ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧିନସ୍ଥ ଘୁଣ୍ଡରୀଗୁଡା ଗାଁର ବିଧବା ମହିଳା ହିକକା ସାପାଇଙ୍କ ସୁନା ଗହଣା ଦୁର୍ବୃତ୍ତମାନଙ୍କ ଦ୍ୱାରା ଲୁଟ ହୋଇଥିଲା। ପୋଲିସ ସୂଚନା ଅନୁସାରେ ସାପାଇ କିଛି କାମରେ କଲ୍ୟାଣସିଂହପୁର ଆସିଥିଲେ। ସେ ନିଜ ଘର ଘୁଣ୍ଡରୀଗୁଡାକୁ ଫେରୁଥିବା ବେଳେ କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ନାଲି ରଙ୍ଗର ମୋଟର ସାଇକଲରେ ହଟାତ ତିନି ଜଣ ଦୁର୍ବୃତ୍ତ ଆସି ଦୁଇ କାନରେ ପିନ୍ଧି ଥିବା ଦୁଇଟି ସୁନା କାନଫୁଲ ଛିଣ୍ଡାଇ ଫେରାର ହୋଇ ଯାଇଥିଲେ। ଏ ନେଇ ହିକକା କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ତତ୍ପର ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଅନୁସନ୍ଧାନ ପରେ ପଣସଗୁଡ଼ା ଗ୍ରାମର ଈଶ୍ୱର ନାଏକ ଉକ୍ତ ଗହଣା ୧ ଲକ୍ଷ ୧୯ ହଜାରରେ ବିକ୍ରି କରିଥିବାର ସୂଚନା ପାଇପଚରା ଉଚରା ପରେ ଅଭିଯୁକ୍ତ ଈଶ୍ୱର ମାନିଥିବାରୁ ଅଭିଯୁକ୍ତଙ୍କ ଠାରୁ ୬୨ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଈଶ୍ୱରର ସୂଚନା ପ୍ରକାରେ ଅନ୍ୟ ଦୁଇ ସହଯୋଗୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ହୋଇଥିବା ବେଳେ ସେମାନେ ଫେରାର ଥିବା ପୋଲିସ ସୂଚନା ପ୍ରଦାନ କରିଛି ଓ ଯଥା ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।