ଓଡ଼ିଆ ବାର୍ତ୍ତା/ ଭଦ୍ରକ: ଉଇକିମିଡ଼ିଆ ଫାଉଣ୍ଡେସନର ସିଷ୍ଟର ପ୍ରକଳ୍ପ ‘ଉଇକିଡାଟା’ର ୧୩ ବର୍ଷ ପୂର୍ତି ଅବସରରେ ଓଡ଼ିଆ ଉଇକିମିଡ଼ିଆନ୍ସ ଉଇଜର ଗ୍ରୁପ୍ ଦ୍ୱାରା ଭଦ୍ରକରେ ଏକ କ୍ଷୁଦ୍ର ମେଳଣ ଆୟୋଜିତ ହୋଇଥିଲା । ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଏହି ଡାଟାବେସ୍, ଉଭୟ ମେସିନ୍ ଓ ମନୁଷ୍ୟ ଦୁହିଁଙ୍କ ପାଇଁ ପଠନଯୋଗ୍ୟ ତଥ୍ୟ ସଂଗ୍ରହ ଇକୋସିସ୍ଟମ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ମେଳଣଟି ସଂଗ୍ରାମ କେଶରୀ ସେନାପତିଙ୍କ ବାସଭବରେ ଆୟୋଜିତ ହୋଇଥିଲା, ଯେଉଁଥିରେ ସଂଗ୍ରାମ କେଶରୀ ସେନାପତି, ଚିରଶ୍ରୀ ଚିନ୍ମୟୀ ଚଇନି, ବିଚିତ୍ରାନନ୍ଦ ଜେନା ଓ ମୋନାଲିସା ସାହୁ ଭଳି ଓଡ଼ିଆ ଉଇକିଆଳିମାନେ ଯୋଗ ଦେଇଥିଲେ । ଓଡ଼ିଆ ଉଇକିସୋର୍ସର ପରିଚାଳକ ସଂଗ୍ରାମ କେଶରୀ ସେନାପତି କହିଛନ୍ତି, “ଆମେ ଓଡ଼ିଆ ଉଇକିଆଳିମାନେ ଉଇକିଡାଟା ଆରମ୍ଭ ହେବାରୁ ଏପର୍ଯ୍ୟନ୍ତ ସକ୍ରିୟ ଭାବରେ କାମ କରି ଆସିଛୁ । ଆମର ଜଣେ ପରିଚାଳକ ମୃତ୍ୟୁଞ୍ଜୟ କର ଅସାଧାରଣ କାମ କରିଛନ୍ତି; ସେ ଓଡ଼ିଆ ଓ ଓଡ଼ିଶା-ସମ୍ବନ୍ଧୀୟ ବିଷୟରେ ନୁହେଁ, ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଉଲ୍ଲେଖନୀୟ ଅବଦାନ କରିଛନ୍ତି । ୨ ଲକ୍ଷରୁ ଅଧିକ ସମ୍ପାଦନ ସହିତ ସେ ଓଡ଼ିଆ, ଇଂରାଜୀ ଓ ଅନ୍ୟ ଭାଷାର ଉଇକିପିଡ଼ିଆ ପାଇଁ ବିଭିନ୍ନ ଡ୍ୟାସବୋର୍ଡ଼ ତିଆରି କରିଛନ୍ତି । ଏହା ଆମ ପାଇଁ ଏକ ଗର୍ବର ବିଷୟ ।” ୨୦୨୩ ମସିହାରେ ଉଇକିମିଡ଼ିଆ ସମୁଦାୟରେ ଯୋଗ ଦେଇଥିବା ମୋନାଲିସା ସାହୁ କହିଥିଲେ, “ମୁଁ ୨୦୨୩ ମସିହାରୁ ଉଇକିପିଡ଼ିଆ ସହ ଜଡ଼ିତ । ଏଠାରେ ସମସ୍ତଙ୍କ ସହିତ ମିଶି ଏହି ଖୁସିର ଅବସର ପାଳନ କରିବା ମୋ ପାଇଁ ବିଶେଷ ଆନନ୍ଦଦାୟକ ।” ଉପସ୍ଥିତ ସଦସ୍ୟଗଣ ସଂଗ୍ରାମଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ କୃତଜ୍ଞତା ଜଣାଇଲେ, ଯେଉଁଥିରେ #100wikidays ଚ୍ୟାଲେଞ୍ଜ ସହ ଅନେକ ନୂତନ ଉଇକିଡାଟା ପ୍ରକଳ୍ପ ଆରମ୍ଭ କରିଛନ୍ତି । ଉଇକିଡାଟାରେ ସେ ୪ ଲକ୍ଷରୁ ଅଧିକ ସମ୍ପାଦନା କରିଛନ୍ତି । ସେ ନିକଟରେ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଆଲବମ୍, ଯାତ୍ରା ଦଳ ତଥା ଅଭିନେତାମାନଙ୍କର ତଥ୍ୟ ଯୋଗ କରିବା ଉପରେ କାମ କରୁଛନ୍ତି, ଯାହା ଆଗାମୀ ଦିନରେ ଓଡ଼ିଆ ଉଇକିପିଡ଼ିଆ ପାଇଁ ବିଶେଷ ଭାବରେ ସହାୟକ ହେବ ।





