ପ୍ରଫେସର ନୀଳମାଧବ କରଙ୍କୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ ଯେ, ବ୍ରିଟେନର ବ୍ଲାକ୍ କଣ୍ଟ୍ରି ହେଲଥ୍ କେୟାର୍‌ ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ‌ରେ କାର୍ଯ୍ୟରତ ପ୍ରସିଦ୍ଧ ଓଡ଼ିଆ ମନୋଚିକିତ୍ସକ ପ୍ରଫେସର ନୀଳମାଧବ କର‌ଙ୍କୁ ଏଲସେଭିଅର୍ ଓ ଷ୍ଟାନଫୋର୍ଡ ୟୁନିଭର୍ସିଟି‌ଙ୍କ ଦ୍ୱାରା ବିଶ୍ୱର ଶୀର୍ଷ ୨% ବୈଜ୍ଞାନିକମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ତିନି ଶହରୁ ଅଧିକ ବୈଜ୍ଞାନିକ ଗବେଷଣାପତ୍ର, ରିଭିଉ ଆର୍ଟିକଲ୍‌, ଅଧ୍ୟୟନ ପୁସ୍ତକ ଓ ପାଠ୍ୟପୁସ୍ତକର ସ୍ରଷ୍ଟା ପ୍ରୋଫେସର୍ ଡାକ୍ତର କର ମନୋସ୍ତାତ୍ତ୍ବିକ ଚାପ, ବୃଦ୍ଧାବସ୍ଥା ମନୋରୋଗ (Geriatric Psychiatry) ଓ ମନୋଚିକିତ୍ସା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ସେ ୟୁନିଭର୍ସିଟି ଅଫ୍‌ ୱୋଲଭରହାମ୍ପଟନ୍‌ରେ ମନୋଚିକିତ୍ସାର ସମ୍ମାନନୀୟ ପ୍ରୋଫେସର ଭାବେ କାର୍ଯ୍ୟରତ ଓ ଟ୍ରଷ୍ଟ ମାଧ୍ୟମରେ ମନୋସ୍ୱାସ୍ଥ୍ୟ ସେବାର ଉନ୍ନୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସେଠାର ନୂତନ ଭାବେ ପ୍ରକାଶିତ Geriatric Psychiatry in South Asia ଦକ୍ଷିଣ ଏସିଆର ବୃଦ୍ଧାବସ୍ଥା ମନୋସ୍ୱାସ୍ଥ୍ୟ ବିଷୟକ ପ୍ରଥମ ସଂପୂର୍ଣ୍ଣ ଗବେଷଣା ଗ୍ରନ୍ଥ ଭାବେ ପରିଗଣିତ।ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମାଧବ ରାଓ ଏହି ଅବସରରେ ବଧାଇ ଜଣାଇ କହିଛନ୍ତି, “ଏହି ସମ୍ମାନ ପ୍ରୋଫେସର କରଙ୍କ ମନୋସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ପ୍ରତି ଅତୁଟ ସମର୍ପଣର ପ୍ରମାଣ। ଆମେ ତାଙ୍କ ଉପଲବ୍ଧି ଓ ଜାତୀୟ-ଆନ୍ତର୍ଜାତୀୟ ପ୍ରଭାବ ପାଇଁ ଗର୍ବିତ।” ନିଜ ପ୍ରତିକ୍ରିୟା ଜଣାଇ ପ୍ରୋଫେସର କର କହିଛନ୍ତି, “ମୁଁ ଆଶା କରେ ଏହି ସମ୍ମାନ ମୋ ସହପାଠୀମାନଙ୍କୁ ଗବେଷଣା ଓ ପ୍ରକାଶନରେ ଆଗ୍ରହୀ କରିବ। ଗବେଷଣାସଚଳ ସଂସ୍ଥାଗୁଡ଼ିକ ସଦା ଉତ୍କୃଷ୍ଟ ରୋଗୀସେବା ଦେଇପାରିବେ।” ଫ୍ଲୋରେନ୍ସ ଓକ୍ୱୁ, ଟ୍ରଷ୍ଟର ଗବେଷଣା ଓ ନବୀନତା ପ୍ରମୁଖ, ତାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରି କହିଛନ୍ତି, “ପ୍ରୋଫେସର୍ କରଙ୍କ କାର୍ଯ୍ୟ ଡାକ୍ତର, ଶିକ୍ଷକ ଓ ନୀତିନିର୍ଦ୍ଦେଶକମାନଙ୍କ ସହଯୋଗରେ ଭବିଷ୍ୟତର ମନୋସ୍ୱାସ୍ଥ୍ୟ ସେବାକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।” ଜଣେ ଓଡ଼ିଆ କବି ଏବଂ ଦ୍ଵିଭାଷୀ ‘ସୃଜନ’ ପତ୍ରିକାର ସମ୍ପାଦକ ପ୍ରଫେସର ନୀଳମାଧବ କରଙ୍କ ଏହି ଆନ୍ତର୍ଜାତୀୟ ସମ୍ମାନ ଓଡ଼ିଶା ଓ ସମଗ୍ର ଓଡ଼ିଆ ସମାଜ ପାଇଁ ଗର୍ବ ଓ ଆନନ୍ଦର କାରଣ ହୋଇଛି। ତାଙ୍କର ଏହି ଉଲ୍ଲେଖନୀୟ ଉପଲବ୍ଧି ଉପଲକ୍ଷେ ରାଜ୍ୟରେ ଓ ବିଦେଶରେ ଥିବା ଓଡ଼ିଆମାନେ ହୃଦୟପୂର୍ବକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.