ବ୍ଲକ ସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ “ଚଇତି” ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କୋଲନରା ବ୍ଲକ ସ୍ଥିତ ମିନି ଷ୍ଟାଡିୟମ ଠାରେ ଆଜି ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି | କୋଲନରା ବିଡିଓ ରୀନା ପ୍ରଧାନଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ କୋଲନରା ସ୍ଥିତ ସତ୍ୟସାଇ ମନ୍ଦିର ନିକଟରେ ଥିବା ଝରଣା ଠାରୁ ପୂଜାବିଧି ସହ ପବିତ୍ର ଜଳ ସଂଗ୍ରହ କରି ଏକ ବିରାଟ କଳସ ଯାତ୍ରା ବାଜା ବାଜେଣିରେ ବାହାରି ମା ମାଝିଗୌରୀ ମନ୍ଦିରରେ ପହଞ୍ଚିଥିଲା | ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ମୁଖ୍ୟ ବଜାର ଦେଇ ଚଇତି ମଣ୍ଡପରେ ପହଞ୍ଚିବା ପରେ କଳସ ସ୍ଥାପନ କରାଯାଇ ଉଦଘାଟନ କରାଯାଇଥିଲା | ଏହି ଅବସରରେ ସ୍ଥାନୀୟ ବିଧାୟକ ନୀଳମାଧଵ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ଉପାଧ୍ୟକ୍ଷ ହଳଧର ହିମିରିକା, କେସିସି ବ୍ୟାଙ୍କ ନିର୍ଦ୍ଧେଶକ ତିରୁପତି ବନାଗାଡ଼ି, କେନ୍ଦ୍ରୀୟ ଆଦିବାସୀ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ କାଳୀରାମ ମାଝୀ ଓ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଲକର ବିଭିନ୍ନ ସ୍ଥାନରୁ ଚଇତି ମହୋତ୍ସବରେ ଅଂଶ ଗ୍ରହଣ କରିଥିବା ସାଂସ୍କୃତିକ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରାରମ୍ଭରେ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ଗାନ ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଅତିଥିଙ୍କ ଦ୍ଵାରା ଚଇତି ପଡ଼ିଆରେ ଥିବା ବିଭିନ୍ନ ବିଭାଗର ଷ୍ଟଲ ଗୁଡ଼ିକ ଉଦଘାଟନ କରାଯିବା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସେହିପରି ଚଇତି ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଚଇତି ମଣ୍ଡପରେ ଅତିଥିମାନେ ସମ୍ମାନିତ କରିଥିଲେ | ଶିକ୍ଷକ ପ୍ରଫୁଲ୍ଲ ପାଢ଼ୀ ଓ ପ୍ରଦୀପ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଏଥିରେ ବିଏଫଓ ଗଣେଶ୍ୱର ଭଟ୍ଟ, ଜିପିଡ଼ିଓ ଅଜିତ କୁମାର ହୋତା, ଡାବ୍ଲିଓ ଦେବାଶିଷ ମୁଣ୍ଡ, ଏପିଓ ସୁମିତ୍ରା ପାଣିଗ୍ରାହୀ, ଆରଡାବ୍ଲୁଏସଏସ ସହକାରୀ ଯନ୍ତ୍ରୀ ଶୁଭଦର୍ଶୀନୀ ପଟ୍ଟନାୟକ, ବିଏଲସି ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟସଭ୍ୟା, ପିଇଓ, ମହିଳା ମଣ୍ଡଳ ସଦସ୍ୟା, ମିଶନ ଶକ୍ତି କର୍ମଚାରୀ ଓ ଅଙ୍ଗନବାଡି କର୍ମୀଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗରୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.