ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଛାତ୍ର ଓ ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ। ଭାଷା ସାହିତ୍ୟର ରାଜ୍ୟ ଓଡ଼ିଶାରେ ଓଡ଼ିଆ ଅସ୍ମିତାର ମହତ୍ତ୍ୱ ପ୍ରତିପାଦନ ପାଇଁ ଚାରି ଦିନର ଫକୀର ମୋହନ ଜୟନ୍ତୀ ପାଳନ ଅବସରରେ ଗୋଟିଏ ନିର୍ଦ୍ଦିଷ୍ଟ ଦିନକୁ ଯୁବପିଢ଼ିଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା। ଏହି ଉତ୍ସବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦୀନେଶ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବପିଢ଼ି ଉନ୍ନତ ଚିନ୍ତାରେ ଅଗ୍ରସର ହେଲେ ଦେଶ ନିଶ୍ଚୟ ଆଗକୁ ବଢିବ,ଏ କ୍ଷେତ୍ରରେ ଭାଷା ସାହିତ୍ୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ବାଲେଶ୍ବରର ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଆଦର୍ଶରେ ପରିଚାଳିତ ହୋଇ ଦେଶ ପ୍ରଗତିର ଭଗୀରଥ ହେବାକୁ ପରାମର୍ଶ ଦେଇଥିଲେ। ଆଇ ଆଇଟି ଚେନ୍ନାଇର ଡ. ଉମାଶଙ୍କର ପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଭାଷା, ଶିକ୍ଷା, ସଂସ୍କୃତିର ପ୍ରଧାନ ଉତ୍ସ ଥିଲେ ଫକୀରମୋହନ। ତେଣୁ ଫକୀରମୋହନଙ୍କୁ ବାଦ୍ ଦେଇ ଓଡ଼ିଆ ଜାତିର ଭବିଷ୍ୟତ କଳ୍ପନା କରାଯାଇ ନପାରେ ବୋଲି କହିବା ସହ ଫକୀର ମୋହନଙ୍କୁ ଆଦର୍ଶ ମନେକରି ବ୍ୟକ୍ତିତ୍ୱ ନିର୍ମାଣ କଲେ ଜୀବନରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିହେବ ବୋଲି କହିଥିଲେ। ଚରମ୍ପା ମହାବିଦ୍ୟାଳୟର ଅଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ଓୟୁଏଟି ଭୁବନେଶ୍ୱରର ସହକାରୀ ପ୍ରଫେସର ଡ. ଧର୍ମପଦ ଜେନା, ଅମର୍ଦ୍ଦା ମହାବିଦ୍ୟାଳୟର ଅଧ୍ୟାପକ ସିଦ୍ଧାର୍ଥ ବରାଳ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଡ. ପ୍ରତୀଚୀ ନନ୍ଦ ଯୋଗ ଦେଇ ଫକୀର ମୋହନ ଜୀବନ ଓ ସାହିତ୍ୟ ଉପରେ ଅନୁଭବ ବାଂଟିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ସଭାରେ ପୌରୋହିତ୍ୟ କରିଥିବାବେଳେ ଯୁଗ୍ମ ସମ୍ପାଦକ ରାଜେଶ ଗିରି ପ୍ରାକ୍ ସୂଚନା ରଖିଥିଲେ।ଫକୀର ମୋହନ ସାହିତ୍ୟ ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ଡ. ସୁକାନ୍ତ ଗିରି ମଞ୍ଚ ଆହ୍ବାନ କରିଥିବା ସ୍ଥଳେ ଅନ୍ୟତମ କାର୍ଯ୍ୟନିର୍ବାହୀ ସଦସ୍ୟ ବିଷ୍ଣୁ ପ୍ରସାଦ ମହାନ୍ତି ଶେଷ ସ୍ପର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅଧିସ୍ନାତକ ଛାତ୍ର ଶ୍ରୀମାନ ବବୁଲ କୁମାର କବିଙ୍କୁ ଫକୀର ମୋହନ ଗଳ୍ପ ପୁରସ୍କାର ଏବଂ କମର୍ଦ୍ଦା ଡ଼ିଗ୍ରୀ ମହାବିଦ୍ୟାଳୟର ସୁଶ୍ରୀ ସୁନୟନା ଶ୍ରୀ ଦେ ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବିଏଡ଼ ଛାତ୍ର ଶ୍ରୀମାନ ମନୋଜ କୁମାର ମଳିକଙ୍କୁ ଦ୍ଵିତୀୟ ବିଜେତା ରୂପେ ପୁରସ୍କୃତ କରାଯାଇଥିଲା। ଏ ଅବସରରେ ଗ୍ରନ୍ଥାଗାରିକ ବିଦ୍ୟୁଲତା ପତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ତପନ ରାୟ, ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ, ଡ. ସାରଙ୍ଗଧର ତ୍ରିପାଠୀ,ଗାଳ୍ପିକା ସ୍ମୃତିଲତା ଦାସ ସହଯୋଗ କରିଥିଲେ। ଫକୀର ମୋହନ ମହାବିଦ୍ୟାଳୟ, କେକେଏସ ମହାବିଦ୍ୟାଳୟ, ବଳାଙ୍ଗୀ ମହାବିଦ୍ୟାଳୟ ଓ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ସନ୍ଧ୍ୟାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ,ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କଳାକାର ଅନୁଷ୍ଠାନର କଳାକାରମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରସିଦ୍ଧ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିଥିଲେ।





