ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାଶୀବାହାଲ ଗ୍ରାମର ଜଣେ ଦାଦନ ଶ୍ରମିକ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଭଦ୍ର ବାଗ(୬୨)। ସୂଚନା ଅନୁସାରେ, ଗତ ୩ମାସ ତଳେ ଭଦ୍ର ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଦି ପଇସା ରୋଜଗାର କରିବା ପାଇଁ ଗୋଆ ଦାଦନ ଖଟିବାକୁ ଯାଇଥିଲେ। ତେବେ କିଛି ଦିନ କାମ କରିବା ପରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଘର ଲୋକଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କ ପୁଅ ପ୍ରକାଶ ବାଗ ଗୋଆ ଆଣିବା ପାଇଁ ଯାଇଥିଲେ। ଏବଂ ଟ୍ରେନ୍ ଯୋଗେ ବାପାଙ୍କୁ ନେଇ ପ୍ରକାଶ ଘରକୁ ଫେରୁଥିବା ସମୟରେ ଅସୁସ୍ଥ ବାପାଙ୍କ ଦେହ ବିଗିଡ଼ିବାରେ ଲାଗିଥିଲା। ଏହାପରେ ୱାଳଟର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅସୁସ୍ଥ ଦାଦନ ଶ୍ରମିକ ଭଦ୍ର ବାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ସ୍ତ୍ରୀ ସହିତ ୩ ପୁଅ ରହିଛନ୍ତି। ତେବେ ମୃତ ଶ୍ରମିକଙ୍କ ଶବ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନଥିବାରୁ ଧାର କରି ଟଙ୍କା ପଠେଇଥିବା ଜଣାପଡ଼ିଛି। ତେଣୁ ଏହି ଅସହାୟ ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।





