ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ୪୦ ବର୍ଷର ପୁରୁଣା ସାନ୍ଦୁଲ ବ୍ରୀଜ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ନିର୍ମାଣ ହୋଇ ପାରୁନି ନୂଆ ବ୍ରୀଜ। ଦୀର୍ଘ ଦିନ ଧରି ଏହି ବ୍ରୀଜ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିବା ବେଳେ ଛତିକୁଡାରୁ ନର୍ଲା ଯାଏଁ ୱାନ ୱେ ରାସ୍ତା ପାଇଁ ୨୦୨୩ ରେ ଟେଣ୍ଡର ହୋଇ କାମ ଆରମ୍ଭ ହେଲା। ରାସ୍ତାଟି ଛତିକୁଡା ଛକରୁ ବୁରାଟ ଯାଏଁ ଟିକେ ଆଖି ଦୃଶିଆ କାମ ହୋଇଥିବା ବେଳେ ଘଣ୍ଟମାଳରୁ ରାସ୍ତାକଡ ଘାସ ବୁଦା ସଫା କାମ ଚାଲିଛି। ଏହା ବେହେରାପାଟି ଗ୍ରାମ ପର୍ଯ୍ୟନ୍ତ ଆସିଗଲାଣି। ହେଲେ ରାସ୍ତା ତିଆରି କାମ ଘଣ୍ଟମାଳରୁ ଆଗକୁ ଆଗେଇ ପାରୁନି। ଅଢେଇ ବର୍ଷ ହୋଇଗଲା ରାସ୍ତାକାମ କଚ୍ଛପ ଗତିରେ ଚାଲିଛି। ରାସ୍ତା ମଝି ମଝିରେ ରହିଥିବା ପୁରୁଣା ସଙ୍କୁଚିତ ପୋଲ ଗୁଡିକ ଭାଙ୍ଗି ନୂଆ ଏବଂ ପ୍ରଶସ୍ଥ ପୋଲ ହେବା କଥା। ହେଲେ ତାହା ମଧ୍ୟ ଏଯାଏଁ ହୋଇ ପାରିନି। ଗତବର୍ଷ ଫେବୃୟାରୀ ମାସରେ ସାନ୍ଦୁଲ ବ୍ରୀଜ ତଳ ମୁଣ୍ଡକୁ ଡାଇଭର୍ସନ ରାସ୍ତା ନିର୍ମାଣ ହେଲା। ଲୋକେ ଅନେକ ଆଶା ବାନ୍ଧି ବସିଲେ ଯା ହେଉ ମରଣଯନ୍ତା ସାଜିଥିବା ସାନ୍ଦୁଲ ବ୍ରୀଜ ଉପରେ ଗମନା ଗମନରୁ ତ୍ରାହି ମିଳିବ। ଲୋକଙ୍କ ସବୁ ଆଶା ଆଶାରେ ହିଁ ରହିଗଲା। ଗତ ବର୍ଷ ୨୦୨୪ ବର୍ଷା ଦିନ ଜୁଲାଇ ସାସରେ ନଈରେ ବଢି ଆସିବାରୁ ଡାଇଭର୍ସନ ରାସ୍ତାକୁ ଭାଙ୍ଗି ଦିଆଗଲା। ୨୦୨୫ ରେ ନା ଡାଇଭର୍ସନ ରାସ୍ତା ନିର୍ମାଣ ହେଲା। ନା ପୁରୁଣା ବ୍ରୀଜ ଭଙ୍ଗା ହେଲା। ପୁରୁଣା ବ୍ରୀଜ ଟି ଯେମିତିକୁ ସେମିତି ପଡି ରହିଛି । ବ୍ରୀଜଟିର ଉପର ପଟେ ଅନେକ ସ୍ଥାନରେ କଂକ୍ରୀଟ ଉଠିଯାଇ ବଡବଡ ଗାତ ସୃଷ୍ଟି ହେବା ସହ ଛଡ ସବୁ ଫୁଟି ପଦାକୁ ବାହାରି ଆସିଲାଣି। ଭୁବନେଶ୍ୱରରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥ ଉପରେ ଏହା ରହିଥିବାରୁ ଗମନା ଗମନରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗାଡି ଚାଳକ ମାନେ। ଦିନକୁ ଦିନ ଯାନ ବାହନର ଗମନା ଗମନ ସଂଖ୍ୟା ବଢିବାରେ ଲାଗିଛି। ବ୍ରୀଜର ମଝି ଅଂଶ ରୁ କଂକ୍ରୀଟ ସବୁ ବାହାରି ଯାଇ ରଡ ସବୁ ବାହାରିପଡିବା ସହିତ ଛାତ ମଝିରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଲାଣି। ବ୍ରୀଜ ର ଦୁଇକଡେ ରହିଥିବା ସିମେଣ୍ଟ ଜାଲି ବାଡ ଭାଙ୍ଗିବାକୁ ବସିଲାଣି। ବ୍ରୀଜର ଉପର ପଟେ ତ ଯାହା ହେଇଛି ଛାଡ। ତଳପଟେ ମଧ୍ୟ ପାଣି ଲାଗି ଚକଡା ଚକଡା ଖସି ପଡିଲାଣି। ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସାନ୍ଦୁଲ ସେତୁ। ଅଢେଇ ବର୍ଷ ବିତିବାକୁ ବସିଲାଣି ଠିକାଦାର କାହିଁକି ରାସ୍ତାକାମ ସମ୍ପୂର୍ଣ୍ଣ କରୁନି। ପୁରୁଣା ପୋଲ ଓ ବ୍ରୀଜ ଗୁଡିକ କାହିଁକି ଭାଙ୍ଗି ନୂଆ ବ୍ରୀଜ ନିର୍ମାଣ କରୁନି ତାହା ଜଣାପଡୁନି। ଶୁଣିବାକୁ ମିଳୁଛି ନୂଆ ସରକାର ଆସିବା ପରେ ଠିକାଦାରକୁ ରନିଙ୍ଗ ବିଲ କରି ନଦେଇଉଥିବା ହେତୁ ସମ୍ପୃକ୍ତ ଠିକାଦାର କ୍ଷୀପ୍ରଗତିରେ ରାସ୍ତାକାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନି ବୋଲି। ଏବେ ମଧ୍ୟ ଅକ୍ଟୋବର ମାସ ସରିବାକୁ ବସିଲାଣି ପୁରୁଣା ସାନ୍ଦୁଲ ବ୍ରୀଜଟି ବାଙ୍ଗିବାର ଉପକ୍ରମ କରାଯାଉନି କାରଣ ଏଯାଏଁ ଡାଇଭର୍ସନ ରାସ୍ତା ନିର୍ମାଣ କରୁନି ଠିକାଦାର। ମରଣଯନ୍ତା ସାଜିଥିବା ସାନ୍ଦୁଲ ବ୍ରୀଜଟି ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପ୍ରଶ୍ନ ଉଠୁଛି କେବେ ସୁଦ୍ଧା ନର୍ଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ? କେବେ ପୁଣା ପୋଲ ଗୁଡିକ ସ୍ଥାନରେ ନୂଆ ଓ ପ୍ରଶସ୍ତ ପୋଲ ନିର୍ମାଣ କରାଯିବ। କେବେ ନୂତନ ବ୍ରୀଜ ନିର୍ମାଣ କରାଯିବ? ଏଥିପ୍ରତି ପ୍ରଶାସନ କାହିଁକି ଗୁରୁତ୍ଵ ଦେଉନି ଏହା ଏକ ବଡ଼ ପ୍ରଶ୍ନବାଚୀ।