ସାରଙ୍ଗ ଗଡ଼ ଥାନା ଅଞ୍ଚଳର ଆଠ ଜଣ ଡକାୟତି ଗ୍ୟାଙ୍ଗ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଞ୍ଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅର୍ନ୍ତଗତ ସାରଙ୍ଗଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ କବ୍ଜାରେ ନାବାଳକ ସହ ଆଠ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସାରଙ୍ଗଗଡ଼ ଥାନା ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଟିଙ୍ଗିଆର କାଦପିଡା ଡ୍ୟାମ ନିକଟରେ କ୍ୟାମ୍ପ କରି ରହୁଥିବା ସମ୍ବଲପୁର ଅଞ୍ଚଳର ଯାଯାବର ମାନଙ୍କ ଠାରୁ ଉକ୍ତ ଡକାୟତି ଗ୍ୟାଙ୍ଗ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ନଗଦ ଦଶ ହଜାର ପାଞ୍ଚ ଶହ ଟଙ୍କା, ଏକ ମଟର ସାଇକେଲ ଓ ମୋବାଇଲ ଲୁଟି ନେଇଥିଲେ। ଯାଯାବର ମାନଙ୍କ ପକ୍ଷରୁ ଅଭିଯୋଗ ପରେ ସାରଙ୍ଗ ଗଡ଼ ଥାନା ପୋଲିସ ତତ୍ପରତା ଦେଖାଇ ଅନୁସନ୍ଧାନ କରି ସମସ୍ତ ଆଠ ଜଣ ଡକାୟତି ଗ୍ୟାଙ୍ଗଙ୍କୁ ଗିରଫ କରିବା ସହ ଲୁଟ୍ କରିଥିବା ଟଙ୍କା, ମଟର ସାଇକେଲ, ମୋବାଇଲ ଓ ସେମାନେ ବ୍ୟବହାର କରି ଥିବା ଟାଟା ଏସି ପିକପ ଭ୍ୟାନ୍ ନଂ ଓଡି ୧୧ ଟି ୭୮୭୯ ଭ୍ୟାନ୍ ଟିକୁ ଜବତ କରିଥିଲେ। ଗିରଫ ଅଭିଯୁକ୍ତ ହେଲେ ସାରଙ୍ଗ ଗଡ଼ ଥାନା ଅଧୀନରେ ଥିବା ଦାସିଗୁଡାର ଗୁଡୁ ଓରଫ ଗୁଢାକେଶ ପ୍ରଧାନ (୨୫), ଜିରିଡିକିଆର ରବି ଚନ୍ଦ୍ର ପ୍ରଧାନ(୫୫), ପାଟ୍ଟଖଣ୍ଡା ସାହିର ଉମାକାନ୍ତ ସାହୁର ଦୁଇ ପୁଅ ପିଣ୍ଟୁ ଓରଫ ହରେକୃଷ୍ଣ ସାହୁ (୨୫) ଓ ଚିଣ୍ଟୁ ଓରଫ ହୃଷୀକେଶ ସାହୁ (୨୨), ଅଶୋକ ନଗର ହରିଜନ ସାହିର ମାନସ ନାୟକ (୩୭), ଓମ୍ କୁମାର ମୁଖି (୧୮), ଦୀପକ ମୁଖି (୨୮) ଓ ନାବାଳକ ସଲାଗୁଡାର ରାକେଶ କୁମାର ବେହେରା (୧୭) ଆଠ ଜଣ ଡକାୟତକୁ କୋର୍ଟ ଚାଲାଣ କରିଛି। ତେବେ ଏନେଇ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ଥାନା କେସ ନମ୍ବର ୧୮୭/୨୫ ରେ ଏକ ମାମଲା ରୁଜୁ କରି ଦଫା ୩୧୦(୨) ଓ ୧୦୯ ବିଏନଏସ ଧାରାରେ ଏସଆଇ ଅନୀଲ କୁମାର ପଲେଇ ତଦନ୍ତ ଭାର ଗ୍ରହଣ କରି ଥିବା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.