ମୋବାଇଲ ଫୋନ ପାଇଁ ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ

ଓଡ଼ିଆ ବାର୍ତ୍ତା/ ମୁକୁନ୍ଦପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନ ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ କୈଳାଶପୁର ପଞ୍ଚାୟତର ଲାଲିବି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା | ମୋବାଇଲ ଫୋନ କିଣିବା ପାଇଁ ଟଙ୍କା ନ ଦେବାରୁ ଉତକ୍ଷିପ୍ତ ହୋଇ ପୁଅ ନିଜ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରିଛି | ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଚମ୍ପା କାଡ୍ରାକାଙ୍କ ଏତଲା ମୁତାବକ ଗତକାଲି ଲାଲିବି ଗ୍ରାମର ଭୀମା କାଡ୍ରାକା (୪୫)ଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା (୨୦) ଏକ ମୋବାଇଲ ଫୋନ କିଣିବା ନିମନ୍ତେ ଟଙ୍କା ମାଗିଥିଲା | ମୃତ ଭୀମା ଏବେ ଟଙ୍କା ନାହିଁ ମୋବାଇଲ ଫୋନ କିଣିବାକୁ କେଉଁଠୁ ଟଙ୍କା ଆଣି ତତେଦେବି ବୋଲି କହିଥିଲେ ଏବଂ ଗତକାଲି ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା | ଏତିକିରେ ଅଭିଯୁକ୍ତ ଉଦୟ ଶାନ୍ତ ହୋଇ ନ ଥିଲା | ଗତକାଲି ରାତିରେ ଖାଇସାରି ଲାଲିବି ଗ୍ରାମ ଠାରୁ କିଛି ଦୂରରେ ଥିବା ତାଙ୍କ କୁଡିଆ ଘରେ ଭୀମା ଶୋଇଥିବା ବେଳେ ପୁଅ ଉଦୟ ଏକ ଟାଙ୍ଗିଆରେ ମୁଣ୍ଡ, ଛାତି, କାନ୍ଧ ଓ ପିଠିରେ ମୋଟ ୭ ଟି ସ୍ଥାନରେ ହାଣି ହତ୍ୟା କରିଥିଲା | ଫଳରେ ଘଟଣା ସ୍ଥଳରେ ହିଁ ଭୀମାର ପ୍ରାଣବାୟୁ ଉଡି ଯାଇଥିଲା | ହତ୍ୟାକାଣ୍ଡ ଘଟାଇବା ପରେ ଏକ ପୋଘାରେ ମୃତ ବ୍ୟକ୍ତିଙ୍କ ବେକରେ ଗୁଡେଇ ଘସାରି ଘସାରି କୁଡିଆ ଠାରୁ ୫୦ ମିଟର ଦୂର ସୂର୍ଯ୍ୟମୁଖି ବାଡ଼ରେ ପୋତି ଦେବାକୁ ନେବା ବେଳେ କୌଣସି କାରଣରୁ ଶବକୁ ସେହି ବାଡ଼ରେ ଛାଡି ଦେଇ ବହୁ ଚତୁରତାର ସହିତ ରକ୍ତ ଭିଜା ନିଜ ପିନ୍ଧିଥିବା ପୋଷାକକୁ ବଦଳେଇ ଗାଈ ଜଗିବା ପାଇଁ ଚାଲି ଯାଇଥିଲା | ପରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଚମ୍ପା ଲାଲିବି ଗ୍ରାମରେ ଥିବା ଘରୁ ନିଜ କୁଡିଆକୁ ଯାଇ ଦେଖିଲା ବେଳକୁ ଚାରିଆଡ଼େ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ କିନ୍ତୁ ତାଙ୍କ ସ୍ଵାମୀଙ୍କୁ ପାଇ ନଥିଲେ | ଅଭିଯୁକ୍ତ ପୁଅ ମୃତ ଦେହ ଘୋଷାରି ନେଇଥିବା ରକ୍ତ ଚିହ୍ନକୁ ଦେଖି ଦେଖି ବାଡରେ ପହଞ୍ଚିଲା ବେଳକୁ ନିଜ ସ୍ଵାମୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ | ପରେ ସଙ୍ଗେ ସଙ୍ଗେ ଲାଲିବି ଗାଁ ଲୋକଙ୍କୁ ଜଣାଇ ମୁକୁନ୍ଦପୁର ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା | ଏତଲାକୁ ଭିତ୍ତି କରି ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ନିଜ ପୋଲିସ ଟିମ୍ ସହିତ ସେଠାରେ ପହଞ୍ଚି ଗାଁ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତ ଉଦୟକୁ ଧରି ଗିରଫ କରିଥିଲେ | ପରେ ଚାନ୍ଦିଲି ଥାନାକୁ ଜଣାଇଥିଲେ | ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସାଇଣ୍ଟିପିକ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ଲାଲିବି ଗ୍ରାମରେ ଶୋକର‌ ଛାୟା ଖେଳି ଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.