‘ସମାଜନିଷ୍ଠ ବାସ୍ତବତାର ଆଧୁନିକ କବି ବେଣୁଧର’
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରଫେସର ବେଣୁଧର ରାଉତ ସମାଜନିଷ୍ଠ ବାସ୍ତବତାର କବି । ତାଙ୍କ କବିତାର ପିଙ୍ଗଳା ଚରିତ୍ର ଆଧୁନିକ ଓଡ଼ିଆ କବିତାର ଦିଗ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲା । ତାଙ୍କ କାବ୍ୟ ଆଭିମୁଖ୍ୟର ପ୍ରମୁଖ ଦିଗ ହେଉଛି ଚେତନାକୁ ଆଲୋକଦୀପ୍ତ କରିବା । ଆଧ୍ୟାତ୍ମିକ ଉନ୍ମେଷଣରେ ଭରା ତାଙ୍କ କବିତା ।
ସାହିତ୍ୟ ଅକାଦେମି ଏବଂ ରାଜଧାନୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବେଣୁଧର ରାଉତଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଏହା କହିଛନ୍ତି ଆଲୋଚକମାନେ ।
ଏକଦିବସୀୟ ଆଲୋଚନାଚକ୍ରର ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆହ୍ୱାନକାରୀ ତଥା ବିଶିଷ୍ଟ କଥାକାର ଡ. ଗୌରହରି ଦାସ । ସ୍ୱାଗତ ଭାଷଣ ପ୍ରଦାନ କରିବା ପୂର୍ବକ କବି ବେଣୁଧର ରାଉତଙ୍କ କବିତା ଓ ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ ସାହିତ୍ୟ ଅକାଦେମିର ସଚିବ ଡ. କେ. ଶ୍ରୀନିବାସରାଓ ।
ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜକାନ୍ତ ଚୌଧୁରୀ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ଡ. ମନ୍ମଥ ନାଥ ଘଡ଼େଇ । ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ କବି ଓ ସମାଲୋଚକ ଡ. ଶତ୍ରୁଘ୍ନ ପାଣ୍ଡବ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କବିଙ୍କ ପୁତ୍ର ସଞ୍ଜୟ କୁମାର ରାଉତ ।
ଉଦ୍ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାୟକ । ସଂଯୋଜନା କରିଥିଲେ ଡ. ପ୍ରଶାନ୍ତ କୁମାର ମହାରଣା ।

ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ପ୍ରଫେସର ଲମ୍ବୋଦର ସାହୁ । ପ୍ରବନ୍ଧ ଉପସ୍ଥାପନ କରିଥିଲେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡ. ବିଜୟଲକ୍ଷ୍ମୀ ଦାଶ ।

ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର । ପ୍ରବନ୍ଧ ପାଠ କରିଥିଲେ ଡ. ଆଶୁତୋଷ ମଲ୍ଲିକ, ଡ. ଦିଲୀପ କୁମାର ସ୍ୱାଇଁ ଏବଂ ଡ. ପୁଷ୍ପଲତା ରଥ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି, ଲେଖକ, ଗବେଷକ, ଗବେଷିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।





