ବୁଢ଼ାବାହାଲ ଅନାସ୍ଥା ଭୋଟରେ ପଦ ହରାଇଲେ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ସରପଞ୍ଚ ଲତା କୁମ୍ଭାର ନିଜ ପଦ ହରାଇଛନ୍ତି। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ଭୋଟ ଗଣତି ହେବା ପରେ ସରପଞ୍ଚଙ୍କ ବିରୁଦ୍ଧରେ ୧୩ ସଭ୍ୟସଭ୍ୟା ଭୋଟ ଦେଇଥିଲେ। ସପକ୍ଷରେ ୯ ଭୋଟ ପଡ଼ିଥିଲା ଓ ଗୋଟିଏ ଭୋଟ ନାକଚ ହୋଇଥିବା ଘୋଷଣା ହୋଇଥିଲା। ବର୍ତ୍ତମାନ ନାଏବ ସରପଞ୍ଚ ବିଜୟ ସେଲମା ସରପଞ୍ଚ ଦାୟିତ୍ଵରେ ରହିବା ସୁନିଶ୍ଚିତ ହୋଇଛି। ପ୍ରକାଶ ଯେ ଗତ ୩୦, ଜୁନରେ ସରପଞ୍ଚଙ୍କ ବିରୁଦ୍ଧରେ ୱାର୍ଡ଼ ସଭ୍ୟସଭ୍ୟାଙ୍କ ପକ୍ଷରୁ ଅନାସ୍ଥା ନୋଟିସ୍ ନେଇ ଭୋଟ ଗ୍ରହଣ ହୋଇଥିଲା। ଏହାର ଗଣତି ନେଇ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉପଜିଲ୍ଲାପାଳ ସମସ୍ତ ସଭ୍ୟସଭ୍ୟାଙ୍କୁ ନୋଟିସ୍ କରି ଅକ୍ଟୋବର ୧୭ରେ ନିଜ କାର୍ଯ୍ୟାଳୟରେ ଭୋଟ୍ ବେଳେ ଅଚାନକ ସରପଞ୍ଚ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ଭୋଟ ଗଣତି ସ୍ଥଗିତ ରଖୁବା ଆଦେଶ ଦେବା ପରେ ସରପଞ୍ଚଙ୍କ ବିରୋଧୀ ପକ୍ଷ ନିରାଶ ହୋଇ ଫେରିଯାଇଥିବା ଦେଖାଯାଇଥିଲା। ତେବେ ବୁଧବାର ଭୋଟ ଗଣତି ହୋଇ ସରପଞ୍ଚ ବିଦା ହେବା ନେଇ ବିରୋଧୀ ପକ୍ଷ ମଧ୍ୟରେ ଉତ୍ସାହ  ପ୍ରକାଶ ପାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ସରପଞ୍ଚଙ୍କ ବିରୋଧୀ ପକ୍ଷରୁ ନାଏବ ସରପଞ୍ଚ ବିଜୟ ସେଲମା, ୱାର୍ଡ ସଭ୍ୟ ମୋହନ ସୁନା, ମଦନ ବାଗ, ବିଶ୍ଵମ୍ବର ମହାଡ଼ିକ, ପ୍ରକାଶ ସାହୁ, ସଭ୍ୟା ସମାରୀ ଗହୀର, ତୁଳସୀ ସାହୁ, ବନିତା ଗହୀର, ମୋହିନୀ ସାହୁ, ବରିଷ୍ଠ ସମାଜସେବୀ ରଞ୍ଜିତ ସିଂ, ଧ୍ରୁବ ଚରଣ ସାହୁ, ବିନୋଦ ସାହୁ, ଶଙ୍କର ସାହୁ, ବନମାଳୀ ସାହୁ, ଉମାକାନ୍ତ ସେଲମା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ଭୋଟ ଗଣତି ଫଳାଫଳ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.