ସନ୍ତୋଷ କୁମାର ରଥଙ୍କୁ ମିଳିଲା ଫକୀରମୋହନ ସାରସ୍ବତ ସମ୍ମାନ -୨୦୨୬

ଏଫ୍.ଏମ୍. ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାଳିତ ହେଲା ଫକୀର ମୋହନ ଜୟନ୍ତୀ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଚଳିତବର୍ଷ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରସ୍ଥ ବିଜ୍ଞାନଭବନ ସମ୍ମେଳନ କକ୍ଷରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୪ତମ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିନେଶ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଅଧିସ୍ନାତକ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ରଞ୍ଜନ କୁମାର ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କଲା ପରେ ଯଥାରୀତି ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ମହାବିଦ୍ୟାଳୟ-ସଙ୍ଗୀତ ଓ ଭାଷାବନ୍ଦନା ପରିବେଷଣ କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର ଦାସ ସ୍ଵାଗତ ସମ୍ଭାଷଣ ରଖିଥିଲେ ଏବଂ ସମିତିର ସମ୍ପାଦକ ତଥା ଅଧିସ୍ନାତକ ଓଡ଼ିଆ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ ସମିତିର ବାର୍ଷିକ ବିବରଣୀ ପାଠ ସହ ଅତିଥି ପରିଚୟ ପ୍ରଦାନ କରି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି, ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଶିରୀଶ ଚନ୍ଦ୍ର ଜେନା ଯୋଗ ଦେଇ ଫକୀରମୋହନଙ୍କ ଅନନ୍ୟ ପ୍ରବନ୍ଧ, ଅଭିଭାଷଣ ଓ ରମ୍ୟରଚନା ତଥା ତାଙ୍କର ଜୀବନାୟନର ଅନୁପମ ବୈଶିଷ୍ଟ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲା ବେଳେ ସମ୍ମାନିତ ଅତିଥି ପ୍ରଫେସର୍ ଡ. ସନ୍ତୋଷ କୁମାର ରଥ ସାହିତ୍ୟ ସହିତ ବ୍ୟାକରଣ ଶାସ୍ତ୍ର, ଆୟୁର୍ବିଜ୍ଞାନ, ଇତିହାସ ଶାସ୍ତ୍ର ପ୍ରଭୃତିରେ ଫକୀରମୋହନଙ୍କ ଗଭୀର ଅନୁପ୍ରବେଶ ଥିବା କଥା ନିଜ ବକ୍ତବ୍ୟରେ ପ୍ରମାଣିତ କରିଥିଲେ। ସେହିପରି ଉତ୍ସବର ଅନ୍ୟତମ ସମ୍ମାନିତ ଅତିଥି ପ୍ରଫେସର୍ ଫିରୋଜ କୁମାର ପାଢ଼ୀ ଫକୀରମୋହନଙ୍କ ସଂସ୍କାର, ଆଦର୍ଶ ଜୀବନାୟନ ଓ ଅଭିଜ୍ଞତା ତାଙ୍କ ସାହିତ୍ୟର ଅସଲ ପୃଷ୍ଠଭୂମି ବୋଲି କହିଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥି ପ୍ରଫେସର୍ ଡ. ସାନ୍ତ୍ଵନା ହାଲଦାର ଫକୀରମୋହନଙ୍କ କଥାସାହିତ୍ୟର କ୍ଲାସିକ୍ ପଣିଆ ଓ ଏହାର ଉଚ୍ଚତା ସମ୍ପର୍କରେ ତୁଳନାତ୍ମକ ବ୍ୟାଖ୍ୟାନ ରଖିଥିଲେ। ଚଳିତ ବର୍ଷ ଫକୀରମୋହନ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଫେସର୍ ସନ୍ତୋଷ କୁମାର ରଥଙ୍କୁ ଫକୀରମୋହନ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇ ମାନପତ୍ର, ଉପ‌ଢୌକନ ଓ ସ୍ମାରକୀ ଚିହ୍ନ ସ୍ୱରୂପ ପୁରସ୍କୃତ କରାଯାଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ଫକୀରମୋହନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ଅଧିସ୍ନାତକ ଓଡ଼ିଆ ଦ୍ଵିତୀୟ ବର୍ଷ ଛାତ୍ରୀ ଗୀତା ରାଉତ, ଦ୍ଵିତୀୟ ବର୍ଷ ସମନ୍ୱିତ କଳାଶିକ୍ଷା ଛାତ୍ରୀ ଦିପ୍ସା ତ୍ରିପାଠୀ, ଓ ସ୍ନାତକ ତୃତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଅନୁପମା ମଣ୍ଡଳ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ସହ ନଗଦ ଟ. ୨୦୦୦/-, ଟ.୧୫୦୦/- ଓ ଟ.୧୦୦୦/- ଲେଖାଏଁ ପୁରସ୍କାର ରାଶି ପାଇଥିଲେ। ପରିଶେଷରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର୍ ଡ. ମୁଧୁସ୍ମିତ ଘଡ଼ାଇ ଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.