ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସରକାରଙ୍କ ଯୋଜନାରେ ସାମିଲ ହୋଇ ଲାଭ ଉଠାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ତେବେ ଏହାର ଓଲଟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ। ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଚାଷୀ କମ୍ ଅଣ ଚାଷୀ କିଛିଙ୍କୁ ନେଇ ମେଳା ସାରିଦେଇଥିବା ଦେଖିବାକୁ ମିଳିଛି। ଫଳରେ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଚାଷ ଓ ଚାଷୀଙ୍କ ଉଦେଶ୍ୟରେ ବିଭିନ୍ନ ଯୋଜନା ଆସୁଥିବା ବେଳେ ପ୍ରଚାର ପ୍ରସାର ଅଭାବରୁ ଏହି ଯୋଜନା ଗୁଡିକ ଲାଞ୍ଜିଗଡ଼ ବ୍ଲକରେ ବାଟମାରଣା ହେଉଥିବା ଚାଷୀମାନେ ଅଭିଯୋଗ ଆଣୁଛନ୍ତି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ନୀରଦ ଚନ୍ଦ୍ର କହଁର, ସମ୍ମାନିତ ବକ୍ତା ଭାବେ କବି ସାକେତ ଶ୍ରୀଭୂଷଣ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ଯ ସମ୍ପଦ ଅଧିକାରୀ ଜ୍ଞାନରଞ୍ଜନ ସେଠ, ସାଂସଦ ପ୍ରତିନିଧି ନରେନ୍ଦ୍ର ବେହେରା, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ସୁଜିତ ଶତପଥି ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡା. ତେଜସ୍ୱିନୀ ସାହୁ ସଭା ପରିଚାଳନା କରିଥିଲେ। ଏହି ଅବସରରେ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ସମ୍ପଦ ବିଭାଗ ଓ ସ୍ବେଛାସେବୀ ସଂସ୍ଥାଗୁଡ଼ିକ ଦ୍ୱାରା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ଷ୍ଟଲ ଖୋଲାଯାଇଥିଲା। ତେବେ ଆଗରୁ ଚାଷୀଙ୍କୁ କୌଣସି ସୂଚନା ଦିଆଯାଇ ନଥିବାରୁ ବ୍ଲକସ୍ତରୀୟ ଏହି କାର୍ଯ୍ୟକ୍ରମରେ ଚାଷୀଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା। ସଭାରେ ଅଧାଅଧି ଚୌକି ଖାଲି ପଡିଥିବାବେଳେ ମିଶନ ଶକ୍ତିର କିଛି ମହିଳାଙ୍କୁ ଦେଖାଇ ଯାହିତାହି କାର୍ଯ୍ୟକ୍ରମ ଚଳାଇ ନିଆଯାଇଥିଲା। ତେବେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯିବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏପରିକି ପ୍ରାଣୀ ସମ୍ପଦ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସମ୍ମନ୍ୱୟର ଅଭାବ ଓ ଅବହେଳା ଯୋଗୁଁ ଚାଷୀଙ୍କୁ ସାମିଲ କରି ହେଲାନି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି।





