ଆରମ୍ଭ ହେଲା ଦଣ୍ଡପାଟ ଦଶରା ମହୋତ୍ସବ ଓ ଘାଟି ମୁଣ୍ଡିଆଣୀ ମାଁ ସର୍ବମଙ୍ଗଳାଙ୍କ ଖଣ୍ଡାଧୁଆ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଗ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କଳାହାଣ୍ଡିର ଅବିଚ୍ଛେଦ୍ୟ ଅଙ୍ଗ ‘ଦଣ୍ଡପାଟ’ ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ବିକ, ପ୍ରାଚୀନ ଧର୍ମଧାରା ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ବହନ କରେ। ଆଜି ମଧ୍ୟ ଏହି ଅଞ୍ଚଳର ଦେବାଦେବୀ ଉପାସନା ଓ ପର୍ବ ପର୍ବାଣୀରେ ଆଦିମ ସଂସ୍କୃତି ଏବଂ ଧର୍ମଧାରାର ଛାପ ଦେଖିବାକୁ ମିଳେ। ସେହି କ୍ରମରେ ଗୋତମୁଣ୍ଡାଠାରେ ପୂଜା ପାଉଛନ୍ତି ଦେବୀ ଘାଟି ମୁଣ୍ଡିଆଣୀ ମାଁ ସର୍ବମଙ୍ଗଳା। କୋକସରା ବ୍ଲକ ଗୋତମୁଣ୍ଡାଠାରେ ରବିବାର ଘାଟି ମୁଣ୍ଡିଆଣି ମାଁ ସର୍ବମଙ୍ଗଳାଙ୍କ ବାର୍ଷିକ ଖଣ୍ଡାଧୁଆ ଯାତ୍ରା ତଥା ଦଣ୍ଡପାଟ ଦଶରା ମହୋତ୍ସବ ଆରମ୍ଭ ହୋଇଛି। ଏହି ଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ରବିବାର ସକାଳୁ ପାରମ୍ପରିକ ରିତି ନିତି ଅନୁସାରେ ଦେବୀଙ୍କ ପୂଜାବିଧି ସମ୍ପୂର୍ଣ୍ଣ ଆରମ୍ଭ ହୋଇଛି। ପୂଜକ ମନୋହର ପୁଝାରୀ ଦେବୀଙ୍କ ପୂଜାର୍ଚ୍ଚନା ବିଧିଅନୁସାରେ ନିର୍ବାହ କରୁଥିଲେ। ଅପରାହ୍ନରେ ଗାଁ ପୋଖରୀରେ ଦେବାଦେବୀମାନଙ୍କ ଖଣ୍ଡାସବୁକୁ ମାର୍ଜନା (ଧୁଆ) କରାଯାଇ ସେଠାରୁ ଦେବୀଙ୍କ ପ୍ରତିମା ସ୍ବରୂପ କାଳିଶୀମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ଅଣା ଯାଇଥିଲା। ଏହି ଦଶରା ମହୋତ୍ସବର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ, ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଇଂ ଧ୍ରୁବ କୁମାର ପାତ୍ର, ଯୁବ ନେତା ମାନସ ବାଗ ପ୍ରମୁଖ ସାମିଲ ହୋଇଥିଲେ। ସନ୍ଧ୍ୟାରେ ମଞ୍ଚ ଉଦଘାଟନ ପରେ ଦେବାଦେବୀ ମାନଙ୍କ ଖଣ୍ଡା ସ୍ଥାପନ କରିବା ସହିତ କାଳିଶୀମାନେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଦଶରା ମହୋତ୍ସବ ୩ ଦିନଧରି ଚାଲିବା ନେଇ ସୂଚନା ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.