‘ବିକଶିତ ଭାରତ ବିଲ୍ଡାଥନ୍’ ନୂତନ ବିଶ୍ୱ ମଡେଲ୍ ତିଆରି କରିବ –ଧର୍ମେନ୍ଦ୍ର ପ୍ରଧାନ

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ‘ବିକଶିତ ଭାରତ ବିଲ୍ଡାଥନ୍’ ହେଉଛି ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ । ଏହି ବିଲ୍ଡାଥନରୁ ତିଆରି ହେଉଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଗକୁ ନେଇ ଏହି ବିଲ୍ଡାଥନ୍ ୨୦୨୫କୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ । 

ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏଠାରୁ ସୃଷ୍ଟି ହୋଇଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ । ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଆମର ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଗଠନ ହେବ । ଆମର ଛାତ୍ରଛାତ୍ରୀମାନେ  ସେମାନଙ୍କର ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ  ଭାରତ ତଥା ବିଶ୍ୱ ପାଇଁ ଇତିହାସ ଲେଖିବେ ।  

ଏହି ଅବସରରେ ଶ୍ରୀ ପ୍ରଧାନ ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପାଠପଢାର ମନୋଭାବକୁ ପ୍ରଶଂସା କରିଥିଲେ । ସେହିପରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଥିବା ନବସୃଜନର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ ।

ଏହି ଯୁବ ଉଦ୍ଭାବକମାନଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷା ମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନଙ୍କର କୌତୁହଳ, ସୃଜନଶୀଳତା ଏବଂ ଉଦ୍ଭାବନ ଭାରତକୁ ଆଗକୁ ନେବ । ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଶିକ୍ଷା ମନ୍ତ୍ରଣାଳୟ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ ରଖିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.