ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ୧୮୪ତମ ଫକୀରମୋହନ ଜୟନ୍ତୀ ଉତ୍ସବ ୧୩ ତାରିଖରୁ ୧୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିଥିବା ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ପ୍ରଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ଯୋଗ ଦେଇଥିବା ବେଳେ, ବରେଣ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ କଥାକାର ପ୍ରଫେସର ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ଏହି ସମାରୋହରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସାହିତ୍ୟ ଓ ସଂସ୍କୃତିକ କ୍ଷେତ୍ରରେ ଅବଦାନ ରଖିଥିବା ୨୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଫକୀରମୋହନ ସାହିତ୍ୟ ପରିଷଦର ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଜମୁର୍ଡା ଗ୍ରାମର ଶିଳ୍ପୀ କେଦାର ନାୟକଙ୍କୁ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ସ୍ମୃତିରେ ‘ଫକୀରମୋହନ ଚିତ୍ରକଳା ସମ୍ମାନ’ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସୌଜନ୍ୟରେ ସଫଳତାର ସହିତ ଆୟୋଜିତ ହୋଇଥିଲା।





