ଲାଞ୍ଜିଗଡ଼ରେ ମୁକ୍ତ ବିଦ୍ୟାଳୟ ନାମଲେଖା ପାଇଁ ମେଗା କ୍ୟାମ୍ପ : ନାମ ଲେଖାଇଲେ ୧୫୧ ଡ୍ରପ‌ଆଉଟ୍ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଶିକ୍ଷା ବିଭାଗ ପକ୍ଷରୁ ଗତ ଏପ୍ରିଲ ଓ ମେ’ ମାସରେ ସିଟିଏସ୍ ସର୍ଭେରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରୁ ବଞ୍ଚିତ ରହିଥିବା ଛାତ୍ରଛାତ୍ରୀ ଚିହ୍ନଟ କରାଯାଇ ଥିଲା। ବିଦ୍ୟାଳୟରୁ ବାହାରେ ରହିଥ‌ିବା କିମ୍ବା ଅଧାରୁ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାର ଏକ ବୃହତ୍ ପଦକ୍ଷେପ ଭାବରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ମୁକ୍ତି ବିଦ୍ୟାଳୟ (ଏଆଇଓଏସ୍) ଏବଂ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ (ଏନ୍‌ଆଇଓଏସ୍)ରେ ନାମଲେଖା ପାଇଁ ଏକ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପରେ ମୋଟ ୧୫୧ ଜଣ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବରେ ନାମ ପଞ୍ଜିକରଣ କରିଛନ୍ତି। ଚତୁର୍ଥ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ସ୍କୁଲ ଛାଡ଼ିଥିବା ୧୪ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଦଶମ ଏବଂ (+୨) ପାଇଁ ଏହି ନାମଲେଖା ଅଭିଯାନ ସାରା ରାଜ୍ୟ ଆରମ୍ଭ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ନେତୃତ୍ବ ନେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢ଼ଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଏବଂ ବ୍ଳକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ତେବେ
(ଏନ୍ଆଇଓଏସ୍) ୧୩୯ଜଣ ଛାତ୍ରଛାତ୍ରୀ ଓ (ଏସ୍ଆଇଓଏସ୍‌) ରେ ୧୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଫର୍ମ ପୂରଣ କରି ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିଥିଲେ। ବ୍ଲକର ୧୩ ଗୋଟି କ୍ଲଷ୍ଟରରୁ ଆଜି ସମୁଦାୟ ୧୫୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଆହୁରି ଅଧିକ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିବ। ଏହି ଉଦ୍ୟମ ଡ୍ରପଆଉଟ୍ ହାର ହ୍ରାସ କରିବା ସହିତ ଯୁବପିଢ଼ିକୁ ଶିକ୍ଷିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.