ଆନ୍ଦୋଳନ ଚେତାବନୀ ଦେଲେ ଅବିଭାବକ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରାଥମିକ ଶିକ୍ଷାକୁ ସାର୍ବଜନିନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ନିତି ନିର୍ଦ୍ଧାରଣ କରିଛନ୍ତି। ଏଥିପାଇଁ ବିଧି ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ କେତେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନଥିବା ପରିଲକ୍ଷିତ ହେଉଛି। ଏପରି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣା
ସଦର ବ୍ଲକ ଅନ୍ତର୍ଗତ ମସିଗୁଡ଼ାରୁ। ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ମସିଗୁଡା ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି। ନାମକୁ ମାତ୍ର ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ କିମ୍ବା ରୋଷେଇ ଗୃହ ମଧ୍ୟ ନାହିଁ। ଏହି ସ୍କୁଲରେ ସର୍ବମୋଟ ୭୩ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ପୁରୁଣା ବିଦ୍ୟାଳୟ ଭୁଷୁଡ଼ି ପଡିବା ଉପରେ। ତେଣୁ ସେହି କୋଠା ଭିତରେ ଆଉ ପାଠ ପଢ଼ା ଯାଉନାହିଁ। ପିଲାଏ ସ୍କୁଲ ଦ୍ବାର ମୁହଁରେ ପାଞ୍ଚ ବର୍ଷ ହେଲା ପାଠ ପଢୁଛନ୍ତି। ବିଦ୍ୟାଳୟରେ ନୂତନ କୋଠା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆଗକୁ ୨୬ ନଂ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ମସିଗୁଡା ଗ୍ରାମବାସୀ। ତେଣୁ ଏ ଦିଗରେ ଶିକ୍ଷା ବିଭାଗ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ବିଦ୍ୟାଳୟର ନୂତନ କୋଠା ନିର୍ମାଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।