ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାରା ରାଜ୍ୟରେ ବାତ୍ୟା ମୋନ୍ଥାକୁ ନେଇଁ ଲୋକେ ଯେତେ ଚିନ୍ତିତ ରହିଥିଲେ ଏବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ପଞ୍ଚାୟତର ଚାଷୀ ଚାଷକୁ ନେଇଁ ସେଥିକି ଚିନ୍ତିତ ଅଛନ୍ତି। ବାତ୍ୟା ମୋନ୍ଥା ଯୋଗୁଁ ତିନି ଦିନ ଧରି ଝିପିଝିପି ବର୍ଷା ସାଙ୍ଗକୁ ପବନ ବହୁ ଥିବାବେଳେ ଧାନ, ମାଣ୍ଡିଆ, କୋସଲା, ଓ ଡାଲି ଜାତୀୟ ଫସଲ ବିରି, ଝୁଡୁଙ୍ଗ, କଟିଙ୍ଗ ଏବେ ବର୍ତ୍ତମାନ ଗଜା ହେବାର ଆଶଙ୍କା ଦେଖା ଦେଲାଣି। ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀ ମାନେ ମୁଖ୍ୟତଃ ଧାନ, ମାଣ୍ଡିଆ, କୋସଳା ସମେତ ପଡ଼ୁଚାଷ ଉପରେ ନିର୍ଭର କରିଥାନ୍ତି। ହେଲେ ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଚାଷୀ ଏବେ ଚାଷପାଇଁ ହତାଶ ହୋଇ ପଡିଛନ୍ତି। ସୂଚନା ମତେ ବେନଗାଁ ପଞ୍ଚାୟତ ଉପର ଦାମାଘଟି ଗାଁର ସହଦେଵ ହରିଜନ ଧାନ ଅମଳ ପାଇଁ ଧାନବିଲରେ ଧାନକାଟି ଥିବା ବେଳେ, ସେହିପରି ସୁଶାନ୍ତ ହରିଜନ ଓ ପଦ୍ମଥୋପ ଗାଁର ଶ୍ରୀକାନ୍ତ ନାଏକଙ୍କ ଧାନ ବିଲରେ ପାଣି ଜମି ରହିଛି ଯାହାଫଳରେ ଧାନ ଗଜା ହେବାର ଆଶଙ୍କା ଦେଖା ଦେଇଛି। ସେହିପରି ଦମାଘାଟିର ଶାନ୍ତି ହରିଜନ ଏକ ଏକର ମାଣ୍ଡିଆ ଚାଷ କରିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ମାଣ୍ଡିଆ ଫସଲ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ବେଳେ ଚାଷୀ କ୍ଷତିପୂରଣ ଦାବିକରିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ ଏବେ ଯାଏଁ କୌଣସି କ୍ଷୟକ୍ଷତିର ଆକଳନ ହୋଇନଥିବା ସୂଚନା ମିଳିଛି। ଏହାକୁ ନେଇଁ ବେନଗାଁ ପଞ୍ଚାୟତ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ନିହାତି ଭାବେ କ୍ଷୟକ୍ଷତିର ଆକଳନ କରାଯିବ ଓ ଯାହାର ଯାହାବି କ୍ଷୟକ୍ଷତି ହୋଇଛି ଆକଳନ ପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।





