ସାମୁଦ୍ରିକ ଜୈବ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସରରେ ଖାଣ୍ଡିଆ ମୁହାଣରେ ପାଳିତ ହେଲା ବନ୍ୟପ୍ରାଣୀ ସପ୍ତାହ

ଖାଣ୍ଡିଆ, ଖାପରା ଓ ମହିଶାଳୀ ମୁହାଣରୁ ବହୁ ନୀଳରକ୍ତ କଙ୍କଡ଼ା ଦମ୍ପତ୍ତି ଓ ଜଳଜୀବଙ୍କୁ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବନ୍ୟପ୍ରାଣୀ ସପ୍ତାହର ଶେଷଦିନରେ ଆସୋସିଏସନ୍ ଫର୍ ବାଇଓଡାଇଭାର୍ସିଟି କଞ୍ଜର୍ଭେସନ (ଏବିସି), ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ, ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ବନ ବିଭାଗର ମିଳିତ ସହଯୋଗରେ ଏକ ଜନସଚେତନତା ଓ ନୀଳରକ୍ତ କଙ୍କଡ଼ା ଉଦ୍ଧାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।

ବାଲେଶ୍ଵର ସଦର ବ୍ଲକର ଖାଣ୍ଡିଆ, ଖାପରା ଓ ମହିଶାଳୀ ମୁହାଣ ମାନଙ୍କରେ ଆଜି ପୂର୍ବାହ୍ନ ୯ ଘଟିକାରେ ଗୁରୁ ଜୁଆରରେ ଅଣ୍ଡା ଦେବା ପାଇଁ କୂଳକୁ ଆସିଥିବା ହଳ ହଳ ନୀଳରକ୍ତ କଙ୍କଡ଼ାକୁ ଗଣି ପରିସଂଖ୍ୟାନ କରାଯାଇଥିଲା।

ଏବିସିର କାର୍ଯ୍ୟକାରୀ ସଦସ୍ୟା ତଥା ଫକୀରମୋହନ ବିଶ୍ବବିଦ୍ୟାଳୟର ରିସର୍ଚ୍ଚ ଫେଲୋ ଉପାସନା ପଟ୍ଟନାୟକଙ୍କ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଏବିସିର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦିପୁର ରେଞ୍ଜର୍ ଆଇଷା ନିଶା ଦେଈ ଗ୍ରାମବାସୀଙ୍କୁ ବିରଳ ନୀଳରକ୍ତ କଙ୍କଡ଼ା ଓ ଝାଉଁ ଜଙ୍ଗଲର ସୁରକ୍ଷା ଦାୟିତ୍ବ ନେବାକୁ ପରାମର୍ଶ ଦେଇଥିଲେ।

ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁଦାସ ସୁରକ୍ଷାର ସଂସ୍କୃତି ବିଷୟରେ ଆଲୋକପାତ କରିଥିବା ବେଳେ ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନିଳାଦ୍ରୀ ଭୂଷଣ କର ଯୋଗଦାନ କରି ନୀଳରକ୍ତ କଙ୍କଡ଼ାର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲା।

ଶେଷରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରୋଜେକ୍ଟ ଫେଲୋ ସୌମ୍ୟରଞ୍ଜନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର ଜୁଲୋଜୀ ବିଭାଗର ବହୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଗ୍ରାମବାସୀ ସୁଶାନ୍ତ ଦାସ, ଶୁକ୍ଳା ଦଳେଇ, ବିକ୍ରମ ସୋରେନ, ଶମ୍ଭୁନାଥ ଦଳେଇ, କମଳାକାନ୍ତ ହାଜରା ପ୍ରମୁଖ ଯୋଗ ଦେଇଥିଲେ।

ପରେ ପରେ ଖାପରା ମୁହାଣ ଓ ମହୀଶାଳୀ ମୁହାଣରେ ନୀଳରକ୍ତ କଙ୍କଡ଼ାର ପରିସଂଖ୍ୟାନ କରିବା ସହ ଜାଲରେ ଛନ୍ଦି ମୃତ୍ୟୁ ମୁଖରେ ପଡ଼ିଥିବା ନୀଳରକ୍ତ କଙ୍କଡ଼ା ଦମ୍ପତ୍ତିଙ୍କୁ ଉଦ୍ଧାର କରାଯାଇ ପାଣିରେ ଛଡ଼ା ଯାଇଥିଲା। ଏଥିସହ ଜାଲରେ ଧରୁଥିବା ମତ୍ସ୍ୟଜୀବୀମାନଙ୍କ ପାଖରୁ ଅନ୍ୟାନ୍ୟ ଉପକାରୀ ଜଳଜୀବକୁ ଉଦ୍ଧାର କରାଯାଇ ପାଣିରେ ଛଡ଼ା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.