ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ବିରଳ ସଫଳତାକୁ ନେଇ ଚର୍ଚ୍ଚା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ହେଲେ ପୁରସ୍କୃତ

ସାତ ଦିନର ଶିଶୁକୁ କାମୁଡ଼ିଲା ସାପ, ମୃତ୍ୟୁ ମୁଖରୁ ବଞ୍ଚାଇଲେ ଡାକ୍ତର ଅରୁଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ମାତ୍ର ସାତ ଦିନର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଏକ ନୂଆ ଜୀବନ ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନୈକ ଡାକ୍ତର। ଏକ ବିଷାକ୍ତ ସାପ ସାତ ଦିନର ଝିଅକୁ କାମୁଡିବା ପରେ ମୃତ୍ୟ ସହର ଲଢେଇ କରୁଥିବା ଶିଶୁକନ୍ୟାକୁ ଧରି ସିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ‌ ବାପା ମାଆ। ସେମାନଙ୍କ ଆକୁଳ ନିବେଦନ ଆଗରେ ଏପରି ଏକ ବିରଳ ଘଟଣାରୁ କୁନି ଝିଅକୁ ବଞ୍ଚାଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରୁଣ କୁମାର ଗିରି। ସମସ୍ତଙ୍କ ମୁହଁରେ ଏବେ ଡାକ୍ତରଙ୍କ ପ୍ରଶଂସା। ଏକ ବିଷାକ୍ତ ସାପ କାମୁଡ଼ିଥିବା ମାତ୍ର ସାତ ଦିନର ଶିଶୁକୁ ବଞ୍ଚାଇ ଥିବାରୁ ଆଜି ଡାକ୍ତର ଅରୁଣ ଗିରିଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପୁରସ୍କୃତ ମଧ୍ୟ କରିଛନ୍ତି। ଏହା ବାଲେଶ୍ୱର ଜିଲ୍ଲା ଡିଏଚ୍ଏଚ୍ ଡାକ୍ତରଙ୍କ ମହାନ ତଥା ବିରଳ ସଫଳତା ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି ଘଟଣା ଅତ୍ୟନ୍ତ ବିରଳ। ଏହି ଘଟଣା ଓଡ଼ିଶାରେ ପ୍ରଥମ ଏବଂ ଭାରତରେ ଦ୍ୱିତୀୟ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ବଲବୁଦ୍ଧି ଗ୍ରାମର ବବିତା ଦାସ। ଗତ ଅଗଷ୍ଟ ମାସ ୫ ତାରିଖର ଘଟଣା। ରାତି ପ୍ରାୟ ୭.୩୦ ଘଟିକା ସମୟରେ ବବିତା ଦାସଙ୍କ ସାତ ଦିନର ଝିଅର ମୁଣ୍ଡରେ ସାପ କାମୁଡିଥିଲି। ଯାହାକୁ ବବିତା ଦେଖି ପାରିଥିଲେ। ପରିବାର ଲୋକ ଶିଶୁକୁ ରାତି ୯.୩୦ ମିନିଟ୍ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍ ଏନ୍ ସି ୟୁ (ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍) କୁ ନେଇ ଆସିଥିଲେ। ସେତେବେଳେକୁ ଶିଶୁର ଅବସ୍ଥା ବହୁତ ଜଟିଳ ଥିଲା। ପାଟିରୁ ଫେଣ ବାହାରୁ ଥିବା ବେଳେ ବିଷ ପ୍ରଭାବରେ ଦେହ ନୀଳ ପଡ଼ି ଯାଇଥିଲା। ସେଦିନ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରୁଣ କୁମାର ଗିରି ଡ୍ୟୁଟିରେ ଥିଲେ। ଡାକ୍ତର ଶିଶୁକୁ ଦେଖିବା ବେଳେ ତାହାର ଅବସ୍ଥା ଜଟିଳ ଥିଲା‌। ହେଲେ ଡାକ୍ତର ଅରୁଣ ଚିକିତ୍ସା କରି ଶିଶୁର ଜୀବନ ବଞ୍ଚାଇବାର ପ୍ରୟାସ କରି ସଫଳ ହୋଇଥିଲେ। ଡାକ୍ତର ଅରୁଣଙ୍କ କହିବା ଅନୁସାରେ, “ମୋର ୩୦/୩୫ ବର୍ଷ ଚାକିରି କ୍ୟାରିୟର୍ ଭିତରେ ଏତେ ଛୋଟ ପିଲାକୁ ସାପ କାମୁଡିବା ଘଟଣା ମୁଁ କେବେ ଦେଖିନି କି ଚିକିତ୍ସା ବି କରିନି। କିନ୍ତୁ ମୁଁ ଜାଣିଥିଲି ଯେ ସାପ କାମୁଡ଼ିଲା ବଡ ଲୋକଙ୍କୁ ଯେଉଁ ଇଞ୍ଜେକସନ ଏଏସଭି ଦିଆଯାଏ ତାହାକୁ ଏକାଥରେ ୧୦ ଟା ଦେବା ଆରମ୍ଭ କରିଥିଲି ଶିଶୁର ବାପାଙ୍କ ଅନୁମତିରେ। ଯେହେତୁ ପିଲାର ଅବସ୍ଥା ଜଟିଳ ଥିଲା। ସେଥିପାଇଁ କିଛି ଘଟିପାରେ। କିନ୍ତୁ ଏଏସଭି ଦେଲେ ହୁଏତ ପିଲା ବଞ୍ଚି ଯାଇପାରେ। ପିଲାର ବାପା ରାଜି ହେବା ପରେ ମୁଁ ଚିକିତ୍ସା ଆରମ୍ଭ କରିଲି। ଇଞ୍ଜେକସନ ଦେବାର ଘଣ୍ଟାଏ ପରେ ପିଲା କାନ୍ଦିବା ଆରମ୍ଭ କଲା। ପାଟିର ଫେଣ କମିବା ସହ ଦେହର ନେଳି ବି କମିଗଲା। ପ୍ରାୟ ଦୁଇ ଘଣ୍ଟା ପରେ ପିଲା ଖାଇବା ପାଇଁ କାନ୍ଦିଲା। ଆମେ ପିଲାକୁ ତା ମାଆକୁ ଦେଇଦେଲୁ। ସେ କ୍ଷୀର ପିଇଲା। ଏତେ ଛୋଟ ପିଲାକୁ ବିଷାକ୍ତ ସାପ କାମୁଡିବା ଏକ ବିରଳ ଘଟଣା। ଏପରି ଜଟିଳ ଘଟଣାକୁ ଚିକିତ୍ସା କରିଥିବାରୁ ଏବେ ନ୍ୟୁ ବର୍ଣ୍ଣ ଓ୍ବିକ୍ ରେ ମୋତେ ସ୍ବାସ୍ଥ୍ୟ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.