ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନିଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ସମ୍ମାନିତ ଅତିଥି ଭାବେ ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ଏବିଇଓ ସୁଢ଼ଳଦେବ ମୁଣ୍ଡ, ଅବସରପ୍ରାପ୍ତ ଏବିଇଓ ଦ୍ରୋଣ ରଣା, ବର୍ଣ୍ଣାଳୀ ଆଞ୍ଚଳିକ ପରିଚାଳକ ସ୍ୱାହା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବ୍ଲକ ଅନ୍ତର୍ଗତ ୧୭ଟି କ୍ଲଷ୍ଟରର ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ମଞ୍ଚ ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷକ ଅନୀଲ ଚନ୍ଦ୍ର ସାହୁ। ଧନ୍ୟବାଦ ଦେଇଥିଲେ ସିଆରସିସି ନୀଳମଣି ସାହୁ। ଏଥିରେ ସମସ୍ତ ସିଆରସିସି, ବିଇଓ କାର୍ଯ୍ୟାଳୟର କର୍ମକର୍ତ୍ତା ତଥା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।