ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ କନଫରେନ୍ସ ହଲ୍ରେ ବାଲେଶ୍ୱର ମୁନିସିପାଲିଟି ସୀମା ନିର୍ଦ୍ଧାରଣ (Delimitation) ବିଷୟରେ ଏକ ସମୀକ୍ଷା ସଭା ଆୟୋଜିତ ହୋଇଯାଇଛି। ଏଥିରେ ବାଲେଶ୍ଵର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ରେମୁଣା ଓ ବାଲେଶ୍ଵର ବିଧାୟକଙ୍କ ପ୍ରତନିଧି, ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି, ବାଲେଶ୍ୱର ମୁନିସିପାଲିଟିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମ୍ବନ୍ଧିତ ଗ୍ରାମପଞ୍ଚାୟତ ଗୁଡ଼ିକର ସରପଞ୍ଚମାନେ ଉପସ୍ଥିତ ଥିଲେ।
ପୂର୍ବ ପ୍ରସ୍ତାବ ଅନୁସାରେ ବାଲେଶ୍ୱର ବ୍ଲକର ୨ଟି ଗ୍ରାମ ପଞ୍ଚାୟତ ଓ ରେମୁଣା ବ୍ଲକର ୭ଟି ଗ୍ରାମ ପଞ୍ଚାୟତକୁ ବାଲେଶ୍ୱର ମୁନିସିପାଲିଟି ସୀମା ଭିତରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା।
ସଭାରେ ଅଧିକ ଗ୍ରାମ ପଞ୍ଚାୟତ ଓ ଅଞ୍ଚଳଗୁଡ଼ିକୁ ବାଲେଶ୍ୱର ମୁନିସିପାଲିଟି ସହ ଅନ୍ତର୍ଭୁକ୍ତ କରିବା ସମ୍ଭାବନା ବିଷୟରେ ଆଲୋଚନା କରାଗଲା। ଆଲୋଚନା ଅନୁସାରେ ନିମ୍ନଲିଖିତ ଗ୍ରାମପଞ୍ଚାୟତ ଓ ଅଞ୍ଚଳଗୁଡ଼ିକ ଉପରେ ବିଚାର କରାଗଲା। ସୀମା ଅନୁସାରେ ପ୍ରସ୍ତାବିତ ଗ୍ରାମ ପଞ୍ଚାୟତ/ଅଞ୍ଚଳଗୁଡ଼ିକ ହେଲା ସଦର ବ୍ଲକର ପାତ୍ରପଡା ଓ ସାରଗାଁ, ରେମୁଣା ବ୍ଲକର ହରିପୁର, ବାଲିଆ, ଭିମପୁରା, କରଞ୍ଜିଆ, କୁରୁଡା, ସରସ୍ୱତୀପୁର, ଦହାପଡା।
ଅତିରିକ୍ତ ଆଲୋଚିତ ଅଞ୍ଚଳଗୁଡ଼ିକ ହେଲା ସମଗ୍ର ରେମୁଣା ଏନ.ଏ.ସି., ଆଳୁପୁର ଗ୍ରାମ ପଞ୍ଚାୟତ, ନାଗରାମ ଗ୍ରାମ ପଞ୍ଚାୟତ, ଗେଙ୍ଗୁଟି ଗ୍ରାମ ପଞ୍ଚାୟତ (ଅଂଶ), ହିଡିଗାଁ ଗ୍ରାମ ପଞ୍ଚାୟତ (ଅଂଶ) ଓ ରଣସାହି ଗ୍ରାମ ପଞ୍ଚାୟତ (ଅଂଶ) ।
ନୂତନ ପ୍ରସ୍ତାବ ତିଆରି ପୂର୍ବରୁ ସମ୍ପୂର୍ଣ୍ଣ ସର୍ଭେ ଓ ତଦନ୍ତ କରି ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଭାରେ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ ଭାବେ ଆଗେଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା।