ରାଇଲିମା ଜଳପ୍ରପାତ ଉପରେ କେବେ ପଡ଼ିବ ସରକାରଙ୍କ ନଜର 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ ତଳେ କୁଳୁ କୁଳୁ ହୋଇ ଝରି ଯାଉଥିବା ରାଇଲିମା ଜଳପ୍ରପାତ ଉପରେ ସରକାରଙ୍କ ନଜର ପଡୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ରାଇଲିମା ଜଳପ୍ରପାତଟି ସବୁଜ ସୌନ୍ଦର୍ଯ୍ୟ ପାହାଡ ଘେରା ସାଙ୍ଗକୁ ଘଞ୍ଚ ଅରଣ୍ୟ ଜଙ୍ଗଲ ପାହାଡ ମଝିରୁ ବାହାରୁଥିବା ବେଳେ ଏହି ଦୃଶ୍ୟ କୁ ଦେଖି ମନମୁଗ୍ଧ ହେବାକୁ ଏହି ସ୍ଥାନକୁ ବର୍ଷ ତମାମ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକ ମାନେ ଆସି ଭୋଜି ଭାତ କରି ଖାଇ ମନକୁ ଆନନ୍ଦ ଉଲ୍ଲାସ କରି ବୁଲି ଯାଆନ୍ତି। ଏହାରି ସ୍ଵନ୍ଦର୍ଯ୍ୟ କୁ ଯିଏ ନଦେଖିଛି ସେ ହୃଦୟଙ୍ଗମ କରିପାରିବ ନାହିଁ। ସବୁଜିମା ଜଙ୍ଗଲ, ଗଛ ଲତା ସାଙ୍ଗକୁ ଦୂର ପାହାଡରୁ କୁଳୁକୁଳୁ ହୋଇ ବହି ଆସୁଥିବା ସୂଦୃଶ୍ୟ ଝରଣାଟି ରାଇଲିମା ଜଳପ୍ରପାତ ଭାବେ ପରିଚିତ। ଏହି ଜଳପ୍ରପାତ ପାଖରୁ ଠିଆ ହୋଇ ଏହାର ଦୃଶ୍ୟ ଦେଖିଲେ ସୌନ୍ଦର୍ଯ୍ୟ ଯେମିତିକି କାଶ୍ମୀର ଠାରୁ କମ୍‌‌ ହେବ ନାହିଁ। ଏହି ସ୍ଥାନକୁ ଯେ କେହି ଥରେ ଆସିଛି ଏହାର ସୌନ୍ଦର୍ଯ୍ୟର ମାୟା ଜାଲରେ ଛନ୍ଦି ହୋଇଯାଇଛି। ସେ ନିଶ୍ଚୟ ପୁନର୍ବାର ଏଠାକୁ ଆସିବାକୁ ବ୍ୟାକୁଳିତ ହୋଇଥାଏ। ରାଇଲିମା ଜଳପ୍ରପାତର ରାସ୍ତାଘାଟ ସାଙ୍ଗକୁ ମୋବାଇଲ୍‌‌ ସେବା ବ୍ୟବସ୍ଥା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଭଳି ଭିତ୍ତିଭୂମିର ବିକାଶ କରାଯାଇ ପାରିଲେ ଏଠାରେ ରାଜ୍ୟ ଓ ଦେଶ ବାହାର ପର୍ଯ୍ୟଟକ ମାନଙ୍କ ଲମ୍ବା ଧାଡି ଲାଗିପାରନ୍ତା। ଏହାକୁ ନୂତନ ସରକାର ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଏହା ନିଶ୍ଚିତ ଭାବେ ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.