ଜାତୀୟ ମତଦାତା ଦିବସ ପାଳନ ନେଇ ବାଲେଶ୍ଵରରେ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାନୁଆରୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ଜିଲ୍ଲା ସାରା ଉତ୍ସାହ ଓ ସଚେତନତା ସହ ପାଳନ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଉକ୍ତ ଦିନ ବୁଥ୍ ସ୍ତର ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ବୁଥ୍ ସ୍ତରରେ, ନୂତନ ମତଦାତାମାନଙ୍କୁ ମତଦାତା ପରିଚୟ ପତ୍ର (EPIC) ପ୍ରଦାନ କରାଯିବ। ସେଥିସହିତ ମତଦାତାଙ୍କ ଦ୍ୱାରା ଶପଥ ଗ୍ରହଣ କରାଯିବ ଏବଂ ଇ-ରୋଲ୍ ସହିତ ସମ୍ପର୍କିତ ଅନ୍ୟାନ୍ୟ ବିଷୟ ଉପରେ ବୈଠକ ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରରେ, ମତଦାନ ସଚେତନତା ପ୍ରଚାର ପାଇଁ ୱାକଥନ୍ ଆୟୋଜନ କରାଯିବା ସହିତ ଶପଥ ଗ୍ରହଣ ବୈଠକ ହେବ ଏବଂ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ AERO ଓ BLO ମାନଙ୍କୁ ସମ୍ମାନିତ କରାଯିବ। ଏହା ସହ ଜିଲ୍ଲାର ମହାବିଦ୍ୟାଳୟ ସ୍ତରରେ ମଧ୍ୟ ଜାତୀୟ ମତଦାତା ଦିବସ ପାଳନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ପାଇଁ କଲେକ୍ଟରେଟ୍ ସମ୍ମେଳନ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ), ଉପଜିଲ୍ଲାପାଳ ନୀଳଗିରି ସହ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.