ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଲାପାର ମଞ୍ଚରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଗୁରୁ ଗମ୍ଭୀର ନାଦ ସହ ରବିବାର ଆରମ୍ଭ ହୋଇଛି ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬। ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଭାବେ କଳାହାଣ୍ଡି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସରୋଜକାନ୍ତ ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିଡ଼ିଓ ବିପିନ ବିହାରୀ ଦୀପ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ବ୍ଲକ ସମିତି ସଭ୍ୟ ସଂଘ ସଭାପତି ଜୟ ମେହେର ପ୍ରମୁଖ ମଞ୍ଚାସୀନ ରହି କଳାହାଣ୍ଡି ଓ ନର୍ଲା ମାଟିର ଗୌରବ ଗାଥା ଏବଂ ଐତିହ୍ୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଶିକ୍ଷାବିତ ଡ଼ଃ ଅନିଲ ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଉତ୍ସବରେ ଶହଶ୍ରାଧିକ ଜନତା ଉପସ୍ଥିତ ଥିଲେ।





