଷୀ ଏପର୍ଯ୍ୟନ୍ତ ଗିରଫ ହେଲାନାହିଁ। ସେହିପରି ସେପ୍ଟେମ୍ବର ୨୦୧୫ ରେ ପୁରୀ ବେଳାଭୂମି ରେ ୧୯ବର୍ଷର ଝିଅକୁ ଦୁଷ୍କର୍ମ, ବଲାଙ୍ଗୀର ଠାରେ ଆଉ ଏକ ଦୁଷ୍କର୍ମ ଏହିଭଳି ଭାବରେ ନାରୀ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି, ଆମେ ଏଥିରେ ନୀରବ ଦ୍ରଷ୍ଟା ସାଜିଛୁ । ଯେଉଁ ମହିଳା ଶିକାର ହେଉଛି ସେ ପାଉଛି କଣ। ଆଜି ଜଣେ ମହିଳା ପୋଲିସ ଷ୍ଟେସନ ଗଲେ ଥାନାରୁ ନ୍ୟାୟ ପାଉନାହିଁ ବିଶେଷ ଭାବରେ ମୁଁ ମୋ ନିର୍ବାଚନ ମଣ୍ଡଳୀ କଥା କହିବି, ବସ୍ତା ନିର୍ବାଚନ ମଣ୍ଡଳୀରେ ବସ୍ତା ଓ ବାଲିଆପାଳ ଦୁଇଟି ପୋଲିସ ଷ୍ଟେସନ ଅଛି। ସେଠାରେ ମହିଳାଟିଏ ଗଲେ ନ୍ୟାୟ ପାଉନାହିଁ । ଏହା ଆମ ସମସ୍ତଙ୍କର ଚିନ୍ତା କରିବାର ବିଷୟ ହେଇଛି । ମୁଁ ଯେହେତୁ ବ୍ୟାସକବି ଫକୀର ମୋହନଙ୍କ ମାଟିରୁ ଆସିଛି ଏବଂ ତାଙ୍କ ରଚିତ ‘ଛଅ ମାଣ ଆଠଗୁଣ୍ଠ’ ଉପନ୍ୟାସରେ ଝିଅମାନଙ୍କ ବିଷୟରେ ଲେଖିଥିଲେ ଯେ, ଘରର ଝିଅମାନେ ହେଲେ ସଂସ୍କାରି, ଦୟାଳୁ ଏବଂ ଦୟାର ପ୍ରତିରୂପ। ତା ଅର୍ଥ ନୁହେଁ ଯେ ନାରୀ ମାନେ ସବୁବେଳେ ନିର୍ଯାତିତ ହେଉଥିବେ ଏବଂ ଶୋଷିତ ହେଉଥିବେ ବା ଶୋଷଣ ପରିସର ଭିତରକୁ ଯାଉଥିବେ। ଆଉ ଗୋଟେ କଥା ମୁଁ ନିଶ୍ଚିତ ଭାବେ ଏ ଗୃହରେ ଉପସ୍ଥାପନା କରିବି ଏବଂ ଆଶା କରୁଛି ସରକାର ବିଶେଷ ଭାବରେ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ। ଆସନ୍ତା ପାର୍ବଣ ଋତୁକୁ ବିଶେଷ ଭାବେ ମହିଳାଙ୍କ ପାଇଁ ଭୟମୁକ୍ତ ଉତ୍ସବ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ମହିଳାଙ୍କ ମନଭିତରେ ଦୁଃଖ, କଷ୍ଟ ଏବଂ କୋହ ବଢି ଚାଲିଛି ଏବଂ ଏହାକୁ ଯଦି ତୁରନ୍ତ ସମାଧାନ କରାନଯାଏ , ମହିଳା ମାନେ ଆସନ୍ତାକାଲି ରାଜରାସ୍ତାକୁ ନ ଓହ୍ଲାଇବେ ତାହା ଏଡାଇ ଦିଆଯାଇ ନପାରେ । ତେଣୁ ଆସନ୍ତା ଦିନରେ ଆମ ଓଡ଼ିଶାର ମା ଭଉଣୀ ଏବଂ ନାରୀ କିଭଳି ସୁରକ୍ଷିତ ରହିବେ ସେ ଦିଗରେ ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିଧାୟିକା ଜେନା କହିଥିଲେ।