ଓଡ଼ିଆ ବାର୍ତ୍ତା/ ବାରାଣସୀ: ମହାମନା ସଭାଗାର, ମାଳବୀୟ ମୂଲ୍ୟ ଅନୁଶୀଳନ କେନ୍ଦ୍ର, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ (BHU)ର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର, କଳା ସଙ୍କାୟ(BHU) ଦ୍ଵାରା “ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଗଠନର ପୁନରାବଲୋକନ” ଶୀର୍ଷକ ଦ୍ଵି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ପ୍ର. ପ୍ରଦୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଉପସ୍ଥିତ ଜନସମୂହଙ୍କୁ ସ୍ବାଗତ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ନେଇ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏଥିସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଏହି ଶୈଖିକ କାର୍ଯ୍ୟକ୍ରମକୁ ବାସ୍ତବ ରୂପ ଦେବା ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାରର ମହତ୍ତ୍ଵପୂର୍ଣ୍ଣ ଭୂମିକାକୁ ବିଶେଷ ଉଲ୍ଲେଖ କରିଥିଲେ।
ଏହା ବ୍ୟତୀତ ଗଣ୍ୟମାନ୍ୟ ଅତିଥିଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥ ଏବଂ ମହାମନା ପଣ୍ଡିତ ମଦନ ମୋହନ ମାଳବୀୟଙ୍କ ପ୍ରତିମା ଉପରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ପ୍ର. ଗୋପବନ୍ଧୁ ମିଶ୍ର, ସଂଯୋଜକ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାର ଔପଚାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ତାଙ୍କ ସମ୍ବୋଧନରେ ଭାଷାଗୁଡ଼ିକର ବିକାଶର ସୂକ୍ଷ୍ମ ଏବଂ ଗତିଶୀଳ ପ୍ରକ୍ରିୟା ଉପରେ ବ୍ୟକ୍ତ ରଖିବା ସହ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ଏକ ଯୋଗ୍ୟତମ ଭାଷା ଭାବେ ଅନୁଶୀଳନ କରିଥିଲେ । ଯାହାର ନିଜସ୍ଵ ଗଠନ ରୂପ ଦେହ, ମନ ଏବଂ ଆତ୍ମା ନିହିତ ଏବଂ ଚାରି କୋଟି ଓଡ଼ିଆଙ୍କ ପରିଚୟ ବୋଲି କହିଥିଲେ । ସେ ଭାଷା ପ୍ରସାରରେ ନିହିତ ପୌରାଣିକ ଉପାଦାନ କବ୍ୟାତ୍ମକ ପରମ୍ପରା ଏବଂ ମୌଖିକ ଦିଗ ପ୍ରତି ମଧ୍ୟ ସୂଚନା ଦେଇଥିଲେ । ଯେଉଁଥିରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଏବଂ ଗଭୀରତା ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଥିଲା ।
ବିଶିଷ୍ଟ ଅତିଥି ପ୍ର. କଇଳାଶ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ଦୁଇ ପଦ ଓଡ଼ିଆ କହି ଆରମ୍ଭ କରିଥିଲେ। ଭବିଷ୍ୟତରେ ଏହି ବିମର୍ଶ ଉତ୍ତର ଆଧୁନିକ ବୌଦ୍ଧିକ ପ୍ରେକ୍ଷାପଟରେ ନିହିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ସେ ପ୍ରାଚୀନ କାଳରୁ ଓଡ଼ିଆ ଭାଷାର ବିକାଶକ୍ରମ ଏବଂ ବିଭିନ୍ନ ଶାସକଙ୍କ ସମୟରେ ଓଡ଼ିଆ ଭାଷା ଭିନ୍ନଭିନ୍ନ ଭାଷା ଏବଂ ସଂସ୍କୃତି ଦ୍ଵାରା ପ୍ରଭାବିତ ହୋଇ ମଧ୍ୟ ନିଜସ୍ଵ ପରିଚୟକୁ ବଜାୟ ରଖିପାରିଛି ବୋଲି ଉଲ୍ଲେଖ କରିଥିଲେ। ପୁନଶ୍ଚ ରୀତିଯୁଗୀୟ କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ପରମ୍ପରାର ଏବଂ ଅନ୍ୟ ବିଶିଷ୍ଟ ଓଡ଼ିଆ କବିମାନଙ୍କ କାବ୍ୟ କବିତାର ବିଶେଷତ୍ଵ ଉପରେ ମାର୍ମିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କିତ ବିମର୍ଶକୁ ଆଗକୁ ନେବା ପାଇଁ ନିରନ୍ତର ପ୍ରୟାସ କରୁଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାରର ଭୂମିକାକୁ ସାଧୁବାଦ ଜ୍ଞାପନ କରିଥିଲେ।
ଏହା ପରେ ମୁଖ୍ୟ ଅତିଥି ପ୍ର. ଅଜିତ କୁମାର ଚତୁର୍ବେଦୀ, କୁଳପତି, କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟ ନିଜର ବକ୍ତବ୍ୟରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ହେତୁ ଓଡ଼ିଆ ଚେୟାରକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ ଉଚ୍ଚ ଶିକ୍ଷାରେ ଭାଷା ଏବଂ ସାହିତ୍ୟ ବିଶେଷ କରି ମାତୃଭାଷା ଓ ଦେଶୀୟ ଭାଷା ଗୁଡ଼ିକର ମହତ୍ତ୍ଵ ଉପରେ ଗୁରୁତ୍ବ ଦେଇଥିଲେ। କାଶୀ-ତାମିଲ ସଙ୍ଗମର ଉଦାହରଣ ଦେଇ ସେ ଭାରତର ଅନ୍ୟାନ୍ୟ ଶାସ୍ତ୍ରୀୟ ଭାଷାଗୁଡିକର ପରସ୍ପର ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିଥିଲେ। ସେ ବି.ଏଚ.ୟୁ କୁ ବିବିଧ ଅଞ୍ଚଳର ବିଦ୍ୟାର୍ଥୀଙ୍କ ସଙ୍ଗମସ୍ଥଳ କହିବା ସହ ସମସ୍ତ ଭାଷାର ନିଜସ୍ବ ପରିଚୟକୁ ସଂରକ୍ଷିତ ରଖିବା ସହ ତାହା ମଧ୍ୟରେ ସମନ୍ୱୟ ଓ ସାମଞ୍ଜସ୍ୟ ସ୍ଥାପନ କରାଯିବା ଆବଶ୍ୟକ ବୋଲି କହିଥିଲେ।
ଏହା ପରେ ପ୍ର. ସୁଷମା ଘିଲଡିୟାଲ, ସଂକାୟ ପ୍ରମୁଖ, କଳା ସଙ୍କାୟ ତାଙ୍କ ବକ୍ତବ୍ୟରେ ବିଭିନ୍ନ ଭାଷାର ଉନ୍ନତି ପାଇଁ କଳା ସଙ୍କାୟ ଦ୍ଵାରା ଯୋଗାଇ ଦିଆଯାଉଥିବା ଭୂମିକାକୁ ଉଲ୍ଲେଖ କରିଥିଲେ। ଓଡ଼ିଆ ପୀଠକୁ ଭଗବାନ ବିଶ୍ଵନାଥ ଏବଂ ଜଗନ୍ନାଥଙ୍କ ପ୍ରତୀକାତ୍ମକ ସଙ୍ଗମ ବୋଲି ବର୍ଣ୍ଣିତ କରିଥିଲେ। ସେ ଓଡ଼ିଆ ଚେୟାରରେ ପ୍ରଚଳିତ AEC କୋର୍ସର ଉଲ୍ଲେଖ କରି ଏହାକୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଚେୟାରର ପ୍ରତିବଦ୍ଧତାର ପ୍ରମାଣ ବୋଲି କହିଥିଲେ। ସମ୍ବୋଧନ ଶେଷରେ ଆୟୋଜକଙ୍କୁ ଶୁଭକାମନା ଜଣାଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ଉଦଘାଟନ ଉତ୍ସବର ପରିସମାପ୍ତିରେ ଡ. ଅମୀୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦଘାଟନ ଉତ୍ସବ ପରେ ପ୍ରଥମ ଶୈକ୍ଷିକ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତବ୍ୟ ପ୍ର. ଯତୀନ୍ଦ୍ର କୁମାର ନାୟକ ରଖିଥିଲେ, ଯେଉଁଥିରେ ଓଡ଼ିଆ ତାଳପତ୍ର ପୋଥି ସମ୍ପାଦନା, ଓଡ଼ିଆ ସମାଲୋଚନା ସାହିତ୍ୟର ବିକାଶଧାରା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ବିଶିଷ୍ଟ ଲେଖକ ଡ. ଗୌରହରି ଦାସ ଓଡ଼ିଆ ସାହିତ୍ୟରେ ବୈରାଗ୍ୟ ଓ କରୁଣା ତତ୍ତ୍ଵ ବିଷୟରେ ଆଲୋକପାତ କରିବା ସହ ବ୍ୟାପକ ଦାର୍ଶନିକ ଓ ସାଂସ୍କୃତିକ ପ୍ରେକ୍ଷାପଟରେ ଓଡ଼ିଆ ଭାଷାର ମହତ୍ତ୍ଵ ଆଲୋଚନା କରିଥିଲେ।

ଭୋଜନ ବିରତି ପରେ ପ୍ର. ବିଷ୍ଣୁ ମହାପାତ୍ର ସାହିତ୍ୟିକ କଳ୍ପନା ଓ ସାମୂହିକ ପରିଚୟ ଗଠନ ଉପରେ ନିଜ ବକ୍ତବ୍ୟ ରଖିଥିଲେ। ଯେଉଁଠି ପ୍ର. ଲକ୍ଷ୍ମୀକାନ୍ତ ତ୍ରିପାଠୀ ତାଳପତ୍ର ପୋଥି ମାଧ୍ୟମରେ ଓଡ଼ିଆ ଭାଷାର ପରିଚୟକୁ କେନ୍ଦ୍ରୀଭୂତ କରି ଆଲୋଚନା କରିବା ସହ ପାଣ୍ଡୁଲିପି ପରମ୍ପରାର ଗୁରୁତ୍ଵକୁ ପ୍ରତିପାଦିତ କରିଥିଲେ।
ପ୍ରଥମ ଦିବସୀୟ କାର୍ଯ୍ୟକ୍ରମର ସମାପନ ପ୍ର. କଇଳାଶ ପଟ୍ଟନାୟକ ଦ୍ଵାରା ପ୍ରସ୍ତୁତ ପ୍ଲିନେରି ସତ୍ର ସହିତ ହେଲା । ଯେଉଁଠି ସେ ଓଡ଼ିଆ କଥା ସାହିତ୍ୟରେ ଓଡ଼ିଆ ପରିଚୟ ଚିତ୍ରଣକୁ ବିଶ୍ଳେଷଣ କରିଥିଲେ। ଏହାପରେ ଶୁଭକାନ୍ତ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ହିନ୍ଦୁସ୍ଥାନୀ ବଂଶୀ ବାଦନ କାର୍ଯ୍ୟକ୍ରମ ସାଂସ୍କୃତିକ ସନ୍ଧ୍ୟାକୁ ମନୋରମ କରିଥିଲା। ଯେଉଁଥିରେ ଶତାଧିକ ପ୍ରଫେସର, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।





