ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ୪୬ତମ ଶାରଳା ପୁରସ୍କାର

ରାମହରି ଦାସ ଓ ବଳଦେବ ମହାରଥାଙ୍କୁ ପ୍ରଦାନ କରାଗଲା କଳା ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରା ଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ହିନ୍ଦୀ କବି ଓ ଲେଖିକା ପ୍ରଫେସର ସବିତା ସିଂହ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

‘ଟାଇମ୍‍ପାସ’ ପ୍ରକାଶିତ ତାଙ୍କର ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖିକଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବର୍ଷିୟାନ୍‍ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ରାମହରି ଦାସ ଏବଂ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଅଧ୍ୟକ୍ଷତା କରି ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା କହିଥିଲେ ଯେ ଶାରଳା ପୁରସ୍କାର ବିଜେତା ଶ୍ରୀ ଦେବଦାସ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରି ଆସିଛନ୍ତି। ପୁରସ୍କୃତ ଗଳ୍ପ ସଂକଳନରେ ସେ ଜୀବନର ଅନେକ ସାଧାରଣ ତତ୍ତ୍ୱକୁ ଅସାଧାରଣ ଉଚ୍ଚତାକୁ ନେଇ ପାରିଛନ୍ତି, ଯାହା କେବଳ ସୁଖପାଠ୍ୟ ନୁହେଁ, ଶିକ୍ଷଣୀୟ ଓ ଅନୁକରଣୀୟ ମଧ୍ୟ। ଓଡ଼ିଆ ଭାଷା-ସାହିତ୍ୟର ସମୂହ ବିକାଶ ଓ ସମୃଦ୍ଧି ପାଇଁ ଆଜିକୁ ଚାରି ଦଶନ୍ଧି ତଳେ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ। ଓଡ଼ିଶାର କଳା-ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ଦିଗରେ ଏହି ପୁରସ୍କାର ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରିଛି ବୋଲି ମୁଁ ଅନୁଭବ କରୁଛି।

Udyog Nursery
Udyogi Nursery

ଏହି ଅବସରରେ ମୁଖ୍ୟଅତିଥି ପ୍ରଫେସର ସବିତା ସିଂହ କହିଥିଲେ ଯେ ସାହିତ୍ୟ ମଣିଷ ଦ୍ୱାରା ନିଜସ୍ୱ ଖୁସି ଏବଂ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ। ଏବଂ ଏହି ଖୁସି ବିଶ୍ଵର ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଏବଂ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ। ଏହି ସମସ୍ତ ସାମାଜିକ କାର୍ଯ୍ୟର କେନ୍ଦ୍ରରେ ଥାଏ ପ୍ରେମ, ଯାହାକୁ କବିତା ମୁକ୍ତ ଭାବରେ ଉପସ୍ଥାପନ କରେ। ମୁଁ ବହୁତ ଖୁସି ଯେ ମୋର ପ୍ରିୟ କବି ଦେବଦାସ ଛୋଟରାୟ ଏହି ପୁରସ୍କାର ପାଉଛନ୍ତି। ଏହା କେବଳ ଓଡ଼ିଆ ସାହିତ୍ୟ ପାଇଁ ନୁହେଁ, ସାରା ବିଶ୍ୱର ସାହିତ୍ୟ ପାଇଁ ଅଶେଷ ଗୁରୁତ୍ୱପୂର୍ଣ୍ଣ। ତାଙ୍କ କବିତା ସାରା ବିଶ୍ୱକୁ ସାହିତ୍ୟ ସହ ଯୋଡିଥାଏ ଏବଂ ଏହାର ଗଭୀରତା ପାଠକଙ୍କୁ ସ୍ପର୍ଶ କରେ।

ଶାରଳା ପୁରସ୍କାର ପ୍ରାପକ ଶ୍ରୀ ଦେବଦାସ ଛୋଟରାୟ କହିଥିଲେ ଯେ ମୁଁ ଲେଖେ ନାହିଁ କୌଣସି ବୁଝି ନହେଉଥିବା ଉପଭୋକ୍ତା ପାଇଁ, ଯାହା ଉପରେ ମୋର କୌଣସି ବିଶ୍ୱାସ ନାହିଁ। ମୁଁ କେବଳ ମୋ ପାଇଁ ଲେଖେ, ଆଉ ମୋର କିଛି ବନ୍ଧୁମାନଙ୍କ ପାଇଁ। ଆଉ ମୁଁ ପୁଣି ଲେଖେ ସମୟ କାଟିବାର ଶ୍ଳେଷକୁ ଲାଘବ କରିବା ପାଇଁ। ମୋର ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ବିବେଚିତ ହୋଇଥିବାରୁ, ମୁଁ ଶାରଳା ପୁରସ୍କାରର ଉଦ୍ୟୋକ୍ତାମାନଙ୍କ ପାଖରେ ଚିର କୃତଜ୍ଞ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲେଖକ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ତଥା ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ ଇଲା ପଣ୍ଡାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ‘ଇମ୍ପାକ୍ଟ’ ତରଫରୁ ଶାରଳା ପୁରସ୍କାର, ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ସହିତ ଏକଲବ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇ ଆସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.