ଲୋକକଳା ସମ୍ମାନରେ ସମ୍ମାନିତ ହେଲେ କଳାହାଣ୍ଡିର ଯୁବ ପ୍ରତିଭା ସତ୍ୟବ୍ରତ ଦାଶ 

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବରିଷ୍ଠ କଳାକାର ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ କିଛି କଳାକାରଙ୍କୁ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ଏଥି ମଧ୍ୟରେ କଳାହାଣ୍ଡିର ଜଣେ ଯୁବ ପ୍ରତିଭା, ଉଦୀୟମାନ କଳାକାର ତଥା ସଂଗୀତ ନିର୍ଦେଶକ ସତ୍ୟବ୍ରତ ଦାଶଙ୍କୁ “ଲୋକକଳା ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ଦାଶ ଭବାନୀପାଟଣା ଗଣନାଥପୁରର ବରିଷ୍ଠ ଶିକ୍ଷାବିତ ସ୍ବର୍ଗତ ଦୟାନିଧି ଦାଶ ଏବଂ କାଞ୍ଚନବାଳା ଦାଶଙ୍କ ସୁପୁତ୍ର ଅଟନ୍ତି। ସେ ଏକାଧାରରେ ଜଣେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ତବଲା ବାଦକ, ଆକାଶବଣୀ ଓ ଦୂରଦର୍ଶନର ସ୍ୱୀକୃତି ପ୍ରାପ୍ତ କଳାକାର। ତାଙ୍କର ରଚନାର ବହୁ ଗୀତ ଶ୍ରୋତାଙ୍କ ମନମୁଗ୍ଧ କରିଛି। ବିଭିନ୍ନ ସଂଗୀତ ଯନ୍ତ୍ରକୁ ଅତି ସୁନ୍ଦର ଭାବରେ ବହୁ ମଞ୍ଚରେ ଯାଦୁକରୀ ଭାବେ ପ୍ରଦର୍ଶନ କରି ଜିଲ୍ଲାର ଗୌରବକୁ ଶତଗୁଣା କରିଛନ୍ତି। ପୂର୍ବରୁ ସେ ବିଭିନ୍ନ ସମ୍ମାନ ଯଥା କୌଶଳ ଗୌରବ, ପ୍ରାଇଡ ଅଫ ଓଡିଶା, ବେଷ୍ଟ ଫୋକ ରିସର୍ଚ୍ଚର ଅଫ ଓଡିଶା, ସଂଗୀତ ଯୁବ ରତ୍ନ, ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଳା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ନିମନ୍ତେ ତାଙ୍କୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ସଂସ୍କୃତି ବିଭାଗ ତରଫରୁ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ  ପ୍ରିୟଦର୍ଶି ମିଶ୍ର, ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ବେଦ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.