ସାମାଜିକ ବାସନ୍ଦର କରୁଣ ଚିତ୍ର : ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହା ହେଲେ ଶବ

ବାସନ୍ଦ ଯୋଗୁଁ ଶବ ସତ୍କାର ଘଟଣାକୁ ଖଣ୍ଡନ କରିଛି କ୍ଷେତ୍ରୀୟ ପାଇକ ସମାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଧୁନିକ ଯୁଗ ଓ ଆଧୁନିକ ଶିକ୍ଷା ସତ୍ୱେ ଆଜି ବି ଲୋକଙ୍କ ମନରେ ବସା ବାନ୍ଧିରହିଛି କୁସଂସ୍କାର। ଅଳନ୍ଧୁ ପରି ଜାବୁଡି ଧରିଛି ସାମାଜିକ କଟକଣା। ଏହି ଭେଦଭାବ, କଟକଣା ଏତେ ମଜବୁତ ଯେ ଆଜିର ଶିକ୍ଷା, ସଂସ୍କାର ବି ସେସବୁ ଆଗରେ ମଜବୁର ହୋଇଯାଉଛି। ଜୀବନ ଥିବା ମଣିଷ ତ ଏହି ସାମାଜିକ ଭେଦଭାବ, କଟକଣା ଓ ବାସନ୍ଦର ଶିକାର ହୋଇ ଯାହା ଯନ୍ତ୍ରଣା ଭୋଗୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ମଣିଷର ମୃତ୍ୟୁ ପରେ ମଧ୍ୟ ଶବ ବି ଏଥିରୁ ବାଦ ପଡୁନାହିଁ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ। ଶିଳ୍ପର ସହର ଲାଞ୍ଜିଗଡ଼ରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ଶବକୁ କାନ୍ଧ ଦେବାକୁ କେହି ନବାହାରିବା ଘଟଣା ସାମାଜିକ ବାସନ୍ଦର ଭୟାବହ ଚିତ୍ରକୁ ଦର୍ଶାଉଛି। ଏପରିକି ଜାତିଭାଇ ସମସ୍ତେ ଶବ ବୋହିବାକୁ ମୁହଁ ଫେରାଇ ନେବା ପରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ଶବକୁ କାନ୍ଧ ଦେଇଛନ୍ତି। ଯେଉଁଠି ମହିଳାଙ୍କୁ ମଶାଣୀକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ଉଦାହରଣ ସୃଷ୍ଟି କରିଥିବା ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ମୃତ ମହେନ୍ଦ୍ର ଗତ ୬ ମାସ ପୂର୍ବେ ଦୁର୍ଘଟଣା ଘଟି ଅଣ୍ଟାରେ ଖଞ୍ଜା ଖସିଯାଇ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ୧୫ ବର୍ଷ ପୂର୍ବେ ବାପା ଯୁଧେଷ୍ଟି ଦଳେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଗତବର୍ଷ ମା’ ସରସ୍ବତୀ ଦଳେଇଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ମଧ୍ୟ ଶବ ସଂସ୍କାର ପାଇଁ ସମାଜର କୈଣସି ବ୍ୟକ୍ତି ଆଗେଇ ଆସିନ ଥିବା ଦେଖାଦେଇନଥିଲା। କିନ୍ତୁ ସବୁଠାରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ପରିବାରର ବଡ଼ପୁଅ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ପରେ ବୁଧବାର ସକାଳ ୮ଟାରେ ମୃତ୍ୟୁ ପରେ ତାଙ୍କ ବଡ଼ବାପା ଲିଙ୍ଗରାଜ ଦଳେଇ ସମ୍ପର୍କୀୟ ବଡ ଭାଇ ପୂର୍ଣଚନ୍ଦ୍ର ଦଳେଇ ଓ ଅନ୍ୟମାନେ ଶବ ସଂସ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିବା କହିଛନ୍ତି। ତେବେ ସାମାଜିକ କଟକଣା ଭୟରେ କେହି ବାହାରି ନଥିବା ବେଳେ ଶେଷରେ ସମ୍ପର୍କୀୟ ବଡଭାଇ ପୂର୍ଣ୍ଣ ଚନ୍ଦ୍ର ଦଳେଇଙ୍କ ତିନି ଝିଅ ପ୍ରତିମା ଦଳେଇ, ମନୋରମା ଦଳେଇ ଓ ବର୍ଷା ଦଳେଇଙ୍କ ସହିତ ରମେଶ ଦଳେଇ ସମେତ ଚାରିଜଣ ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥିବା ବେଳେ କିଛି ସମ୍ପର୍କୀୟ ସାଙ୍ଗରେ ଯାଇଥିବା ଚିତ୍ର ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ବାସନ୍ଦ ଯୋଗୁଁ ଶବ ସତ୍କାର ଘଟଣାକୁ ଖଣ୍ଡନ କରିଛି ଲାଞ୍ଜିଗଡ଼ କ୍ଷେତ୍ରୀୟ ପାଇକ ସମାଜ। କଳାହାଣ୍ଡି କ୍ଷେତ୍ରୀୟ ପାଇକ ସମାଜ କୋଷାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେଶନିଆ କହିବା ଅନୁଯାୟୀ ମହେନ୍ଦ୍ର ମୃତ୍ୟୁର ଖବର ପାଇ ମୁଁ ଘଟଣା ସ୍ଥଳରେ ଉପସ୍ଥିତ ଥିଲି। ଲାଞ୍ଜିଗଡ଼ ଏକ ଶିଳ୍ପାଞ୍ଚଳ ଯୋଗୁଁ ଲୋକେ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ଆମେ ଟିକେ ଅପେକ୍ଷା କରିବାକୁ କହିଲୁ କିନ୍ତୁ ଆମ କଥା ସେମାନେ ଶୁଣିଲେ ନାହିଁ। ଏହା ପୂର୍ବରୁ ମଧ୍ୟ ସେହି ପରିବାର ୪ ଜଣଙ୍କ ଶବ ସତ୍କାରରେ ସମାଜ ସହଯୋଗ କରିଛି। ଆମ ମଧ୍ୟରେ ଯାହା କିଛି ଥାଉ କିନ୍ତୁ ଆମେ ସର୍ବଦା ଶବକୁ ସମ୍ମାନ ଦେଇଛୁ। ବର୍ତ୍ତମାନ ସମାଜକୁ ବଦନାମ କରିବା ପାଇଁ ମନା କରିବା ସତ୍ତ୍ୱେ ମଧ୍ୟ କିଛି କୁସଂସ୍କାରୀ ଲୋକଙ୍କ କଥାରେ ପଡି ଝିଅମାନଙ୍କୁ ଶବ ସତ୍କାର ପାଇଁ କାନ୍ଧରେ ବୋହି ମଶାଣୀକୁ ନେବା ଓ ଭିଡ଼ିଓ ବନାଇବା ଘଟଣାକୁ ଆମ ପାଇକ ସମାଜ ଦୃଢ଼ ନିନ୍ଦା କରୁଛୁ ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.