ଓଡ଼ିଆ ବାର୍ତ୍ତା/ କଟକ: କଟକ ମହାନଦୀ ବିହାର ପୋତାପୋଖରୀ ସ୍ଥିତ ଶ୍ରୀ ରାଧାମୋହନ ଜୀୟୁ ମନ୍ଦିର ଠାରେ କଟକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନିରପେକ୍ଷ ଦୈନିକ ସମ୍ବାଦପତ୍ର ‘ସତ୍ୟପତ୍ର’ର ଶୁଭ ଉନ୍ମୋଚନ ହୋଇଯାଇଛି। କଟକ ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରାଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସତ୍ୟପତ୍ର ପତ୍ରିକାର ସମ୍ପାଦକ ସତ୍ୟରଞ୍ଜନ ଦାସ, ମୁଖ୍ୟବକ୍ତା ଭାବେ କଟକ ସଦର ବିକାଶ ମଞ୍ଚର ସଭାପତି ତଥା ଉତ୍କଳ ଯାଦବ ମହାସଭାର ସମ୍ପାଦକ ସୁବୋଧ କୁମାର ବେହେରା, ସମ୍ମାନୀୟ ଅତିଥି ଭାବେ ବାସ୍ତୁ ଶାସ୍ତ୍ର ଜ୍ୟୋତିର୍ବିଦ ପଣ୍ଡିତ ସତ୍ୟବ୍ରତ ତ୍ରିପାଠୀ, କଟକ ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ତରୁଣ କୁମାର ବେହେରା, ଜିଲ୍ଲା ଯାଦବ ମୁରବୀ ଅଶୋକ କୁମାର ପରିଡା ଓ ୪୨ମୌଜା ଯାଦବ ମହାସଭା ସମ୍ପାଦକ ପ୍ରସନ୍ନ କୁମାର ବେହେରା ଉପସ୍ଥିତ ଥିଲେ। ମହାସଭା ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ସତ୍ୟପତ୍ର ପତ୍ରିକାର ସମ୍ପାଦକ ସତ୍ୟରଞ୍ଜନ ଦାସ ଏହି ନିରପେକ୍ଷ ଦୈନିକ ପତ୍ରିକା ବାବଦରେ ନିଜର ବକ୍ତବ୍ୟ ରଖିବା ସହ ୪୨ମୌଜା ଯାଦବ ମହାସଭାର ସଭାପତି ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରାଙ୍କୁ ସତ୍ୟପତ୍ର ପତ୍ରିକାର ସାମ୍ବାଦିକ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ସଭାରେ ଘୋଷଣା କରିଥିଲେ। ଏଥିସହ ବୁଲେଇ ବେହେରା ତାଙ୍କ ଜୀବନ କାଳ ମଧ୍ୟରେ ବହୁ ଉପାଦେୟ ଗଛ ଲଗାଇ ସେଗୁଡିକର ଯତ୍ନ ନେଇ ଆସୁଛନ୍ତି। ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କୁ “ଗଛ ମଣିଷ” ଉପାଧି ପ୍ରଦାନ କରାଯାଇ ସେ ସମ୍ପର୍କିତ ସ୍ମୃତି ଫଳକ ସ୍ମାରକୀ ପ୍ରଦାନ କରାଯାଇଥିଲା। ଏଥିସହ ସତ୍ୟପତ୍ରରେ ସାମ୍ୱାଦିକତା ସମ୍ପର୍କିତ ତାଙ୍କର ନିଯୁକ୍ତିପତ୍ର, ଆଇ. କାର୍ଡ ଓ ଉପହାର ଇତ୍ୟାଦି ପ୍ରଦାନ କରାଯାଇଥିଲା। ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟରେ ଜଣାଇଥିଲେ କଟକ ଜିଲ୍ଲାର ବିଭିନ୍ନ ଅଂଚଳର ଶିକ୍ଷିତ ଉତ୍ସାହି ବ୍ୟକ୍ତିବିଶେଷଙ୍କୁ ସତ୍ୟପତ୍ର ପତ୍ରିକାରେ ସାମ୍ବାଦିକତା ପାଇଁ ସୁଯୋଗ ଦିଆଯିବ। କଟକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସ୍ୱହାର୍ଯ୍ୟପୂର୍ଣ୍ଣ ସହଯୋଗ ପାଇଁ ମୁଖ୍ୟ ଅତିଥି ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ବେହେରା, ସୁଦାନ ବେହେରା, ଆଶିଷ କୁମାର ବେହେରା, ରାକେଶ ବେହେରା ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରସନ୍ନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।