ବଙ୍କାପଲାରେ ୭୬ତମ ସମ୍ବିଧାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ଆନୁକୁଲ୍ୟରେ ୭୬ତମ ସମ୍ବିଧାନ ଦିବସ ବଙ୍କାପଲା ମଣ୍ଡି ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି ବଳରାମ ଦୁର୍ଗାଙ୍କ ସଭାପତିତ୍ଵରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ନିଆଲ୍, ମୁଖ୍ୟବକ୍ତା ଭାବରେ ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ମାଧବ ସୁନାନୀ, ସମ୍ମାନୀୟ ଅତିଥି ଭାବରେ ଶତ୍ରୁଘ୍ନ ନାଏକ, ଟଙ୍କଧର ନାଏକ, ରାଇଦାସ ଧଙ୍ଗଡା ମାଝୀ, ଗୋବିନ୍ଦ କୁମାର, ଉପ ସଭାପତି ଶ୍ରୀକାନ୍ତ ଛତ୍ରିଆ, ଉପସଭାପତି ଆଶିଷ ନାଗ, ଆଇନଜିବୀ ଲୋକନାଥ ନାଗ, ଗୌର ଚନ୍ଦ୍ର ଦୁର୍ଗା, ବସନ୍ତ ନିଆଲ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ କଲମପୁର ସ୍ଥିତ ମୁଖ୍ୟ ବଜାରରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ ଓ ଦୀପ ପ୍ରଜଳନ କରି ପଞ୍ଚଶିଲ ପଠନ ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମ୍ବିଧାନ ଦେଶର ସମସ୍ତ ନାଗରିକ ସହିତ ଜଳ, ବାୟୁ, ପଶୁ, ପକ୍ଷୀ, ବୃକ୍ଷଳତାକୁ ମଧ୍ୟ ବଞ୍ଚାଇବା ଅଧିକାର ଦେଇଛି, କିନ୍ତୁ କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବିଧାନକୁ ଦୋଷ ଦେଇ, ସାମ୍ବିଧାନିକ ଅଧିକାର ପାଇବାରୁ ଦେଶବାସୀଙ୍କୁ ବଞ୍ଚିତ ରଖିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଠିକ୍ ସେହିଭଳି ଆଦିବାସୀ, ଦଳିତ ମାନଙ୍କ ପ୍ରତି ଜାତି ଧର୍ମ ଭେଦଭାବ ଆଜି ମଧ୍ୟ ଦେଶର ମୂଳ ସମସ୍ୟା ହୋଇଛି ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ ସମ୍ବିଧାନକୁ ସମସ୍ତେ ଅଧ୍ୟୟନ କରି ନିଜର ମୌଳିକ ଅଧିକାର ହାସଲ କରିବା ଓ ସମ୍ବିଧାନ ଦିବସକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତେ ପାଳନ କରିବା ଜରୁରୀ ବୋଲି କହିଥିଲେ। ସେନାପତି ନାଏକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ସମ୍ବିଧାନ ପ୍ରେମୀ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନାରେ କଲମପୁର ବ୍ଲକ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡରେଶନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.