ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶେଷ ଭୋଟର ତାଲିକା ପୁନଃସଂଶୋଧନ ଅଭିଯାନକୁ ଦୃଷ୍ଟିରେ ରଖି ସଠିକ୍ ମିଡ଼ିଆ ଓ ସୋସିଆଲ ମିଡ଼ିଆ ପରିଚାଳନା, ସୋସିଆଲ ମିଡିଆ ଓ ସାର୍ବଜନୀନ ସଂଯୋଗ ବିଷୟରେ ଅଧିକ ଅବଗତି ଓ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ ସଭା ଆୟୋଜିତ ହୋଇଯାଇଛି।
ଏହି ସଭାରେ ସମସ୍ତ ଜିଲ୍ଲାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DIPRO) ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ । ୨୦୦୭ ପରେ ପ୍ରଥମ ଥର ପାଇଁ ଏପରି ଏକ ବିସ୍ତୃତ ଏସଆଇଆର୍ (ସ୍ପେଶାଲ ଇନଟେନସିଭ୍ ରିଭିଜନ)ଅଭିଯାନ ହେବାକୁ ଯାଉଛି।
ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ରହି କହିଥିଲେ ଯେ ଭୋଟର୍ ତାଲିକା ସଠିକ୍ ଓ ସମାବେଶୀ ହେବା ଅତ୍ୟନ୍ତ ଆବଶ୍ୟକ। ଏହା ପାଇଁ ଘରେ ଘରେ ଯାଇ ସର୍ଭେ, ମୃତ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସହ ଅଯୋଗ୍ୟ ଭୋଟରଙ୍କ ନାମ କାଟିବା ଏବଂ କୌଣସି ଯୋଗ୍ୟ ଭୋଟରଙ୍କ ନାମ ଯେମିତି ଲିଷ୍ଟରୁ ବାଦ୍ ନ ପଡେ ବୋଲି ନିଶ୍ଚିତ କରାଯିବ।
ଡିଆଇପିଆରଓମାନଙ୍କୁ ଜନସାଧାରଣଙ୍କ ମଧ୍ୟରେ ସଠିକ୍ ତଥ୍ୟ ପ୍ରଚାର, ଭ୍ରମ ଓ ଭ୍ରାନ୍ତି ଦୂରୀକରଣ, ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି, ନିୟମିତ ପ୍ରେସ୍ ନୋଟ୍ ଓ ସୂଚନା ପ୍ରସାରଣ, ଇନଫୋଗ୍ରାଫିକ୍ସ ତିଆରି, ମିଡିଆ ହାଉସ, ଟିଭି ଚ୍ୟାନେଲ ଓ ନିରପେକ୍ଷ ଇନଫ୍ଲୁଏନସରମାନଙ୍କ ସହ ସଂଯୋଗ ସୃଷ୍ଟି କରି ସଚେତନତା ବଢ଼ାଇବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ନିର୍ଦ୍ଦେଶ ଦିଆ ଯାଇଛି।
ସେଥିସହିତ ବୁଥ୍ ସ୍ତରୀୟ ଅଧିକାରୀ (BLO) ଓ ବ୍ଲକ୍ ସ୍ତରୀୟ ପ୍ରତିନିଧି (BLA)ମାନଙ୍କ ଅଭିଜ୍ଞତା ଓ ମତାମତକୁ ଡକ୍ୟୁମେଣ୍ଟ କରିବା ଓ ଇସିଆଇ ନେଟ୍ ଆପ୍ ବ୍ୟବହାର ସମ୍ପର୍କରେ ଜନସଚେତନତା ବଢ଼ାଇବାକୁ ମଧ୍ୟ ଉଲ୍ଲେଖ କରାଯାଇଛି ।