ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ‘ଷ୍ଟାନଫୋର୍ଡ-ଏଲସେଭିୟର’ ବିଶ୍ୱସ୍ତରୀୟ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ପାଇଁ ଆଜି ଏକ ଗୌରବମୟ ଅବସର, କାରଣ ୨୦୨୫ ମସିହାର ଷ୍ଟାନଫୋର୍ଡ-ଏଲସେଭିୟର ଟପ୍ ୨% ସାଇଣ୍ଟିଷ୍ଟ୍ ରାଙ୍କିଙ୍ଗ୍ ତାଲିକାରେ ଏହି ବିଶ୍ୱବିଦ୍ୟାଳୟର ୩ ଜଣ ଅଧ୍ୟାପକଙ୍କୁ ସ୍ଥାନ ମିଳିଛି। ଏହି ବିଶ୍ୱସ୍ତରୀୟ ତାଲିକାକୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲସେଭିୟର ଯୁଗ୍ମ ଭାବେ ପ୍ରସ୍ତୁତ କରିଥାନ୍ତି ଯାହା ସ୍କୋପସ୍ ସାଇଟେସନ୍ ଡାଟା ଉପରେ ଆଧାରିତ। ୨୨ଟି ବିଷୟ ଓ ୧୭୪ଟି ଉପ-ଶାଖାରେ ବୈଜ୍ଞାନିକମାନଙ୍କର ସନ୍ଦର୍ଭ, ଏଚ୍-ଇଣ୍ଡେକ୍ସ, ଓ ସଂଯୁକ୍ତ ସାଇଟେସନ୍ ସ୍କୋର ଭିତ୍ତିରେ ସୂକ୍ଷ୍ମ ମାପଦଣ୍ଡରେ ମୂଲ୍ୟାୟନ କରାଯାଏ। ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକମାନଙ୍କ ମଧ୍ୟରେ ଫକୀରମୋହନର ୩ ଜଣ ଅଧ୍ୟାପକ ସାମ୍ପ୍ରତିକ ରାଙ୍କିଙ୍ଗରେ ସ୍ଥାନ ପାଇଥିବା, ସେମାନଙ୍କର ବିଶିଷ୍ଟ ଗବେଷଣାମୂଳକ ଅବଦାନକୁ ନିୟମିତ ଭାବେ ଆଲୋକିତ କରିଛି।

ପ୍ରଫେସର ଡ଼କ୍ଟର ପଙ୍କଜ କୁମାର ପାରହି, ରସାୟନ ବିଭାଗ — କ୍ୟାରିଆର୍-ଲଙ୍ଗ୍ ଓ ସିଙ୍ଗଲ୍-ଇଅର୍ ଦୁଇଟି ବିଭାଗରେ ପର୍ଯ୍ୟାୟକ୍ରମେ ଷଷ୍ଠ ଥର ପାଇଁ ସ୍ଥାନ ପାଇଛନ୍ତି। କେମିକାଲ୍ ଇଞ୍ଜିନିୟରିଂ ଉପ-ଶାଖାରେ ସେ ୩୮୨ ତମ ଓ ସମଗ୍ର ବିଶ୍ୱରେ ୫୦,୬୪୩ତମ ସ୍ଥାନରେ ଅଛନ୍ତି। ପ୍ରଫେସର ଗୌରଙ୍ଗ ସାମନ୍ତ, ଗଣିତ ବିଭାଗ — ପର୍ଯ୍ୟାୟକ୍ରମେ ପଞ୍ଚମ ଥର ପାଇଁ ସିଙ୍ଗଲ୍-ଇଅର୍ ବିଭାଗରେ ସ୍ଥାନ ପାଇଛନ୍ତି। ନ୍ୟୁକ୍ଲିୟର୍ ଏବଂ ପାର୍ଟିକଲ୍ ଫିଜିକ୍ସ ଉପ-ଶାଖାରେ ସେ ୧,୨୮୭ତମ ଓ ସମଗ୍ର ବିଶ୍ୱରେ ୧,୦୮,୨୩୬ତମ ସ୍ଥାନରେ ଅଛନ୍ତି। ଡ଼କ୍ଟର ମନୋଜିତ୍ ଭଟ୍ଟାଚାର୍ଯ୍ୟ, ଜୀବବିଜ୍ଞାନ ବିଭାଗ — ପର୍ଯ୍ୟାୟକ୍ରମେ ତୃତୀୟ ଥର ପାଇଁ ସିଙ୍ଗଲ୍-ଇଅର୍ ବିଭାଗରେ ସ୍ଥାନ ପାଇଛନ୍ତି। ମାଇକ୍ରୋବାୟୋଲୋଜି ଉପ-ଶାଖାରେ ସେ ୨,୦୦୨ତମ ଓ ସମଗ୍ର ବିଶ୍ୱରେ ୧,୦୪,୮୦୦ତମ ସ୍ଥାନରେ ଅଛନ୍ତି। ଏହି ସ୍ୱୀକୃତି, ବିଶ୍ୱବିଦ୍ୟାଳୟର ଗବେଷଣାରେ ସାଧନା, ଗୌରବ ଓ ବିଶ୍ୱମାନ୍ୟତାକୁ ପ୍ରତିପାଦିତ କରିଛି।

ଏହି ଅବସରର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି— “ଏହି ସ୍ୱୀକୃତି କେବଳ ଆମ ଅଧ୍ୟାପକମାନଙ୍କର ବ୍ୟକ୍ତିଗତ ମହତ୍ତ୍ୱକୁ ନୁହେଁ, ବରଂ ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଶ୍ୱସ୍ତରୀୟ ଗବେଷଣାରେ ପ୍ରତ୍ୟକ୍ଷ ଅବଦାନକୁ ପ୍ରତିବିମ୍ବିତ କରିନାହିଁ ଅଧିକନ୍ତୁ ସେମାନଙ୍କର ଏହି ନିରବିଚ୍ଛିନ୍ନ ସଫଳତା ଆମ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଅଧିକ ସୃଜନଶୀଳତା ଓ ଗବେଷଣା କ୍ଷେତ୍ରରେ ଅଗ୍ରସର ହେବା ନେଇ ପ୍ରେରଣା ଯୋଗାଇବ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବ।”

‘ଷ୍ଟାନଫୋର୍ଡ-ଏଲସେଭିୟର ଟପ୍ ୨% ସାଇଣ୍ଟିଷ୍ଟ୍ ରାଙ୍କିଙ୍ଗ୍’କୁ ବିଶ୍ୱସ୍ତରରେ ଗବେଷଣାର ଶ୍ରେଷ୍ଠତାର ମାନକ ଭାବରେ ଗ୍ରହଣ କରାଯାଏ। ଏଥିରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କ ପୁନର୍ବାର ସ୍ଥାନ ହାସଲ, ବିଶ୍ୱ ମାନ୍ୟର ଗବେଷଣା ଓ ଶିକ୍ଷାରେ ଏହାର ସଚେତନା, ସଂକଳ୍ପବଦ୍ଧତାକୁ ସ୍ପଷ୍ଟ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.