ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବସଷ୍ଟାଣ୍ଡ ପାଖରେ ଥିବା ଏକ ବାଣ ଗୋଦାମ ଉପରେ ଚଢାଉ କରିଛି ପୋଲିସ। କେସିଙ୍ଗା ଏସଡିପିଓ ସମ୍ବିତ ମାଝୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ବାହୀନି ନର୍ଲାର ଏହି ବେଆଇନ ବାଣ ଗୋଦାମ ଉପରେ ଗୁରୁବାର ସନ୍ଧ୍ୟା ୬ ଟା ବେଳେ ଚଢ଼ାଉ କରି ପର୍ଯ୍ୟାପ୍ତ ବାଣ ଜବତ କରିଛନ୍ତି। କମ୍ପ୍ଲେସର ଉପର ମହଲାରେ ରହିଥିବା ଦୁଇଗୋଟି ଦୋକାନ ସୁଟ ରେ ତଳେ କୁନିଆ ପୂଜା ଦୋକାନ ଖୋଲିଥିବା ବୁଲୁ ସାହୁ ବିନା ଲାଇସେନ୍ସରେ ଏହି ବାଣ ସବୁ ବେଆଇନ ଭାବରେ ଗୋଦାମରେ ଗଚ୍ଛିତ ରଖିଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସନ୍ଧ୍ୟା ୬ ଟା ବେଳେ ବାଣ ଗୋଦାମ ଉପରେ ଚଢ଼ାଉ କରି ବାଣ ସବୁ ଜବତ କରି ବେଆଇନ ବାଣ ସବୁ ନର୍ଲା ଥାନାକୁ ନେଇ ଆସିଛି ପୋଲିସ। ଏହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଚଳିତ ବର୍ଷ ଜିଲ୍ଲାର କୌଣସୀ ବାଣ ବ୍ୟବସାୟୀଙ୍କୁ ଅଦ୍ୟାବଧି ଲାଇସେନ୍ସ ଦିଆଯାଇନି। ଏଭଳି ବେଆଇନ ବାଣ କାରବାର କରୁଥିବା ମ ରାମପୁର, କେସିଙ୍ଗାର ୧୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ବାଣ ଜବତ କରିସାରିଛୁ ବୋଲି ପ୍ରକାଶ କରିଛନ୍ତି ଏସଡିପିଓ ଶ୍ରୀ ମାଝୀ। ହେଲେ ଏଇଠି ବୁଝା ପଡୁନି ପ୍ରତିବର୍ଷ ଲାଇସେନ୍ସ କରି ବାଣ ବିକ୍ରୟ କରୁଥିବା ଓ ଚଳିତ ବର୍ଷ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟବସାୟୀଙ୍କୁ ଏଯାଏଁ ଲାଇସେନ୍ସ ଦେଇନି ବିଭାଗ। ଏପଟେ ଦୀପାବଳୀକୁ ଆଉ ତିନିଦିନ ବାକି ରହିଲା। ସରକାର ବ୍ୟବସାୟୀଙ୍କୁ କେବେ ଲାଇସେନ୍ସ ଦେବେ? ଆଉ ବାଣ ବ୍ୟବସାୟୀ ଯେବେ ବାଣ ବିକିବେ ବୋଲି ବ୍ୟବସାୟୀ ମହଲରେ ସରକାରଙ୍କ ଚିନ୍ତନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।