ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଦୀର୍ଘ ଗୋଟାଏ ମାସ ହୋଇଗଲା ତନୁ ମାଝୀଙ୍କ ୨୦ ବର୍ଷର ଯୁବତୀ ଝିଅ ଗାୟତ୍ରୀ ମାଝୀ ଖଟଧରି ପଡି ରହିଛି ନିଶ୍ଚଳ ହୋଇ କାଠଗଣ୍ଡି ସଦୃଶ। ବାପା ତନୁ ମାଝି ଓ ମା ତୁଳସା ମାଝୀ ଝିଅ ଗାୟତ୍ରୀକୁ ବିଭିନ୍ନ ଡାକ୍ତରଖାନା ନେଇ ଦେଖାଇଥିଲେ ହେଲେ ମଧ୍ୟ ଜ୍ୱର ଭଲ ହୋଇ ପାରୁନି । ରକ୍ତ ପରୀକ୍ଷା କଲେ ସବୁ ନର୍ମାଲ ବାହାରୁଥିବା କଥା ପ୍ରକାଶ କରିଛନ୍ତି ବାପା ତନୁ ମାଝୀ । ଝିଅ ଦୀର୍ଘ ସମୟ ନିଶ୍ଚଳ ହୋଇ ପଡିରହିଥିବା ବେଳେ ବାଉଳି ଖାଇ ପିଚାଶୀ ଭଳି ରଡି ଛାଡିବା ଦେଖି ବାପା ମା ଛାନିଆ ଓ ହତବାକ ହୋଇଯାଇଥିଲେ। ଏଭଳି ଅବସ୍ଥା ଗତ ନୂଆଖାଇ ପରେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିଲା । ଏହାପରେ ଆରମ୍ଭ କରିଥିଲେ ଝଡା ଫୁଙ୍କା, ଗୁଣି ଗାରେଡି ଓ ପୂଜା ପାଠ । ଏଥିରେ ଝିଅ ଟିକେ ଉପଶମ ଲାଭ କରି ହାତ ଧରିଦେଲେ ଠିଆ ହୋଇପାରୁଛି, ବସି ପାରୁଛି । ହେଲେ ଅନେକ ସମୟ ଖାଉନି କିମ୍ବା ପିଉନି ଖଟଧରି ନୀରବ ଓ ନିଶ୍ଚଳ ହୋଇ କାଠଗଣ୍ଡି ସଦୃଶ ପଡିରହିଥିବା ଦେଖିବାକୁ ମିଳିଛି । ଆଗରୁ ଝିଅ, ପୁଅର ଦେହ ଖରାପ ହେଲେ ନିଜର ବାଲ୍ୟକାଳର ମୈତ୍ର, ପାଖ ସାହିର ଜନକ ପଧାନକୁ ଡାକି ଆଣି ଝାଡ ଫୁଙ୍କ କରାଉଥିଲେ ବାପା ତନୁ ମାଝୀ । ହେଲେ ମୈତ୍ରଙ୍କ ଝିଅ ଦୀର୍ଘ ଦିନ ଧରି ଦେହ ଖରାପ ହୋଇ ପଡି ରହିଥିବା ସତ୍ୱେ ଅସୁସ୍ଥ ହୋଇ ପଡିରହିଥିବା ଗାୟତ୍ରୀକୁ ଦେଖିବା ପାଇଁ ଆସିବା ତ ଦୁରର କଥା, ଝାଡ ଫୁଙ୍କ ପାଇଁ ଡାକି ଗଲେ ମଧ୍ୟ ମୈତ୍ର ଜନକ ପଧାନ ତାଙ୍କ ଦୁଆର ପାଖ ନମାଡିବାରୁ ତାଙ୍କୁ ଶ୍ରୀ ପଧାନଙ୍କ ଘରକୁ ଖୋଜିବାକୁ ଗଲେ ତନୁ । ହେଲେ ଏମାନେ ଆସୁଥିବା ଜାଣି ବାପ ପୁଅ କୁଆଡେ ଫେରାର ମାରିଥିଲେ ବୋଲି ଦୋରାପଦର ମାଝୀ ସାହି ବାସୀ ମତବ୍ୟକ୍ତ କରିଛନ୍ତି । ଜନକ ଓ ତାଙ୍କ ପୁଅ କାଳେ ସେମାନଙ୍କୁ ଦେଖି ଘରେ ଲୁଚିଥିଲେ ଭାବି ଘର ଭିତରକୁ କେଇ ଜଣ ଯୁବକ ତାଙ୍କ ଘରକୁ ପଶି ଖୋଜିଥିଲେ । ହେଲେ ଘର ଭିତରର ଦୃଶ୍ୟ ଦେଖି ସେମାନେ ହତବାକ ହୋଇଯାଇଥିଲେ। ସିନ୍ଦୁର, ଚାଉଳ, ମନ୍ଦାର ଫୁଲ ଦେଇ ଦେବୀଙ୍କ ଫଟୋ ସମ୍ମୁଖରେ ଦୁଇଖଣ୍ଡ ହାଡ ରଖି ସେସବୁକୁ ପୁଜା କରୁଥିଲେ ବୋଲି ଲୋକଙ୍କ ଅଭିଯୋଗ। ଯୁବକ ମାନେ ଘଟଣା ସ୍ଥଳର ଉକ୍ତ ଚିତ୍ରର ଭିଜୁଆଲ ଏବଂ ଫଟୋ କାଢି ଆଣିଥିବା ଦେଖିବାକୁ ମିଳୁଛି । ଏହାପରେ ମାଝି ସାହି ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିବା ପରେ ନିଜ ଜୀବନକୁ ବିପଦ ରହିଥିବା ନେଇ ଜନକ ପଧାନ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ନର୍ଲା ପୋଲିସ ବୁଧବାର ଦୁଇ ପକ୍ଷଙ୍କୁ ଡାକି ବୁଝାମଣା କରି ସମାଧାନ ପାଇଁ ଚେଷ୍ଟା କରିବା ସହ ଗୁଣି ଗାରେଡି ବୋଲି କିଛି ନାହିଁ । ଝିଅକୁ ଭଲ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କର ବୋଲି ପୋଲିସ କହୁଥିବା ବେଳେ ଗୁରୁବାର ପୂର୍ବାହ୍ନରେ ପୋଲିସ ଦୋରାପଦର ଗ୍ରାମକୁ ଆସି ଲୋକଙ୍କୁ ବୁଜାସୁଝା କରିବା ସହ ଝିଅକୁ ଡାକ୍ତରଖାନା ନେଇକି ଚିକିତ୍ସା କରେଇବା ପାଇଁ କହିଥିଲେ । ଜନକଙ୍କ ଘରକୁ ମଧ୍ଯ ଯାଇ ଝଗଡ଼ା କୁ ନ ଯାଇ ଶାନ୍ତି ରଖିବା ପାଇଁ କହିଥିବା ଜାଣିବାକୁ ମିଳିଛି । ଜଣେ କିମ୍ବା ଦୁଇଜଣ ନୁହଁ ଦୋରାପଦର ମାଝି ପଡାର ୩୦ ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ଓ ଯୁବକ ସେହି ଗୋଟାଏ କଥା କହୁଛନ୍ତି ଯେ ଜନକ ପଧାନ ତନ୍ତ୍ର ସାଧନା କରୁଛି । ଗୁଣି ଗାରେଡି କରି ଗାଁ ର ଯୁବତୀ ଓ ଯୁବକ ମାନଙ୍କ ଜୀବନ ନେଉଛି। ଗାୟତ୍ରୀ ଘଟଣା କଥା ନୂଆ ନୁହଁ। କିମ୍ବା ଏହା ଆଜିକାର କଥା ନୁହଁ । ମାଝି ପଡାର ଯୁବତୀ ଟିକେଶ୍ୱରୀ ମାଝୀ, କବିତା ମାଝୀ, ଆରତୀ ମାଝୀ ଙ୍କୁ ମଧ୍ୟ ଗୁଣି ଗାରେଡି କରି କଷ୍ଟ ଦେଇଥିଲା। ଓ ଲଭଲି ମାଝୀର ଜୀବନ ନେଇଛି ବୋଲି ଲୋକେ ଅଭିଯୋଗ କରିଥିବା ବେଳେ ଏ ବିଷୟ ନେଇ ଜନକ ନାମରେ ନର୍ଲା ଥାନାରେ ଆଗରୁ ତିନିଗୋଟି କେସ ହୋଇଥିବା କଥା କହୁଛନ୍ତି ମାଝୀପଡା ଲୋକେ । ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ। ଅଯଥାରେ ମୋତେ ସନ୍ଦେହ କରାଯିବା ସହ ବଦନାମ କରାଯାଉଛି ବୋଲି ପୋଲିସ ବୁଝା ସୁଝା ପାଇଁ ଡ଼ାକିଥିବ ଦିନ ପୋଲିସ ଆଗରେ ପ୍ରକାଶ କରିଥିଲେ ଜନକ। ଏବଂ ଜୀବନ ପ୍ରତି ବିପଦ ରହିଥିବା ନେଇ ନର୍ଲା ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଆଉ ଗୁଣି ଗାରେଡି କଥା ଗାଁ ଲୋକେ କହୁଥିବା ବେଳେ ନର୍ଲା ପୋଲିସ ଆଇଆଇସି ବିଜୟରାଜ ମାଝୀ କହିଛନ୍ତି ଗୁଣିଗାରେଡି ବୋଲି ସେମିତି କିଛି ନାହିଁ । ଝିଅ ଅସୁସ୍ଥ ହୋଇ ପଡିଛି । ତାକୁ ଭଲ ମେଡିକାଲ ନେଇ ଚିକିତ୍ସା କରେଇବା କଥା ବୋଲି କହିଛନ୍ତି । ଦୀର୍ଘ ଦିନ ଧରି ଯୁବତୀ ଝିଅ ଗାୟତ୍ରୀ ଅସୁସ୍ଥ ହୋଇ ପଡ଼ି ରହିଥିଵାରୁ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ବାପା ମା । ଏପଟେ ଦୁର ଡାକ୍ତର ଖାନାକୁ ନେଇ ଚିକିତ୍ସା କରିବା ପାଇଁ ପାଖରେ ସମ୍ବଳ ନାହିଁ । ହେଲେ ଗାୟତ୍ରୀ ଅସୁସ୍ଥ ଥିବା ଓ ଗୁଣି ଗାରେଡ଼ି କରାଯାଇଥିବା ସନ୍ଦେହ ନେଇ ଗାଁରେ ଉତ୍ତେଜନା ଲାଗିରହିଥିବା ଜାଣିବାକୁ ମିଳିଛି ।