ବୈଜ୍ଞାନିକଙ୍କୁ କଳ୍ପନାରୁ ବାସ୍ତବତା ଆଡକୁ ବାଟ ଦେଖାଏ ବିଜ୍ଞାନ

• ଭାରତରତ୍ନ କାଲାମଙ୍କ ଜୟନ୍ତୀରେ ‘କାଲାମ, ବିଜ୍ଞାନ ଓ ମଣିଷ ସମାଜ’ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନର ଦିବ୍ୟ ଦୃଷ୍ଟି ‘ପ୍ରଜାପତି’ ଓ ଶିକ୍ଷା ଅନୁଷ୍ଠାନ ବିଦ୍ୟାର୍ଥୀ-ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ଭାରତର ରତ୍ନ ଅବଦୁଲ କାଲାମଙ୍କ ଜୟନ୍ତୀ ପାଳନ ଅବସରରେ ‘କାଲାମ୍ : ବିଜ୍ଞାନ ଓ ମଣିଷ ସମାଜ’ ଶୀର୍ଷକ ଏକ ଆଲୋଚନା ଚକ୍ର ବିଦ୍ୟାର୍ଥୀ-ଫାଉଣ୍ଡେସନ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଆଲୋଚନାଚକ୍ରରେ ଅବଦୁଲ କାଲାମଙ୍କ ଜୀବନୀ, ଶିକ୍ଷା ଓ ବିଜ୍ଞାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁଣାତ୍ମକ ତଥା ଉପାଦେୟ ‘ବୈଜ୍ଞାନିକ ରାଷ୍ଟ୍ରପତି ଅବଦୁଲ କଲାମ’ ପୁସ୍ତକର ଲେଖକ ଦୀନବନ୍ଧୁ ଲେଙ୍କା ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ବକ୍ତବ୍ୟରେ ଶ୍ରୀ ଲେଙ୍କା କହିଥିଲେ ଯେ “କଳ୍ପନାର କଥା ସବୁ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ ସମ୍ପଦ। ବୈଜ୍ଞାନିକଙ୍କ କଳ୍ପନାମାନଙ୍କୁ ବାସ୍ତବତାର ପଥ ଦେଖାଏ ବିଜ୍ଞାନ। ଆଲୋଚନାଚକ୍ରରେ ଉପସ୍ଥିତ ଶିକ୍ଷାର୍ଥୀମାନଙ୍କୁ ସେ ଅବଦୁଲ୍ କାଲାମ୍‌ଙ୍କ ଜୀବନୀ, ଶିକ୍ଷା, ବିଜ୍ଞାନ ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ଅନେକ ଶିକ୍ଷଣୀୟ କଥା ଉପସ୍ଥାପନା କରିଥିଲେ ।

ମୁଖ୍ୟବକ୍ତା ଭାବେ ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ କହିଲେ ଯେ “ବିଜ୍ଞାନର ବ୍ୟବହାର ପ୍ରକୃତି ଓ ମାନବ ସମାଜର ମଙ୍ଗଳ ପାଇଁ ହେବା ଆବଶ୍ୟକ। କାଲାମଙ୍କ ମତରେ ବିଜ୍ଞାନ ମନୁଷ୍ୟକୁ ଈଶ୍ବରଙ୍କ ଠାରୁ ଦୂରେଇ ନିଏ ନାହିଁ ବରଂ ବିଜ୍ଞାନ ମାଧ୍ୟମରେ ଆଧ୍ୟାତ୍ମିକତାର ବିକାଶ ସମ୍ଭବପର। ଛାତ୍ରଛାତ୍ରୀମାନେ ତାଙ୍କ ଜୀବନୀ ପଢ଼ି ନିଜ ଜୀବନ ଗଢ଼ି ପାରିଲେ ସେମାନେ ସମାଜର ସନ୍ତକ ହୋଇ ରହିବେ।

ବିଦ୍ୟାର୍ଥୀ-ଫାଉଣ୍ଡେସନ୍‌ର ମୁଖ୍ୟ ଶିକ୍ଷାବିତ୍ ବିପ୍ଳବ ଦାସ ମହାପାତ୍ର ଆଲୋଚନା ଚକ୍ର ପରିଚାଳନା କରି ଶିକ୍ଷାର୍ଥୀମାନଙ୍କୁ କାଲାମ୍‌ଙ୍କ ପରି ସ୍ୱପ୍ନ ଦେଖି ନିଜକୁ ତିଆରି କରିବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ପାର୍ଥସାରଥୀ ସାହୁ ଯୋଗଦାନ କରିଥିଲେ ଓ ଶିକ୍ଷକ ରବିରଞ୍ଜନ ସାମଲ କାଲାମଙ୍କ କଥା ସ‌ହ ଶେଷ କଥା ରଖିଥିଲେ।

ଆଲୋଚନା ଚକ୍ରରେ ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ଓ ପ୍ରତ୍ୟକ୍ଷ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ଆଦ୍ୟାଶା ପଲେଇ ଓ ବୈଭବୀ ଦାସ ସହଯୋଗ କରିଥିଲେ। ଏକ ସୁନ୍ଦର ଶୃଙ୍ଖଳିତ ପରିବେଶ ଭିତରେ ଶେଷରେ ଅତିଥି ଓ ଛାତ୍ରଛାତ୍ରୀମାନେ ଭାରତରତ୍ନ ଅବଦୁଲ୍ କାଲାମ୍‌ଙ୍କୁ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.