ବାଲିଆପାଳରେ ଆରମ୍ଭ ହେଲା ଷ୍ଟୁଡେଣ୍ଟ୍ ସିଡ଼ କଞ୍ଜରଭେଟର୍ କାର୍ଯ୍ୟକ୍ରମ: ପ୍ରଥମ ଦିନରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦେଶୀ ମଞ୍ଜି ସଂଗ୍ରହ କଲେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଯୁବ ବିକାଶ ଓ ପରିବେଶ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଭିତରେ ବିଷମୁକ୍ତ ଜୈବିକ ଚାଷ ପ୍ରତି ରୁଚି ସୃଷ୍ଟି କରିବା ସହିତ ବିହନ ସଂରକ୍ଷକ ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ‘ଷ୍ଟୁଡେଣ୍ଟ୍ ସିଡ଼ କଞ୍ଜରଭେଟର କାର୍ଯ୍ୟକ୍ରମ’ର ଶୁଭାରମ୍ଭ ହୋଇଛି। ଆଜି ଜଗାଇସ୍ଥିତ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ଛାତ୍ରଛାତ୍ରୀ ମାନେ ସୁଦୂର ନୟାଗଡ଼ର ‘ସମ୍ଭବ’ ସଂଗଠନ ତରଫରୁ ପ୍ରଦତ୍ତ ପରିବା ମଂଜି ସଂଗ୍ରହ କରିଥିଲେ । ଏ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ମାନସୀ ସାହୁ ଓ ‘ଯୁବ ବିକାଶ’ର ପ୍ରତିଷ୍ଠାତା ଗୋବିନ୍ଦ ଦଳାଇ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଘାଯତୀନ ସ୍ମୃତି ପରିଷଦର ସଭାପତି ଶ୍ରୀ ଅରବିନ୍ଦ ବେହେରା ଯୋଗଦେଇ ବିହନ ସଂରକ୍ଷଣ ସହିତ ଦେଶୀ ପ୍ରଣାଳୀରେ ଚାଷ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାମକୁ ସ୍କୁଲ୍ କଲେଜ ସ୍ତରରୁ ଆରମ୍ଭ କରାଯାଇଥିବାରୁ ‘ପରିବେଶ ଫାଉଣ୍ଡେସନ’ ଓ ‘ଯୁବ ବିକାଶ’କୁ ସାଧୁବାଦ ଦେଇଥିଲେ। ଆଗାମୀ ଦିନରେ ତାଙ୍କ କଲେଜରେ ପିଲାଙ୍କ ଦ୍ୱାରା ବିହନ ବ୍ୟାଙ୍କ କରାଯିବ ବୋଲି ଡକ୍ଟର ସାହୁ ମତବ୍ୟକ୍ତ କରିଥିଲେ। ପିଲାମାନଙ୍କ ସହିତ ଦେଶୀ ବିହନ ସଂପର୍କିତ ବିଭିନ୍ନ ପ୍ରଶ୍ନୋତ୍ତର ଅବସରରେ ଶ୍ରୀ ଦଳାଇ ଏ କାର୍ଯ୍ୟକ୍ରମ ବାଲେଶ୍ବର ଜିଲ୍ଲା ପାଇଁ ପ୍ରଥମ ବୋଲି କହିଥିଲେ। ପରିଶେଷରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦେଶୀ ବିହନ ସଂଗ୍ରହ କରିଥିଲେ। ଆଗାମୀ ଦିନରେ ପିଲାମାନଙ୍କ ଦ୍ଵାରା ଚାଷ ହୋଇଥିବା ବିଷମୁକ୍ତ ପନିପରିବା ଓ ଫଳ କଲେଜ ପରିସରରେ ପ୍ରଦର୍ଶିତ ହେବ। ସେମାନେ ସେଥିରୁ କିଛି ବିହନ ମଂଜି ସଂଗ୍ରହ କରି ପଡୋଶୀ କଲେଜର ସାଙ୍ଗସାଥୀ ମାନଙ୍କୁ ବଣ୍ଟନ କରିବାର ଯୋଜନା ରହିଛି ବୋଲି ‘ପରିବେଶ ଫାଉଣ୍ଡେସନ’ର ସଂଯୋଜକ ଭାଗ୍ୟଲକ୍ଷ୍ମୀ ରାଉତ ମତବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.