ଜଙ୍ଗଲରୁ ଦରପୋଡ଼ା ଶବ ମିଳିବା ଘଟଣାର ପର୍ଦାଫାଶ: ଗୁଣିଗାରେଡିରୁ ହତ୍ୟା, ୩ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଚୂନପଡା ଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଉପରୁ ପର୍ଦ୍ଦାଫାଶ କରିଛି ଟିକାବାଲି ପୋଲିସ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଗୁଣିଗାରେଡି ସନ୍ଦେହରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ସିନ୍ ରି-କ୍ରିଏସନ କରିଛି। ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା ଖଲିବେରଣା ଗ୍ରାମର ମୃତ ଦୁର୍ଯ୍ୟୋଧନ ବଗର୍ତ୍ତୀ (୩୫) ଜଣେ ଝଡ଼ଫୁଙ୍କା କରୁଥିବା ବ୍ୟକ୍ତି ବୋଲି ଗାଁରେ ଜଣାଶୁଣା ଥିଲେ। ଗତ ପ୍ରାୟ ୭ ମାସ ତଳେ ଅଭିଯୁକ୍ତ ପ୍ରକାଶ ହଂସଙ୍କ ଭାଇଙ୍କର କୌଣସି କାରଣବଶତଃ ମୃତ୍ୟୁ ଘଟିଥିଲା। ଦୁର୍ଯ୍ୟୋଧନ ଗୁଣି କରି ନିଜ ଭାଇକୁ ମାରିଦେଇଥିବା ନେଇ ପ୍ରକାଶ ଓ ତାଙ୍କ ସହଯୋଗୀମାନେ ସନ୍ଦେହ କରି ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଗତ ୪ ତାରିଖ ଦିନ ଦୁର୍ଯ୍ୟୋଧନ ଚିକେନ୍ କିଣିବା ପାଇଁ ବାହାରକୁ ଆସିଥିବା ବେଳେ ଖଲିବେର୍ଣ୍ଣା ପିଡବ୍ଲୁଡି ରାସ୍ତାରେ ଛକି ରହିଥିବା ଦୁର୍ବୃତ୍ତ ମାନେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଏକ ବାଇକରେ ଶବକୁ ଲଦି ଚୂନଘାଟି ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତ ମାନେ ଏକ ବଡ଼ ପଥରରେ ଦୁର୍ଯ୍ୟୋଧନଙ୍କ ମୁଣ୍ଡକୁ ନିର୍ମମ ଭାବେ ଛେଚିବା ପରେ ବାଇକରୁ ପେଟ୍ରୋଲ କାଢ଼ି ଢାଳି ଦେଇ ଶବକୁ ପୋଡ଼ି ଦେଇଥିଲେ। ଟିକାବାଲି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଡା ଥାନା ଅନ୍ତର୍ଗତ ଖଲିବେର୍ଣ୍ଣା ଗାଁ ର ବାବୁଲା ହଂସ ଙ୍କ ଦୁଇ ପୁଅ ପ୍ରକାଶ ହଂସ(୨୧) ମୁକେଶ ହଂସ (୨୫)ଏବଂ ଟିକାବାଲି ଥାନା କଇଁଝର ପଞ୍ଚାୟତ ଅନ୍ତର୍ଗତ ନାଗିରିଗୁଡାରି ଗାଁ ର ପ୍ରମୋଦ ଗୁରୁ ଙ୍କ ପୁଅ ଜିତେନ୍ଦ୍ର ଗୁରୁ (୨୩) ବୋଲି ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏବଂ ଟିକାବାଲି ଥାନା ଅଧିକାରିଣୀ କେ.ଆର. କର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (ବି ଏନ ଏସ) ର ଧାରା ୧୦୩(୧), ୩(୯), ୩ ଏବଂ ୪ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତରେ ସହଯୋଗ କରିଥିଲେ। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତାକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ନେଇ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.