ବାଲେଶ୍ବରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ନୂତନ ଅଡିଟୋରିୟମ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ପାଳିତ ହୋଇଯାଇଛି।

ଏହି ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ଜିଲ୍ଲା ପରିଷଦ) ଡକ୍ଟର ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ଶିକ୍ଷାଧକାରୀ ବସନ୍ତ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗୋହର, ସୁରକ୍ଷା ଅଧିକାରୀ ଶ୍ରୀମତୀ ଯୁଥିକା ରାୟ, ପ୍ରୋଗ୍ରାମ ଅଫିସର ସ୍ବପ୍ନା ପ୍ରହରାଜ, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଅସ୍ମିତା ଦାସ ଏବଂ ଡକ୍ଟର ପରେଶ୍ ଚନ୍ଦ୍ର ନନ୍ଦୀ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ଗଣ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଜାତୀୟ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି କନ୍ୟା ସନ୍ତାନର ଆବଶ୍ୟକତା, ଉପାଦେୟତା ଏବଂ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ପରେ ପରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ଗଣ କନ୍ୟା ସନ୍ତାନ ଦିବସ ଗତ ୨୦୦୮ ମସିହା ଜାନୁଆରୀ ୨୪ ତାରିଖରୁ ଜାତୀୟ ସ୍ତରରେ ପାଳନକୁ ପରିବର୍ତ୍ତନ ହୋଇ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ୨୦୧୨ ମସିହା ଠାରୁ ଅକ୍ଟୋବର ୧୧କୁ ପାଳନ କରାଯାଇ ଆସୁଥିବା ସମ୍ପର୍କରେ ଅବଗତ କରାଇଥିଲେ। କନ୍ୟା ସନ୍ତାନଟି ଜାୟା, ଜନନୀ ଓ ଭଗିନୀ ରୂପେ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଏହି କନ୍ୟା ସନ୍ତାନ ଅଲୋଡ଼ା ନୁହେଁ ରାଷ୍ଟ୍ର ଗଠନରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ କନ୍ୟା ସନ୍ତାନର ସୁରକ୍ଷା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ପ୍ରତି ସଚେତନ କରାଇବା ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଆଲୋକପାତ କରିଥିଲେ।

ଏହି ଜାତୀୟ ଦିବସ ପାଳନ ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା ଯୋଗ ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାମଦେବ ପାଣଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.